ଭୁବନେଶ୍ୱର (ଆକାଶ ମିଶ୍ର) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ବାହାରିଛି । ଏଥିସହ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଫଳ ବି ପ୍ରକାଶ ପାଇସାରିଛି । ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଏଥର ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ଗୁଡ଼ିକରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏନେଇ ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ । ଜୁନ୍ ମାସ ମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ ହେବା ସହ ନାମଲେଖା ମଧ୍ୟ କରାଯିବ । ଜୁଲାଇ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ନାମଲେଖା ପାଇଁ ଆବେଦନ କରିବାକୁ ଛାତ୍ରଛାତ୍ରୀ ପ୍ରସ୍ତୁତ ହେଉଥିବା ବେଳେ ଏଥର କଟ୍ ଅଫ୍ ମାର୍କକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି । କେଉଁ କଲେଜ ଲାଗି ପିଲାଙ୍କୁ ପ୍ରସ୍ତୁତ କରିବେ ? ୨୦୧୮-୧୯ରେ କେଉଁ କଲେଜର କଟ୍ ଅଫ୍ ମାର୍କ କେତେ ରହିଥିଲା ? ସରକାରୀ କିମ୍ବା ଘରୋଇ କଲେଜରେ ପଢ଼ାଇଲେ ଭଲ ହେବ ତାହାକୁ ନେଇ ଅନୁସନ୍ଧାନ ଆରମ୍ଭ କରିଦେଇଛନ୍ତି । କେତେକ ଘରୋଇ କଲେଜ ବି ଆକର୍ଷଣୀୟ ବିଜ୍ଞାପନ ମାଧ୍ୟମରେ ପିଲାଙ୍କୁ ଆକୃଷ୍ଟ କରୁଛନ୍ତି । ମାଗଣାରେ ମାଟ୍ରିକ୍ ପାସ୍ କରିଥିବା ପିଲାଙ୍କୁ କୋଚିଂ ଦେଉଛନ୍ତି । ଆବେଦନ ସମୟରେ ପିଲାମାନେ ଯେମିତି ସମ୍ପୃକ୍ତ କଲେଜକୁ ପ୍ରଥମ ପସନ୍ଦ ଭାବେ ରଖିବେ ସେଥିପ୍ରତି ମଧ୍ୟ ଘରୋଇ କଲେଜଗୁଡ଼ିକ ଟିପ୍ସ ଦେଉଛନ୍ତି । କିଛି ଆବାସିକ କଲେଜ ବି ପିଲାଙ୍କ ରହିବା, ଖାଇବା, ଶିକ୍ଷାଦାନ ଆଦି ପ୍ରତି ଗୁରୁତ୍ବ ଦେଉଛନ୍ତି । ଗତବର୍ଷ ମାଟ୍ରିକ୍ରେ ପାସ୍ହାର ଅଧିକ ରହିବା ସହ ୧୭୦୦ରୁ ଅଧିକ ପିଲା ଏ-୧ ଗ୍ରେଡ୍ ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକ ମାର୍କ ହାସଲ କରିଥିଲେ । ତେବେ ଏଥର ସ୍ଥିତି ସମ୍ପୂର୍ଣ୍ଣ ଅଲଗା । ମାଟ୍ରିକରେ ପାସ୍ହାର କମିବା ସହ ମାତ୍ର ୧୧୮୦ ଜଣ ଏ-୧ ଗ୍ରେଡ୍ ପାଇଛନ୍ତି । ତେଣୁ ଏଥରକ ଯୁକ୍ତ୨ରେ କଟ୍ ଅଫ୍ ମାର୍କ ହ୍ରାସ ପାଇବ । ପ୍ରମୁଖ ସରକାରୀ କଲେଜରେ ୨ ପ୍ରତିଶତ ଯାଏ କଟ୍ ଅଫ୍ ମାର୍କ କମିପାରେ ବୋଲି ଅନୁମାନ କରାଯାଉଛି ।
ରିପୋର୍ଟ : ଆକାଶ ମିଶ୍ର