ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଖ୍ରୀଷ୍ଟିୟାନ କମ୍ୟୁନିଟି ଓ ଖ୍ରୀଷ୍ଟିୟାନ ଲିଡ଼ର୍ସ ଫେଲୋସିପ ଦ୍ୱାରା ଆୟୋଜିତ ‘ଖ୍ରୀଷ୍ଟିମାସ ମହୋତ୍ସବ ୨୦୧୮’ ତୃତୀୟ ଦିନର କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଛି । ମୁମ୍ବାଇରୁ ଆସିଥିବା ପ୍ରଖ୍ୟାତ କଣ୍ଠଶିଳ୍ପୀ ସଙ୍ଗୀତା ଆୱଲେ ଓ ସୁନାମଧନ୍ୟ ଗାୟକ ଅମିତ ପାଣିଙ୍କ ଦ୍ୱାରା ପରିବେଷିତ ଖ୍ରୀଷ୍ଟୀୟ ଆଧ୍ୟାତ୍ମିକ ସଙ୍ଗୀତ ଦର୍ଶକମାନେ ମନଭରି ଉପଭୋଗ କରିଛନ୍ତି ଏବଂ ଖ୍ରୀଷ୍ଟିମାସ ଆଗମନର ଆନନ୍ଦ ଅନୁଭବ କରିଛନ୍ତି । ନୂତନ ବର୍ଷ ନିମନ୍ତେ ସହରବାସୀଙ୍କ ପ୍ରେମ ଓ ଆନନ୍ଦ ଭରା ଅଭିନନ୍ଦନ ଜଣାଇଛନ୍ତି । ଦିଲ୍ଲୀରୁ ଆସିଥିବା ପ୍ରଖ୍ୟାତ ଆଧ୍ୟାତ୍ମିକ ପ୍ରଭାରକ ଡ଼. ପି.ଜି.ଭର୍ଗୀସ ପ୍ରଭୁ ଯୀଶୁଙ୍କ ଜନ୍ମ ସୁସମ୍ବାଦ ପରିବେଷଣ କରିଥିଲେ । ପ୍ରାରମ୍ଭରେ ମହୋତ୍ସବର ସଭାପତି ଅଭିନନ୍ଦନ ଜଣାଇ ଥିବାବେଳେ ରେଭ. ଅଜୟ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ସମ୍ପାଦକ ପଲ ସାହୁ ପ୍ରଦାନ କରିଥିଲେ । ଗିରିରୋଡ ସ୍ଥିତ ଓଡ଼ିଆ ବାଜଟିଷ୍ଟ ଚର୍ଚ୍ଚଠାରେ ସକାଳ ବେଳା ବାଇବଲ ଅଧ୍ୟୟନ ଓ ସଙ୍ଗୀତରେ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଡ଼. ପି.ବି. ଭର୍ଗୀସ ଓ ଜିତୁ ଲିମା ବାକ୍ୟ ପ୍ରଦାନ କରିଥିଲେ । ମହୋତ୍ସବ କମିଟିର ଅଧ୍ୟକ୍ଷ ଦାନିୟେଲ ଦାସ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ଏବଂ ସଂପାଦକ ପଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଗାୟକ ଅମିତା ପାଣିଙ୍କ ସଂଗୀତର ତାଳେ ତାଳେ ଉପସ୍ଥିତ ଶ୍ରୋତାବୃନ୍ଦ ମନଭୋରି ଉତ୍ସାହ ଉଦ୍ଧିପନାର ସହ ନାଚ ମଧ୍ୟ କରି ପରିବେଶକୁ ଆନନ୍ଦମୟ କରିଥିଲେ । ଝିପିଝିପି ବର୍ଷା ସତ୍ତ୍ଵେ ଖ୍ରୀଷ୍ଟି ବିଶ୍ୱାସୀ ତଥା ଉପସ୍ଥିତ ହଜାର ହଜାର ସଂଖ୍ୟାର ଜନତା କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା