ଗଜପତି ଜିଲ୍ଲାକୁ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କ ଘନଘନ ଗସ୍ତ : ବିପନ୍ନକୁ ସହାୟତାରେ ସରକାର ବିଫଳ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ତିତିଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଗଜପତି ଜିଲ୍ଲାକୁ ସଂପୂର୍ଣ୍ଣ ଧ୍ୱଂସ ବିଧ୍ୱଂସ କରିଦେଇଥିବା ବେଳେ ରାଜ୍ୟରେ ବିଜେଡି ସରକାରର ଅପାରଗତା ଓ ଲୋକଙ୍କୁ ତୁରନ୍ତ ରିଲିଫ ଦେବାରେ ଅବହେଳା କରୁଥିବାରୁ କଂଗ୍ରେସର ବରିଷ୍ଠନେତା ମାନଙ୍କର ଜିଲ୍ଲାକୁ ଘନଘନ ଗସ୍ତ କରିବାରୁ ଜିଲ୍ଲା ପ୍ରଶାସନ କିଛି ସକ୍ରିୟ ହେବାର ପରିଲକ୍ଷିତ ହେଉଛି । ଗତ ଚାରିଦିନ ତଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ୪ ଦିନିଆ ବିପନ୍ନ ଅଞ୍ଚଳ ପରିଦର୍ଶନ ଗଜପତି ଜିଲ୍ଲା ପ୍ରଶାସନଙ୍କୁ ବେଶ ସକ୍ରିୟ କରିଥିଲେ ମଧ୍ୟ ରିଲିଫ ବଣ୍ଟନ, ଅସହାୟ ଥଇଥାନ, କ୍ଷୟକ୍ଷତି ଆକଳନ, ପୁନଃରୁଦ୍ଧାର ନିର୍ମାଣ କ୍ଷେତ୍ରରେ ସମ୍ପୂର୍ଣ ଅବହେଳିତ ହୋଇଯାଉଥିବାରୁ ରାଜ୍ୟ ସ୍ତରୀୟ ନେତାମାନଙ୍କର ଗଜପତିଜିଲ୍ଲାର ଗସ୍ତ ପ୍ରକାର ଆବଶ୍ୟକ ହୋଇପଡିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, କଂଗ୍ରେସ ନେତା ଦାଶରଥି ଗମାଙ୍ଗ, ତିରୁପତି ପାଣିଗ୍ରାହୀ ପ୍ରମୁଖ ଗଜପତି ଜିଲ୍ଲା ଵିପନ୍ନ ଅଞ୍ଚଳ ଗସ୍ତ କରି ଗଙ୍ଗବାଡି଼ଠୁ ମୋହନା ପଯ୍ୟନ୍ତ ଯାଇ ଲୋକଙ୍କର ବିଭିନ୍ନ ସମସ୍ୟାକୁନେଇ ଆଲୋଚନା କରିଥିଲେ । ଗତକାଲି ଓଡିଶା ଦାୟିତ୍ୱରେ ଥିବା କଂଗ୍ରେସ ନେତା ଜିତେନ୍ଦ୍ର ସିଂଙ୍କ ନେତୃତ୍ୱରେ ରାଜ୍ୟ ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ସମେତ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ସ୍ଥାନୀୟ ବିଧାୟକ କେ.ସୁରୀୟା ରାଓ, ଅନୀଲ ଚୌଧୁରୀ, କେ.ରାମ ସ୍ୱାମୀ, ବିଭୁତି ପତ୍ର, ବସନ୍ତ ପଣ୍ଡା, ମହିଳା କଂଗ୍ରେସ ନେତ୍ରୀ ପ୍ରେମିକା ମଣ୍ଡଳ, ତିରୁପତି ପାଣିଗ୍ରାହୀ ପ୍ରମୁଖ ବିପନ୍ନ ଅଞ୍ଚଳ ଗସ୍ତ କରିଥିଲେ । ରାୟଗଡ ବ୍ଲକର ଗଙ୍ଗବାଡ ପଞ୍ଚାୟତରେ ଲୋକଙ୍କ ସହ ମିଶି ବିପନ୍ନ ପରିବାର ଗୁଡିକୁ ସାହାର୍ଯ୍ୟ କରିଥିଲେ ଓ ଅଧିକା ସାହାର୍ଯ୍ୟ ଯୋଗାଇବା ପାଇଁ ସରକାରଙ୍କ ନିକଟରେ ଦାବି କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଅତିଶୀଘ୍ର ପୁନଃ ନିର୍ମାଣ ପାଇଁ ସରକାରଙ୍କ ଗୋଚରାର୍ଥେ ପତ୍ର ଲେଖାଯିବା ବୋଲି କଂଗ୍ରେସ ନେତାମାନେ କହିଥିଲେ ।