ଗଜପତି ଉତ୍ସବ ପାଇଁ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରୀ ପାହାଡ଼ରୁ ଆସିଲା ମଶାଲ ଜ୍ୟୋତି…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଷ୍ଟାଡିୟମ ଠାରେ ଆସନ୍ତା ଜାନୁଆରୀ ୧୦ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ମଶାଲ-ଜ୍ୟୋତି ପୁରାଣ ପ୍ରସିଦ୍ଧ ମହେନ୍ଦ୍ର ଗିରି ଠାରୁ ଅଣାଯାଇଛି । ସୂଚନ ଅନୁଯାୟୀ ଗତକାଲି ସାମ୍ବାଦିକ ଗଣେଶ ରାଜୁ, ସାମ୍ବାଦିକ ବାସୁଦେବ ଦାସ, ସାମ୍ବାଦିକ ପ୍ରଭାତ କୁମାର ପାତ୍ରଙ୍କ ସମେତ କରଡାସିଂ ହାଇସ୍କୁଲର ପିଇଟି ଧୀରେନ୍ଦ୍ର ସାମଲ, ଅଭିନ୍ନ ବାସୁଦେବ ମିଶ୍ର ଏହି ୫ଜାଣିୟା ଟିମ୍ ମହେନ୍ଦ୍ର ଗିରି ମଶାଲ-ଜ୍ୟୋତି ଆଣିବା ପାଇଁ ଯାଇଥିଲେ । ସେଠାରେ ସେମାନେ ରାତ୍ର ଯାପନ କରି ଭୋର ସକାଳୁ ଉଠି ପୂଜାର୍ଚ୍ଚନା କରି ଜ୍ୟୋତିକୁ ଧରି ବାହାରି ଥିଲେ । ମହେନ୍ଦ୍ରଗିରି ପାଦଦେଶ ଠାରୁ ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ପଯ୍ୟନ୍ତ ପ୍ରତ୍ୟେକ ଅଞ୍ଚଳରେ ସରକାରୀ ଅଧିକାରୀ, ଅଞ୍ଚଳବାସୀ, ରାଜନୀତି ପ୍ରମୁଖ ରାସ୍ତାରେ ଜ୍ୟୋତିକୁ ସ୍ୱାଗତ ଜଣାଇଥିଲେ । ପାରଳାଖେମୁଣ୍ଡି ସହରର ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନଚନ୍ଦ୍ର ଭଞ୍ଜଦେବ, ଆଇଟିଡିଏ ପ୍ରଶାସକ ସୋରର ବେହେରା, ଡିସିପିଓ ଅରୁଣ କୁମାର ତ୍ରିପାଠୀ, ପାରଳାଖେମୁଣ୍ଡି ପୈାର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ପ୍ରମୁଖଙ୍କ ସହ ବହୁ ସରକାରୀ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଜ୍ୟୋତିକୁ ସ୍ୱାଗତ କରି ପାଛୋଟି ନେଇଥିଲେ । ମଶାଲ-ଜ୍ୟୋତିକୁ ସହର ପରିକ୍ରମା କରିବା ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଜ୍ୟୋତିକୁ ସ୍ଥାପନା କରାଯାଇଥିଲା ।

ରିପୋର୍ଟ : କୃଷ୍ଣ କୁମାର ବେହେରା