


ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାଜଦଣ୍ଡ ରାସ୍ତା ଠାରେ ଆଜି ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ତଥା ସମୃଦ୍ଧି ପରମ୍ପରା ସମାରୋହ ଗଜପତି ଉତ୍ସବ ଅବସରରେ ପାରଳା ପୈାରପରିଷଦ ପକ୍ଷରୁ ରାହାଗିରୀ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଉଦଘାଟନ କରିବା ସହ ଏହି ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବର ପ୍ରସାର ପ୍ରଚାର ପାଇଁ ପୋଷ୍ଟର, ବ୍ୟାନର, କ୍ୟାଲେଣ୍ଡର, ଷ୍ଟିକର ଇତ୍ୟାଦି ଉନ୍ନୋଚନ କରିଥିଲେ । ଏହି ଅବସରରେ ବିଭିନ୍ନ ପଥପ୍ରାନ୍ତ ନାଟକ ତଥା ସ୍ଥାନୀୟ କଳା ପ୍ରତିଭା ଏବଂ ଭଜନ ସଂଗୀତ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଏହି ଅବସରରେ ପାରମ୍ପରିକ ଆଦୀବାସୀ ନୃତ୍ୟ ସହ ତାଳେତାଳେ ନାଚୁଥିବା ଦେଖିବାକୁ ମିଳିଥିଲା । ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମଧ୍ୟ ପାରମ୍ପରିକ ଆଦୀବାସୀ ନୃତ୍ୟ ସହ ତାଳେତାଳେ ନାଚୁଥିବା ସହ ରଙ୍ଗବତୀ ଗୀତ ମଧ୍ୟ ଗାଇଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ପୁରାତନ ଆଖଡାମେଳା ଦେଖିବାକୁ ମିଳିଥିଲା । ଏହି ରାହାଗିରୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ରାହାଗିରୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ, ଜିଲ୍ଲା ସମ୍ମାନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୋରଜ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶେଷଦେବ ମିଶ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଡ. ସତ୍ୟ ସମ୍ପୂର୍ଣ୍ଣ ରାଉତ, ପାରଳା ପୈାର ନିର୍ବାହ ଅଧିକାରୀ ଅଶୋକ କୁମାର ରାଉତ, ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବା ବେଳେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ମଧ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା




