ଗଞ୍ଜାମଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଉଦଘାଟନ ଓ ଶିଳାନ୍ୟାସ:ବିରୋଧୀ କହିଲେ ଏହା ରାଜନୈତିକ ପ୍ରହାଳିକା …

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଦିନିକିଆ ଗଞ୍ଜାମ ଗ୍ରସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାରଥାନ ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ଛତ୍ରପୁରରେ ନୂତନ ଶୈଳୀରେ ସୌନ୍ଦର୍ଯ୍ୟ ଭାବେ ନବନିର୍ମିତ ଜିଲ୍ଲାପରିଷଦ ଭବନକୁ ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ ଶେରଗଡ଼ ଓ ହିଞ୍ଜିଳିରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ସହ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଲୋକଙ୍କ ସହ ଭେଟି ବିଭିନ୍ନ ପ୍ରସ୍ତାବ ଗ୍ରହଣ କରିଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରନସିଂ ଜରିଆରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କ ସହ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସେଠାରୁ ହେଲିକେପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଛତ୍ରପୁର ଆସି ସ୍ଥାନୀୟ ଷ୍ଟାଡିୟମରେ ଓହ୍ଲାଇ କାର ଯୋଗେ ସର୍କିଟ ହାଉସରେ କିଛି ସମୟ ବିଶ୍ରାମ ନେଇ ଅପରାହ୍ନ ୨ଟା ରେ ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟରେ ପହଞ୍ଚି ଭିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୮ କୋଟି ୬୩ ଲକ୍ଷ ଟଙ୍କା  ବ୍ୟୟରେ ନବନିର୍ମିତ ଜିଲ୍ଲା ପରିଷଦ ଭବନ ଉଦଘାଟନ କରିଥିଲେ । ଜିଲ୍ଲାପରିଷଦ ଭବନ ବୁଲି ସମ୍ମିଳନୀ କକ୍ଷରେ ପହଞ୍ଚି ସେଠାରେ କିଛି ସମୟ ବସିବା ସହ ସମସ୍ତ ଜିଲ୍ଲାପରିଷଦ  ସଦସ୍ୟମାନଙ୍କୁ ଭେଟିଥିଲେ । ଗତକାଲି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କରିଥିବାରୁ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଥିଲା । ଏହି ଅବସରେ ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ସହ ୩ କୋଟି ଚାଳିଶି ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଓ ହୋଷ୍ଟେଲ, ୩ କୋଟି ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଛତ୍ରପୁର ସନ୍ତରଣାଗାର, ୩ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଛତ୍ରପୁର ଅଞ୍ଚଳିକ ପରିବହନ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ପରେ ୭୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପୁରୁଷୋତ୍ତମପୁର ପୋଲିସ ଥାନା ଗୃହ ଉଦଘାଟନ କରିଥିଲେ ।  ସେହିପରି ୫ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ହୁମ୍ମାରେ ଏକ ଶୁଖୁଆ ବଜାର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ସେଠାରେ ତାଙ୍କର ବ୍ୟକ୍ତିଗତ ସଚ୍ଚିବ ଭି.କେ ପାଣ୍ଡିଆନ, ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ ଆରୁଖ,
ଯୋଜନା ସମନ୍ଵୟ ମନ୍ତ୍ରୀ ଉଷାଦେବୀ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗ, ବ୍ରହ୍ମପୁର ସାଂସଦ ଡ଼ଃ. ସିଦ୍ଧାନ୍ତ ମହାପାତ୍ର ଓ ଆସିକା ସାଂସଦ ଲଡୁ କିଶୋର ସ୍ୱାଇଁ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଆସିକା ବିଧାୟକ ଦେବରାଜ ମହାନ୍ତି, ଖଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଗୋପାଳପୁର ବିଧାୟକ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ, ସାନଖେମୁଣ୍ଡି ବିଧାୟକା ନନ୍ଦିନୀ ଦେବୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ, ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏପିଡ଼ି ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଡ଼ୁଡା ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚୀ ହୋତା, ଜିଲ୍ଲାପରିଷଦ ସଭ୍ୟ ଓ ସଭ୍ୟାଙ୍କ ସମେତ ବହୁ ପ୍ରଶାସନିକ ଏବଂ ପୋଲିସ ଅଧିକାରୀ ମାନେ ଉପସ୍ଥିତା ଥିଲେ । ସେହିଭଳି ଦକ୍ଷିଣାଞ୍ଚଳ ଡ଼ିଆଇଜି ଆଶିଷ କୁମାର ସିଂ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଏବଂ ବ୍ରହ୍ମପୁର ଏସପି ପିନାକ ମିଶ୍ର ଉପସ୍ଥିତ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ଆଖିଆଗରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା 
। ପୁରୁଷୋତ୍ତମପୁର ଶିବ ଶକ୍ତି ଯୁବ ସଂଘ ପକ୍ଷରୁ ବନ୍ଦର ନାଗରୀରୁ ଭାୟା ମା ତାରାତାରିଣୀ ଦେଇ ଫୁଲବାଣୀ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ଦାବିରେ ସ୍ଥାନୀୟ ଜାତୀୟ ରାଜପଥ ଅତିକ୍ରମ କରି ମୁଖ୍ୟମନ୍ତୀ ସ୍ମାରକ ପତ୍ର ପ୍ରଦାନ ନିମନ୍ତେ ଆସୁଥିବା ବେଳେ ପୋଲିସ ଏହି ସୂଚନା ପାଇ ସଂଘର ୬ ଜଣ ଯୁବକଙ୍କୁ ଛତ୍ରପୁର ଥାନାରେ ଅଟକ ରଖିଥିଲା । ଅନ୍ୟ ପକ୍ଷରେ ଆଗକୁ ସାଧାରଣ ନିର୍ଵାଚନ ଆସୁଥିବାରୁ ମୁଖ୍ୟମନ୍ତ୍ରୀଙ୍କର ଏହା ହେଉଛି ରାଜନୈତିକ ପ୍ରହଳିକା ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା