ଗଞ୍ଜାମରେ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ:ସନ୍ଧ୍ୟାରେ ପ୍ୟାକେଜ

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା ) ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବଡ ନଦୀ ଋଷିକୁଲ୍ୟାରେ ବନ୍ୟା ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ି ଋଷିକୁଲ୍ୟା ନଦୀରେ ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆସ୍କାଠାରେ ଋଷିକୁଲ୍ୟାରେ ୧୩ ଫୁଟ ପାଣି ପ୍ରବାହିତ ହେଉଛି। ଆସ୍କା-ବ୍ରହ୍ମପୁର ଜାତୀୟ ରାଜପଥ ୫୯ ନମ୍ବରରେ ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। କାଳଷଣ୍ଢପୁର ନିକଟରେ ରାସ୍ତା ଉପରେ ପ୍ରବଳ ପାଣି ପ୍ରବାହିତ ହେବା ଫଳରେ ଯାତାୟତ ଏକ ପ୍ରକାରର ବାଧାପ୍ରାପ୍ତ ହୋଇଛି। ଧରାକୋଟ ବ୍ଲକର ରେଡି ଦାମୋଦରପଲ୍ଲୀ ଗାଁରେ ୫ ଫୁଟ ପାଣି ପଶିଛି। ଫଳରେ ଏହି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।ଆସ୍କା ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ୨୭ ଟି ପଞ୍ଚାୟତର ଲୋକେ ପ୍ରଭାବିତ ହୋଇଛନ୍ତି। ବାସହୀନ ୧୦୦୯ ଜଣ ଲୋକଙ୍କୁ ବିଭିନ୍ନ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟରେ ଆଶ୍ରୟ ଦିଆଯାଇ ସେମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଖାଇବାକୁ ଦିଆଯାଉଛି।ଏସବୁ ଅଞ୍ଚଳ ଆକାଶ ମାର୍ଗରୁ ମୂଖ୍ୟମନ୍ତ୍ରୀ ନବୀନ ପଟନାୟକ ବୁଲି ଦେଖିଛନ୍ତି।କ୍ଷୟ କ୍ଷତି ହୋଇଥିବା ଧାନ ଫସଲ କ୍ଷେତ ଗୁଡିକୁ ମଧ୍ୟ ଦେଖିଛନ୍ତି। ଆଜି ସକାଳେ ହେଲିକେପଟରରେ   ଆକାଶ ମାର୍ଗରୁ ବନ୍ୟା ବିପନ୍ନ ଅଞ୍ଚଳ ବୁଲିଆସିବା ପରେ ଅଫିସର ମାନଙ୍କ ସହ ଆଲୋଚନା କରି ଆଜି ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବନ୍ୟା ପାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ଜଣାପଡିଛି।ତେବେ ଜିଲାପାଳଙ୍କ ତତ୍ୱାବଧାନରେ ବିପନ୍ନମାନଙ୍କୁ ଆକାଶ ମାର୍ଗରୁ ରିଲିଫ ବଣ୍ଟନ କରାଯାଉଛି ।ଏଥିପାଇଁ ତିନୋଟି ହେଲିକେପ୍ଟର ନିଯୋଜିତ ହୋଇଛି।ବ୍ଲକ ସ୍ତରୀୟ ଅଫିସର ମାନେ ମଧ୍ୟ ନିଜ ନିଜ ସୁବିଧା କରି ରିଲିଫ ବଣ୍ଟନ କରୁଥିବା ଖବର ମିଳିଛି ।ଏପରିକି ସୁଵିଧାନେଇ ଟ୍ରାକଟରରେ ମଧ୍ୟ ରିଲିଫନେଇ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି।

ଅନ୍ୟପାଖରେ ବନ୍ୟାବିପନ୍ନଙ୍କୁ ଉପଯୁକ୍ତ ସମୟରେ ରିଲିଫ ସହାୟତା ଯୋଗାଇବାରେ ଜିଲାପାଳଙ୍କ ଭୂମିକା ପ୍ରଶଂନୀୟ ବୋଲି କୁହାଯାଉଥିବା ବେଳେ ଗଜପତି ଜିଲା ରାୟଗଡ଼ ବ୍ଲକରେ ପାହାଡ଼ ଖସି ବାର ଜଣଙ୍କ ମୃତ୍ୟୁ ଖବର ଶୁଣି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଥିଲେ ।ସେମାନଙ୍କ ପରିବାର ପାଇଁ ମଧ୍ୟ କିଛି ସହାୟତା ଘୋଷଣା କରି ପାରନ୍ତି ବୋଲି ମଧ୍ୟ ଆଶା ପ୍ରକାଶ ପାଇଛି।