

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମରେ ବୋମା ମାଡ଼ରେ ଯୁବ ବିଜେଡି ନେତା ସୁଧୀର ପାଢ଼ୀ ଓ ତାଙ୍କ ଡ୍ରାଇଭର ଗଣେଶ ବାରିକ ଆହତ ହୋଇଥିବା ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଗୁରୁବାର ସନ୍ଧ୍ୟା ୭.୩୦ ମିନିଟ ସମୟରେ ସୁଧୀର ଓ ତାଙ୍କ ଡ୍ରାଇଭର ନିଜର ଟାଟା ସୁମୋ ଗାଡ଼ିରେ ସାନ ବଜାର ଛକରେ ବସିଥିଲେ । ଏତିକି ବେଳେ ଅଚାନକ ଗୋଟିଏ ବାଇକରେ ତିନି ଜଣ ଯୁବକ ଆସି ସୁଧିରଙ୍କୁ ଲକ୍ଷ କରି ଏକ ବୋମା ଫୋପାଡ଼ି କେଉଁ ଆଡେ ଫେରାର ହୋଇଯାଇଥିଲେ । ଫଳରେ ସୁଧୀର ଓ ତାଙ୍କ ଡ୍ରାଇଭର ଦୁହେଁ ଆହତ ହୋଇଥିଲେ । ଫଳରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଗଞ୍ଜାମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ ପରେ ଛତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେମାନଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।


ଖବର ପାଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଧନଞ୍ଜୟ ରେଡିଙ୍କ ସହ ବିଜେଡିର ସଭାପତି ଓ କର୍ମୀମାନେ ସେଠାରେ ପହଞ୍ଚିଥିଲେ ।


ଏହି ଘଟଣାର ଖବର ପାଇ ଗଞ୍ଜାମ ଥାନା ଅଧିକାରୀ ସୁଦାମ ମଲ୍ଲିକ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଓ ଏସଡ଼ିପିଓ ଉତ୍କଳ କେଶରୀ ଦାଶ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ସମସ୍ତ ଦୋକାନ ବଜାର ଆଦି ବନ୍ଦ ହୋଇଯାଇଛି । ଏଠାରେ ପ୍ରକାଶଥାଉ କି, କିଛି ମାସ ତଳେ ବ୍ୟାଙ୍କ ରୋଡ଼ରେ ଏକ ବାଇକରେ ୨ଜଣ ଅଜଣା ଯୁବକ ସୁଧୀରକୁ ବନ୍ଧୁକ ଦେଖାଇଥିବା ବେଳେ ସୁଧୀର ଜଣଙ୍କ ଘରେ ପଶି ଯାଇ ନିଜ ଜୀବନକୁ ରକ୍ଷା କରିଥିଲେ । କିଛି ଦୁର୍ବୁତ୍ତ ପୂର୍ବରୁ ତାଙ୍କୁ ବାରମ୍ବାର ଦାଦାବଟି ମାଗୁଥିବାରୁ ସେ ଦାଦାବଟି ଦେବାକୁ ମନା କରି ଦେଇଥିଲେ । ଏଣୁ ତାଙ୍କୁ ଆକ୍ରମଣ କରାଯାଇଥିବା ସହରରେ ଚର୍ଚ୍ଚା ହେଉଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା