ଛତ୍ରପୁର (ସମୃଦ୍ଧ ଓଡିଶା) ବାହାର ରାଜ୍ୟରେ ଦୈନିକ ମଜୁରିଆ ଭାବେ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିବା ସୁରତ ଓ ଆଖପାଖ ଅଞ୍ଚଳରୁ ପାଖାପାଖି ୨ ଲକ୍ଷ ଦାଦନ ଶ୍ରମିକ ଗଞ୍ଜାମ ଫେରୁଥିବାର ଆକଳନ କରାଯାଇଛି । ସେଥିମଧ୍ୟରୁ ମାତ୍ର ୨୧୭ ଜଣ ଦାଦନ ଶ୍ରମିକ ଗତକାଲି ରାତିରେ ୪ ବସ ଯୋଗେ ଆସି ପହଞ୍ଚିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ସେମାନଙ୍କୁ କ୍ୱାରାଣ୍ଟାଇନ୍ରେ ରଖିଛନ୍ତି । ସମସ୍ତଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯାଇଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ପୂର୍ବାହ୍ନରେ ସୂଚନା ଦେଇଛନ୍ତି । ସମସ୍ତଙ୍କର ସ୍କ୍ରିନିଂ ପରେ ଏମାନଙ୍କୁ ଧରାକୋଟ ଓ ଶେରଗଡ଼ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଖୋଲାଯାଇଥିବା ଆଇସୋଲେଶନ୍ ସେଣ୍ଟରରେ ୧୪ ଦିନିଆ କ୍ୱାରାଣ୍ଟାଇନ୍ରେ ରଖାଯାଇଛି । ସମସ୍ତଙ୍କ ପାଇଁ ଖାଇବା, ସ୍ୱଚ୍ଛ ପାନୀୟ ଜଳ, ସ୍ଵାସ୍ଥ୍ୟ ଯାଞ୍ଚ ଆଦି ଆନୁସଙ୍ଗିକ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି । ପ୍ରତି ଆଇସୋଲେଶନ ସେଣ୍ଟର ପାଇଁ ଜଣେ ଲେଖାଏ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ସ୍ୱତନ୍ତ୍ର କୋଭିଡ୍ ଆମ୍ବୁଲାନ୍ସ, ଡାକ୍ତରୀ ଟିମ୍, ଦମକଳ ବାହିନୀ ସେଠାରେ ଉପସ୍ଥିତ ଅଛନ୍ତି । ସେଣ୍ଟର ବାହାରେ ପୋଲିସ ମୁତୟନ କରାଯାଇଛି । ଅପରପକ୍ଷରେ ଏହି କେନ୍ଦ୍ରଠାରୁ ଦୂରେଇ ରହିବା ଓ ଏହାର ନିକଟ କେନ୍ଦ୍ରକୁ ନ ଯିବାକୁ ଜନସାଧାରଣଙ୍କୁ ଜିଲାପାଳ ପରାମର୍ଶ ଦେଇଛନ୍ତି । ଏମାନଙ୍କ ଠାରୁ କରୋନା ଭୁତାଣୁ ସଂକ୍ରମଣ ହେବାର ସମ୍ଭାବନା ରହିଥିବାରୁ ଏହି କେନ୍ଦ୍ରଗୁଡ଼ିକ ଠାରୁ ଦୂରେଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଯଦି କିଏ ଅବମାନନା କରେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚେତାବନୀ ଦେଇଛନ୍ତି । ଛତ୍ରପୁରସ୍ଥିତ କୋଭିଡ୍ ସେଲ୍ ଏହାର ମନିଟରିଂ କରୁଛନ୍ତି । ଏହି ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଧରାକୋଟର ୫୮ ଜଣ, ଶେରଗଡ଼ର ୪୩, ବେଲଗୁଣ୍ଠାର ୩୩, ଆସିକାର ୧୮, ଜଗନ୍ନାଥପ୍ରସାଦର ୨୦, ଭଞ୍ଜନଗରର ୧୧, ହିଞ୍ଜିଳିର ୭, ସାନଖେମୁଣ୍ଡିର ୧୦, ପୋଲସରା, ବୁଗୁଡ଼ା ଓ ପୁରୁଷୋତ୍ତମପୁର ୨ ଜଣ ଲେଖାଏ, ସୋରଡ଼ାର ୯, କବିସୂର୍ଯ୍ୟନଗର ଓ ଦିଗପହଣ୍ଡିର ଜଣେ ଲେଖାଏ ରହିଛନ୍ତି । ଆହୁରି ପ୍ରବାସୀ ଓଡ଼ିଆମାନେ ଗୁଜୁରାଟରେ ରହି ହଇରାଣ ହରକତ ହୋଉଥିବା ବେଳେ ସେମାନେ ମଧ୍ୟ ପାଖାପାଖି ୨ ଲକ୍ଷ ଦାଦନ ଶ୍ରମିକ ଫେରିବାର ସମ୍ଭାବନା ରହିଛି । ଏହି ସମସ୍ତ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନଧି ନିମାଇଁ ଚରଣ ପଣ୍ଡା