

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ସଡକ ସୁରକ୍ଷା ସପ୍ତାହ ଚଳିତ ମାସ ୧୮ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଅନୁଷ୍ଠିତ ହେବ । ସମସ୍ତ ବିଭାଗର ମିଳିତ ସହଯୋଗ କ୍ରମେ ଏହି ସଚେତନତା ସପ୍ତାହ ପାଳନ କରାଯିବ । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟର କର୍ମଚାରୀ ଓ ଅଧିକାରୀଗଣ ଦୁଇଚକିଆ ଯାନରେ ଯାତାୟତ କଲାବେଳେ ନିଶ୍ଚିତ ରୂପେ ହେଲମେଟ୍ ବ୍ୟବହାର ସହିତ ସଡକ ସୁରକ୍ଷା ନିୟମ ମାନି ଚଳିବେ । ଚଳିତ ମାସ ୨୧ ତାରିଖ ଦିନ ଜିଲ୍ଲାର ସମସ୍ତ ଅଞ୍ଚଳରେ ପୂର୍ବାହ୍ନ ୯ଘ. ସମୟରେ ରାସ୍ତା ସୁରକ୍ଷା ସକାଶେ ପ୍ରତିଜ୍ଞା ଗ୍ରହଣ କରିବେ । ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସାମିଲ କରି ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଅନୁଷ୍ଠିତ ପ୍ରସ୍ତୁତି ବୈଠକର ଅଧ୍ୟକ୍ଷତା କରି ଜଣାଇଥିଲେ । ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଶୁକ୍ରବାର ସଡକ ସୁରକ୍ଷା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେଯେ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରଦାନ ପୂର୍ବରୁ ପ୍ରଶିକ୍ଷଣ ପ୍ରାପ୍ତ ଏବଂ ଗାଡି ଚାଳନାର ଅଭିଜ୍ଞତା ଜ୍ଞାନ ଥିବା ବ୍ୟକ୍ତିକୁ ହିଁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବା ସକାଶେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦୁଇଚକିଆ ଗାଡି ଚାଳକ ହେଲମେଟ୍ ବ୍ୟବହାର କରୁନଥିଲେ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ଦିଗରେ ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ/ବ୍ୟାଜ୍ୟାପ୍ତ କରାଯିବ । ୧୮ ବର୍ଷରୁ କମ୍ ବୟସର ପାଠପଢୁଆ ଛାତ୍ରଛାତ୍ରୀ ଦୁଇ ଚକିଆ ଯାନ ଚଳାଉଥିବା ନଜରକୁ ଆସୁଛି । ସେମାନଙ୍କୁ ଅଟକାଯାଇ ସେମାନଙ୍କ ଅଭିଭାବକଙ୍କୁ ଡକାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବ୍ରହ୍ମପୁର ହଳଦିଆ ପଦର ଏବଂ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଜାତୀୟ ରାଜପଥରେ ଅଣ୍ଡରପାସ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଏନ୍. ଏଚ୍. ଆଇ. ପ୍ରତିନିଧିଙ୍କ ଠାରୁ ଜିଲ୍ଲାପାଳ ବୁଝିଥିଲେ । ଛତ୍ରପୁର, ଗୋପାଳପୁର ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠାନ ରହିଛି । ଏଣୁ ରାସ୍ତାର ପ୍ରଶସ୍ତି କରଣ ଓ ସୁରକ୍ଷାର ବିଭିନ୍ନ ଦିଗ ପ୍ରତି ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା ହୋଇଥିଲା । ବସ୍ ଗୁଡିକ ବସ୍ ଷ୍ଟପ୍ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ରଖି ଯାତ୍ରୀ ଉଠାଉଥିବା ହେତୁ ରାସ୍ତା ଅବରୋଧ ହେଉଛି । ଏ ଦିଗରେ ବସ୍ ମାଲିକ ସଂଘର ଉପସ୍ଥିତ ସଭ୍ୟ ମାନଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । କେଶପୁର ଠାରୁ ହଳଦିଆ ପଦର ପର୍ଯ୍ୟନ୍ତ ଏକ କମିଟି ଦ୍ବାରା ଯାଂଚ୍ ହେବ । କେଉଁ ଠାରେ ବ୍ରିଜ୍, ଅଣ୍ଡର ପାସ୍, ପ୍ରଶସ୍ତି କରଣ ଏବଂ ଅନ୍ୟାନ୍ୟ ଆବଶ୍ୟକତା ରିପୋର୍ଟ ଦେବେ । ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମଦ୍ୟପାନ କରି ଗାଡିଚଳାଉଥିବା ହେତୁ ଅଧିକ ଦୁର୍ଘଟଣା ଘଟୁଛି । ଏଣୁ ଏ ଦିଗରେ କଡା ପଦକ୍ଷେପ ଗ୍ରହଣ କରାଯିବ । ବିନା ଅନୁମତି ଥାଇ ଉଠା ଦୋକାନୀ/ଠେଲା ଦୋକାନୀ ବେପାରୀ ରାସ୍ତା ପାର୍ଶ୍ବରେ ଦୋକାନ ଖୋଲୁଛନ୍ତି, ସେମାନଙ୍କୁ ହଟାଯିବ । ଜାତୀୟ ରାଜପଥ ପାର୍ଶ୍ବରେ ଟ୍ରକ୍ କମ୍ପ୍ଳେକ୍ସ ନିର୍ମାଣ କରି ସେଥିରେ ପାର୍କିଂ, ରିଫ୍ରେସମେଣ୍ଟ ବ୍ୟବସ୍ଥା କରିବାକୁ ଟ୍ରକ୍ ମାଲିକ ସଂଘର ଉପସ୍ଥିତ ସଭ୍ୟମାନଙ୍କୁ ଜଣାଇଥିଲେ । ଯେଉଁ ଢାବା ଗୁଡିକର ପାର୍କିଂ ସୁବିଧା ନାହିଁ ସେମାନଙ୍କୁ ଢାବା ଚଲାଇବା ନିମନ୍ତେ ଅନୁମତି ଦିଆଯିବ ନାହିଁ । ବସ୍, ଅଟୋ ଗୁଡିକରେ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଉଥିବା ନଜର ଆସୁଛି । ଏ ଦିଗରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ୱାସ୍ଥ୍ୟ କ୍ୟାମ୍ପ କରି ଚାଳକ ମାନଙ୍କର ଚକ୍ଷୁ ପରୀକ୍ଷା କରାଯିବ । ଗତ ୨୦୨୦ ମସିହାରେ ୧୫୦୬୩ ଇ ଚାଲାଣ କଟାଯାଇ ୨୭୪୧୩୯୯୧ ରାଜସ୍ୱ ଆଦାୟ ହୋଇଥିବା ସୂଚନା ମିଳିଛି । ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ ସଡକ ସୁରକ୍ଷା ସପ୍ତାହ ପାଳନର ବିଶଦ ବିବରଣୀ ଉପସ୍ଥାପନ କରିଥିଲେ ।ବୈଠକରେ ମହାନଗର ନିଗମ କମିଶନର୍ ଡ. ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର ପ୍ରଭାତ ଚନ୍ଦ୍ର ରାଉତରାୟ, ଟ୍ରକ୍ ମାଲିକସଂଘ, ବସ୍ ମାଲିକ ସଂଘର ସଦସ୍ୟ ବୃନ୍ଦ, କମିଟିର ସଂପୃକ୍ତଥିବା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

