ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଚାଲିଛି ଇଟାଭାଟି…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଇଟାଭାଟି ଚାଲିଥିବା ସୂଚନା ମିଳିଛି । ରାଜସ୍ୱ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଏନଜିଟିର ନିର୍ଦ୍ଦେଶନାମା ପାଳନ ହେଉନାହିଁ । ଏହା ଉପରେ ଦୃଢ ପଦକ୍ଷେପ ନିଆଯାଉ ନ ଥିବାରୁ ରାଜସ୍ୱ ହାନି ସହ ପରିବେଶ ପ୍ରଦୂଷିତ ହେଉଛି । ଏପରିକି ଋଷିକୂଲ୍ୟା ନଦୀ ପାଖରେ ମଧ୍ୟ ଇଟାଭାଟି କରାଯାଉଛି । ଲୋକଙ୍କୁ ଇଟାଭାଟି ମାଲିକମାନେ ମନଇଚ୍ଛା ଦରରେ ଇଟା ବିକ୍ରି କରି ଲାଭବାନ ହେଉଥିବା ଅଭିଯୋଗ ହୋଇଛି । ଛତ୍ରପୁର, ଗଞ୍ଜାମ ସମେତ ବିଭିନ୍ନ ତହସିଲ ଅଞ୍ଚଳରେ ଏପରି ବେଆଇନ ଭାବେ ଇଟାଭାଟି ଚାଲିଛି । ଏପରିକି ବାହାର ଜିଲ୍ଲାର ଶ୍ରମିକମାନଙ୍କୁ ଦଲାଲମାନଙ୍କ ଜରିଆରେ ଆଣି ଉକ୍ତ ଇଟାଭାଟିରେ ନିୟୋଜିତ କରାଯାଉଛି । ବିଭିନ୍ନ ସମୟରେ କହିବା ମୁତାବକ ମଜୁରୀ ମଧ୍ୟ ଶ୍ରମିକମାନଙ୍କୁ ମିଳୁ ନ ଥିବା ଘଟଣା ଦୃଷ୍ଟିକୁ ଆସିଛି । ଗତ ସପ୍ତାହରେ ଗଞ୍ଜାମ ବ୍ଲକ ସୁବଳୟାରେ ଥିବା ଇଟାଭାଟି ଶ୍ରମିକମାନଙ୍କଠାରେ ଘଟିଥିବା ଘଟଣା ଏହାର ଉଦାହରଣ । ଆହୁରି ଜଣାଯାଇଛି ଇଟାଭାଟି ଗୁଡିକରେ ଅନ୍ୟ ଜିଲ୍ଲାର ଶ୍ରମିକମାନେ ନିଜ ପରିବାର ସଦସ୍ୟଙ୍କ ସହ ଆସି ଏଠାରେ କାମ କରୁଛନ୍ତି । ଏପରିକି ପରିବାରର ସଦସ୍ୟଙ୍କ ସହ ତାଙ୍କ ଶିଶୁମାନେ ମଧ୍ୟ ଇଟାଭାଟି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଫଳରେ ଶିଶୁମାନଙ୍କ ପାଠ ପଢ଼ା ଅଧାରୁ ବନ୍ଦ ହୋଇଯାଉଛି । ଛତ୍ରପୁର ତହସିଲ ଅଧୀନ ବିଭିନ୍ନ ଅଞ୍ଚଳରେ ମଧ୍ୟ ଏପରି ବେଆଇନ ଭାବେ ଇଟାଭାଟି ଚାଲୁଥିବା ଜଣାପଡିଛି । ଅପରପକ୍ଷରେ ଗଞ୍ଜାମ ବ୍ଲକ ସୁବଳୟା ନିକଟରେ ଥିବା ଇଟାଭାଟିରେ ନିୟୋଜିତ ବରଗଡ଼ ଜିଲ୍ଲାର ଶ୍ରମିକମାନଙ୍କ ଘଟଣା ଏବଂ ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଚାଲୁଥିବା ଓ ଶିଶୁମାନଙ୍କୁ ଏଥିରେ ନିୟୋଜିତ କରୁଥିବା ନେଇ ଅଭିଯୋଗ ସମ୍ପର୍କରେ ଜିଲ୍ଲପାଳ ଅବଗତ ହୋଇଛନ୍ତି । ଏହାପରେ ସବୁ ଇଟାଭାଟି ଗୁଡିକ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଗତ ସପ୍ତାହରେ କମ ମଜୁରୀ ଏବଂ ବାତ୍ୟା ଫନି ବେଳେ ଭାଟି ମାଲିକ କୌଣସି ବ୍ୟବସ୍ଥା କରି ନ ଥିବାରୁ ବରଗଡ଼ ଜିଲ୍ଲାରୁ ଆସିଥିବା ୮୦ ଶ୍ରମିକ ସୁବଳୟା ନିକଟ ଇଟାଭାଟିରୁ ଲୁଚି ପଳାଇ ଆସିଥିଲେ । ଏଥିରେ କେତେକ ହୁମ୍ମା ଷ୍ଟେସନରେ ଥିବାବେଳେ ଅନ୍ୟ ଶ୍ରମିକମାନେ ଛତ୍ରପୁର ଆସି ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଇଥିଲେ । ଏହାପରେ ଏହି ୮୦ ଶ୍ରମିକଙ୍କ ଖାଇବା ବ୍ୟବସ୍ଥା କରିବା ସହ ସେମାନଙ୍କୁ ଘରକୁ ଜିଲ୍ଲାପାଳ ପଠାଇଥିଲେ । ଇଟାଭାଟି ସିଲ କରାଯିବା ସହ ମାଲିକମାନଙ୍କୁ ୪୦ ହଜାର ଟଙ୍କା ଜରିମାନା ସହ କାରଣଦର୍ଶାଅ ନୋଟିସ ଗଞ୍ଜାମ ତହସିଲଦାରଙ୍କ ପକ୍ଷରୁ କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା