


ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ପାଇଁ ଗଞ୍ଜାମ ଜିଲ୍ଲାର ୧୦୪ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ ଅନୁଷ୍ଠିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ସଚେତନତା ସଭା, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପକ୍ଷରୁ ବିପର୍ଯ୍ୟୟ ବେଳେ ବିଭିନ୍ନ ଉଦ୍ଧାର କୌଶଳ ପ୍ରଦର୍ଶନ କରାଯାଇଥିଲା । ବାତ୍ୟା ଆସୁଛି କହି ଗାଁରୁ ଲୋକଙ୍କୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ବିପର୍ଯ୍ୟୟ ମୁକାବିଲା ପାଇଁ କଣ ସବୁ ପଦକ୍ଷେପ ନେବା କଥା, ପ୍ରଶାସନର ସୂଚନାକୁ ସମ୍ମାନ ଦେବା, ସୁରକ୍ଷିତ ସ୍ଥାନକୁ ନିଜେ ଓ ଅନ୍ୟମାନଙ୍କୁ ଆଣିବା ଆଦି ନେଇ ପରାମର୍ଶ ଦିଆଯାଇଥିଲା । ଦୁଇ ଅତିରିକ୍ତ ଜିଲ୍ଲପାଳ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମନିଟରିଂ କରିଥିଲେ । ଚିକିଟି ବ୍ଲକ ଅଧୀନ ପାତିସୋନପୁର ଓ ଗଞ୍ଜାମ ବ୍ଲକ ଶତୃସଲ ଗାଁର ବାତ୍ୟା ଆଶ୍ରୟ ସ୍ଥଳୀରେ ମକଡ୍ରିଲ ପାଇଁ ଅୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଓସଡ଼ମା ମୁଖ୍ୟ ଜେନେରାଲ ମ୍ୟାନେଜର ଡ଼.ପ୍ରଦୀପ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠି ଯୋଗ ଦେଇଥିଲେ । ବିପର୍ଯ୍ୟୟ ମୁକାବିଲା ପାଇଁ କେତେ ପ୍ରସ୍ତୁତ ଅଛୁ ସେ ସମ୍ପର୍କରେ ଜାଣିବା ଏହି ମକଡ୍ରିଲର ମୁଖ୍ୟ ଲକ୍ଷ୍ୟ ବୋଲି କହାଯାଇଥିଲା । ସେହିପରି ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁରେ ଥିବା ବାତ୍ୟା ଆଶ୍ରୟସ୍ଥଳରେ ମକଡ୍ରିଲ ଆୟୋଜିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ସଚେତନ ହେଲେ ହିଁ ବିପର୍ଯ୍ୟୟର ମୁକାବିଲା କରିହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ପଞ୍ଚାୟତ ନିର୍ବାହୀ ଅଧିକାରୀ ତପସ୍ୱିନୀ କହଁର, ସମିତିସଭ୍ୟା ବାସନ୍ତୀ ଯାନୀ, ଅଗ୍ନିଶମ ଅଧିକାରୀ କୈଳାସ ଚନ୍ଦ୍ର ସାହୁ, ବିପିଏମ ମାନିନୀ ଜେନା, ଆଶ୍ରୟସ୍ଥଳୀ କମିଟି ସମ୍ପାଦକ ଅଶୋକ ପଲେଇଙ୍କ ସମେତ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ମହିଳା ସଂଘ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ମକଡ୍ରିଲକୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦେବରାଜ ପାତ୍ର, ଡିପିଓ ପ୍ରଭୁପ୍ରସାଦ ମହାରଣା, ସଂଯୋଜନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






