


ପୋଲସରା (ସମୃଦ୍ଧ ଓଡିଶା) ଗତ ୫ ତାରିଖ ତଥା ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଉତ୍କଳ ମହିଳା ସମିତିର ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଗତକାଲି ଉଦଯାପିତ ହୋଇଯାଇଛି । ସ୍ଥାନୀୟ ସୋନୁ ସାଗର ଲଜର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଥିବା ସମ୍ମିଳନୀକୁ ଉତ୍କଳ ମହିଳା ସମିତିର ବୟୋଜ୍ୟେଷ୍ଠ ନେତ୍ରୀ ବନଲତା ଜେନା ଉଦଘାଟନ କରି ସାମ୍ପ୍ରତିକ ସମାଜରେ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ମହିଳାମାନେ ସଂଗଠିତ ଭାବେ ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଆୟୋଜିତ ସାଧାରଣ ସଭାରେ ମହିଳା ସମିତିର ରାଜ୍ୟ ସଭାନେତ୍ରୀ ପ୍ରମୋଦିନି ପାଇକରାୟ, ସାଧାରଣ ସମ୍ପାଦିକା ପ୍ରଭାବତି ଦାସ, ସମ୍ପାଦିକା ଜିନ୍ମୟୀ ସାହାଣୀ ଏବଂ ରେଣୁକା ଦୋରା ପ୍ରମୁଖ ଉଦବୋଧନ ଦେଇ ମହିଳା ମାନଙ୍କ ଭୋଟ ପାଇ ସରକାର ଗଢୁଥିବା ନେତା ମାନେ ମହିଳା ମାନଙ୍କୁ ସର୍ବାଧିକ ଉପେକ୍ଷା କରିଥାନ୍ତି ବୋଲି ଅଭିଯୋଗ କରିଥିଲେ । ସମ୍ମିଳନୀ ଶେଷରେ ଆଗାମୀ ତିନି ବର୍ଷ ସକାଶେ ଆର୍ ବିଜୟ ଲକ୍ଷ୍ମୀ ଗଞ୍ଜାମ ଜିଲ୍ଲା ସଭାନେତ୍ରୀ, ଆରତୀ ଗୌଡ, ଜ୍ୟୋତ୍ସା ମହାରଣା ଓ ଗୌରୀ ପ୍ରଧାନଙ୍କୁ ଉପ ସଭାନେତ୍ରୀ ଭାବରେ ସର୍ବସମ୍ମତ ଭାବେ ନିର୍ବାଚିତ କରାଯାଇଥିଲା । ସେହିପରି ପି. ରେଣୁକା ଦୋରାଙ୍କୁ ସାଧାରଣ ସମ୍ପାଦିକା ଏବଂ ଜୟନ୍ତୀ ପ୍ରଧାନ, ରଶ୍ମିତା ଦୋରା ଓ ସୁଜଳା ସ୍ୱାଇଁଙ୍କୁ ସମ୍ପାଦିକା ଏବଂ ପ୍ରମିଳା ଲେଙ୍କାଙ୍କୁ କୋଷାଧକ୍ଷା ଭାବେ ନିର୍ବାଚିତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ମହିଳା ସମିତିର ଲାଲ ପତାକା ଧରି ସହର ପରିକ୍ରମା କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା











