ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରସ୍ଥିତ ସମର୍ଥ ଆବାସିକ ସ୍ୱତନ୍ତ୍ର ବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଗତକାଲି ଅନୁଷ୍ଠିତ ହୋଇଯାଇଛି l ପ୍ରତିବର୍ଷ ଏହି ଦିବସକୁ ସମର୍ଥ ପକ୍ଷରୁ ମହା ଆଡମ୍ବରରେ ପାଳନ କରାଯାଉଥିବା ବେଳେ କରୋନା ମହାମାରୀ ଯୋଗୁଁ ଏହା ଗତ ୨ ବର୍ଷ ହେଲା ପାଳନ ହୋଇ ପାରୁନାହିଁ l ଏହିପରି ବିପରୀତ ପରିସ୍ଥିତିରେ ମଧ୍ୟ ଅନୁଷ୍ଠାନ ତା’ର କାର୍ଯ୍ୟକ୍ରମମାନ ଯଥା ସମ୍ଭବ ସମ୍ପାଦନା କରି ଆସୁଛି ବୋଲି ଅନୁଷ୍ଠାନର ସମ୍ପାଦକ ଡ଼କ୍ଟର କେ. ଆନନ୍ଦ ରାଓ ପ୍ରକାଶ କରିଛନ୍ତି l ଆଜି ଏହି ଅନୁଷ୍ଠାନ ତା’ର ନିଜସ୍ୱ ସ୍ଥାନ ସାମୀୟାପଲ୍ଲୀଠାରେ ବୃକ୍ଷରୋପଣ ସହ ଡାମେୟାନ ନଗରଠାରେ ଥିବା ୪୮ ଭିନ୍ନକ୍ଷମ ପରିବାରର ୧୨୦ ଜଣ ଲୋକଙ୍କୁ ଖାଦ୍ୟ ବିତରଣ କରିଥିଲେ l ବିଗତ ୨୧ ବର୍ଷ ଭିତରେ ଏହି ଅନୁଷ୍ଠାନଟି ବହୁ ସଫଳତା ହାସଲ କରିଅଛି ଯଥା – ୪୯ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାଟ୍ରିକ ପାସ କରିଛନ୍ତି l ଭାରତ ଇତିହାସରେ ପ୍ରଥମଥର ପାଇଁ ୱିଲ୍‌ ଚେୟାର (Wheel Chair)ରେ ବସିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀ ବିଜ୍ଞାନରେ +୨ ଉତ୍ତୀର୍ଣ୍ଣ ହେବା ସହ ଡାକ୍ତରୀ ଡ଼ିଗ୍ରୀ ହାସଲ କରି ପାରିଛନ୍ତି l ଏଠାରେ ପଢ଼ୁଥିବା ପିଲାମାନେ ଏମ୍‌ଟେକ୍‌, ସିଟି, ବି.ଇ.ଡି. ଏବଂ ଓକିଲାତି ଆଦି ପାଠ ସାରି ବହୁ ଛାତ୍ରଛାତ୍ରୀ ଶିକ୍ଷକ, କନିଷ୍ଠ କିରାଣୀ, ଡାଟା ଏଣ୍ଟ୍ରି ଅପରେଟର, ଫାର୍ମାସିଷ୍ଟ, ଅଙ୍ଗନବାଡି କର୍ମୀ ଆଦି ପଦବୀରେ ନିଯୁକ୍ତି ପାଇଛନ୍ତି l ଏଥିପାଇଁ ଅନୁଷ୍ଠାନ ବହୁଥର ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ ଓ ଜାତୀୟସ୍ତରରେ ମଧ୍ୟ ସମ୍ମାନୀତ ଓ ପୁରସ୍କୃତ ହୋଇଛି l ଗତ ବର୍ଷ ନାଲକୋ ସ୍ମାଇଲ୍ସ ସମ୍ମାନ ୨୦୨୦ରେ ସମ୍ମାନୀତ ହୋଇ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ଏକ ଲକ୍ଷ ଅର୍ଥରାଶି ପାଇ ପାରିଛି l ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘ ତରଫରୁ ଘୋଷଣା କରାଯାଇଥିଲା ଯେ, ଚଳିତବର୍ଷ ମହାସଂଘ ତରଫରରୁ ୩ଟି ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ l ସେଥିମଧ୍ୟରୁ ବ୍ରହ୍ମପୁରଠାରେ ସ୍ୱପରାୟଣାତା ଓ ବହୁବିଧ ଭିନ୍ନକ୍ଷମ (Autistic/Multiple Disabled) ପିଲାମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ବିଦ୍ୟାଳୟ, ଛତ୍ରପୁର ଠାରେ ଭିନ୍ନକ୍ଷମ ଯୁବକଯୁବତୀମାନଙ୍କ ନିମନ୍ତେ ଏକ ଧନ୍ଦାମୂଳକ ତାଲିମକେନ୍ଦ୍ର ଓ ସାମିୟାପଲ୍ଲୀ ଠାରେ ଶାରୀରିକ ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିମାନଙ୍କ ନିମନ୍ତେ ଏକ ବୃଦ୍ଧାଶ୍ରମ ପ୍ରତିଷ୍ଠା କରାଯିବ ବୋଲି ମହାସଂଘର ସାଧାରଣ ସଂପାଦକ ଶ୍ରୀ ରାଓ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୱାଇ. ୠକ୍ଷ୍ମୀ, କୋଷାଧ୍ୟକ୍ଷ ଡା.ସରୋଜିନୀ ସେଠୀ, ସମର୍ଥ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଟା ମିଶ୍ର ଓ ମହାସଂଘର ଅନ୍ୟତମ ସଦସ୍ୟ ତଥା ସହକାରୀ ଶିକ୍ଷକ ଶଙ୍କର ମହାନ୍ତି ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା