

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ ଆସନ୍ତା ୧୭ ତାରିଖରେ ଜିଲ୍ଲାରେ ନିର୍ଭୟ କାଢି ଓ ସ୍ୱୟଂସିଦ୍ଧା ଯୋଜନା ଶୁଭାରମ୍ଭ କରାଯିବ । ବାଲ୍ୟ ବିବାହ ରୋକିବା ଏବଂ କିଶୋରୀ ମାନଙ୍କୁ ସମ୍ମାନରେ ବଞ୍ଚିବା ପାଇଁ ନିର୍ଭୟ କଢି କାର୍ଯ୍ୟକ୍ରମ ରହିଥିବା ବେଳେ ବନ୍ୟା ଓ ବାତ୍ୟା ସମ୍ବନ୍ଧରେ ଉପକୂଳବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀମାନଙ୍କୁ ତାଲିମ ପ୍ରଦାନ କରିବା ପାଇଁ ସ୍ୱୟଂସିଦ୍ଧା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଛି । ନିର୍ଭୟ କଢି ପାଇଁ ଜିଲ୍ଲାର ପ୍ରତ୍ୟେକ ଦ୍ଵିତୀୟ ଶନିବାର ରହିଥିଲା ତାହାକୁ ପରିବର୍ତ୍ତନ କରି ଦ୍ଵିତୀୟ ରବିବାର ଦିନ ସ୍ଥିର କରାଯାଇଛି । ସେହିପରି ସ୍ୱୟଂସିଦ୍ଧା କାର୍ଯ୍ୟକ୍ରମ ନିମନ୍ତେ ପ୍ରତି ଗ୍ରାମ ପଞ୍ଚାୟତରେ ୫୦ ଜଣିଆ ସ୍ୱୟଂ ସହାୟିକା ମହିଳାମାନଙ୍କୁ ଏକତ୍ରିତ କରାଯିବ । ସେହିପରି ଜିଲ୍ଲାର ୫୦୩ ଗୋଟି ପଞ୍ଚାୟତରେ ଉକ୍ତ ଦିନରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାର ସମସ୍ତ ଲାଇନ ବିଭାଗ ଅଧିକାରୀମାନେ ଉପସ୍ଥିତ ରହିବେ । ସେହିପରି ଗର୍ଭବତୀ ମା’ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିଭିନ୍ନ କାର୍ଯ୍ୟସେବା ପାଇଁ ଏକ ଆପ ପ୍ରସ୍ତୁତ କରାଯିବ । ଅକ୍ଟୋବର ୧ତାରିଖ ସୁଦ୍ଧା ଜିଲ୍ଲାରେ ଏହି ଆପ ପ୍ରସ୍ତୁତ ହେବ । ଏହି ଆପରେ ଗର୍ଭବତୀ ମା’ଙ୍କ ମମତା କାର୍ଡରେ ଯେଉଁ ସୁବିଧା ରହୁଛି ସେ ସମସ୍ତ ରିପୋର୍ଟ ରହିବ । ଯେଉଁ ଦିନ ଗର୍ଭବତୀ ମା’ମାନେ ଅଙ୍ଗନବାଡି କେନ୍ଦ୍ରକୁ ସେମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ ଆସିବେ ଉକ୍ତ ଦିନରେ ‘ଗୋଦ ଭରାଇ ଉତ୍ସବ’ ପାଳନ କରାଯିବ । ସେହିଦିନ କେନ୍ଦ୍ରରେ କୁମ୍ଭ ଏବଂ ଗର୍ଭବତୀ ମା’ଙ୍କ ବିଭିନ୍ନ ସ୍ୱାଗତ ନିମନ୍ତେ ଆୟୋଜନ କରାଯିବ । ଉକ୍ତ ଦିନରେ ଗର୍ଭବତୀ ମା’ଙ୍କ ସୁବିଧା ନିମନ୍ତେ ପ୍ରସ୍ତୁତ ହୋଇଥିବା ବୁକ ଲେଟ ସେମାନଙ୍କୁ ପ୍ରଦାନ କରାଯିବ । ସେହିପରି ମୋ ଛତୁଆ କାର୍ଯ୍ୟକ୍ରମ ପ୍ରତି ମାସର ୨୩ ତାରିଖରେ ଛତୁଆ ନିମନ୍ତେ ମିଶ୍ରଣ କରାଯିବ ଏବଂ ମାସର ୧ ତାରିଖରେ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ବଣ୍ଟନ ହେବ । ଜିଲ୍ଲାର ଚିହ୍ନଟ ହୋଇଥିବା ଅତିଶ୍ରୟ ପୁଷ୍ଟିହୀନତା ଶିଶୁଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚିକିତ୍ସା କରାଯାଇ ସୁସ୍ଥ କରାଇବା ପାଇଁ ଜିଲ୍ଲାପାଳ କହିଛନ୍ତି । ସେହିପରି ଯେଉଁ ବ୍ୟାଙ୍କ ଗୁଡିକ ମମତା ଯୋଜନାରେ ସହଯୋଗ କରୁନାହାନ୍ତି ସେହି ବ୍ୟାଙ୍କ ତାଲିକା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ଦତ୍ତାତ୍ରେୟ ବି ସୀନେଧ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ସ୍ୱାସ୍ଥ୍ୟ ବିଭାଗର ଡିପିଏସ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲ୍ଲା ସମାଜ ମଙ୍ଗଳ ବିଭାଗର ଡିପିଏମ ଅରୁଣ କୁମାର ନାୟକ, ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ସ୍ୱାସତ ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ସିଡିପିଓ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



