ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷାପାଇଁ ସାମ୍ବାଦିକ ସୁରକ୍ଷା ଆଇନ୍‍ ଲାଗୁ ହେଉ:ପ୍ରଦେଶ କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷାପାଇଁ ଆଇନ୍‍ ଆଣିବାକୁ ଦାବିକରିଛି । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ସାମ୍ବାଦିକ ମାନଙ୍କ ସୁରକ୍ଷା ଉପରେ ଉଦ୍ୱେଗ ପ୍ରକାଶ କରି କହିଲେ ଯେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସୁରକ୍ଷା ନିମନ୍ତେ ସରକାର ଆଗେଇ ଆସିବା ଉଚିତ । ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ଦୋଷୀକୁ ଦୃଷ୍ଟାନ୍ତମୁଳକ ଦଣ୍ଡବିଧାନ କରାଯିବାକୁ ସେ ଦାବି କରିଛନ୍ତି । ସେ କହିଥିଲେ ଯେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟକରୁଥିବା ଆଇନ ଭଳି ସାମ୍ବାଦିକଙ୍କ ସୁରକ୍ଷା ପାଇଁ ମେଡ଼ିଆ ପର୍ସନ ଆଣ୍ଡ ମେଡ଼ିଆ ଅର୍ଗାନାଇଜେସନ ପ୍ରିଭେନ୍ସନ ଟୁ ପ୍ରପର୍ଟି ଆଇନ ସରକାର ଆଣନ୍ତୁ । ଏଥି ସହିତ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ମାମଲାର ତଦନ୍ତ ଭାର ଜଣେ ଡିଏସ୍ପି କିମ୍ବା ତଦୁର୍ଦ୍ଧ ପଦବୀର ଅଫିସରଙ୍କ ଦ୍ୱାରା ତଦନ୍ତ କରାଯାଇ ଦୋଷୀକୁ ତ୍ୱରିତ ଫାଷ୍ଟଟ୍ରାକ କୋର୍ଟ ଜରିଆରେ କଠୋରରୁ କଠୋର ଦଣ୍ଡ ଦିଆଯାଉ । ସାମ୍ବାଦିକ ମାନଙ୍କ ସୁରକ୍ଷା ବିପନ୍ନ ହେଲେ ଗଣତନ୍ତ୍ର ଯେ ବିପନ୍ନ ହେବ ଏଥିରେ ସନ୍ଦେହ ନାହିଁ । ସରକାର ଗଣତନ୍ତ୍ର ଓ ଗଣମାଧ୍ୟମର ସୁରକ୍ଷା ପ୍ରତି ଯତ୍ନବାନ ହେବା ସହିତ ବ୍ୟତିକ୍ରମକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିବାକୁ ଶ୍ରୀ ନାୟକ ଦାବି କରିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର