ଗଣମାଧ୍ୟମରେ କାଷ୍ଟିଂ କାଉଚ୍ ଅଭିଯୋଗ ନେଇ ତଦନ୍ତ କାହିଁକି ଧିମେଉଛି ?

ଭୁବନେଶ୍ୱର ( ଆକାଶ ମିଶ୍ର ) : ପୁଣି ଗଣମାଧ୍ୟମରେ ଦାଗ । ଏକ ପ୍ରତିଷ୍ଠିତ ଓଡ଼ିଆ ଚ୍ୟାନେଲ ମୁଖ୍ୟଙ୍କ ନାମରେ କାଷ୍ଟିଂ କାଉଚ୍ ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ନେଇ ଭୁବନେଶ୍ୱର ମହିଳା ଥାନାରେ ଏଫଆଇର ହୋଇଛି । ଯୁବତୀଙ୍କୁ ଆଙ୍କର କରାଇଦେବାର ପ୍ରତିଶୃତି ଦେଇ ତାଙ୍କ ପ୍ରତି ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ମଞ୍ଚେଶ୍ୱର ଥାନା ଅଧୀନରେ ଥିବା ଏକ ବୈଦୁତିକ ଗଣମାଧ୍ୟମରେ ଜନୈକ ଯୁବତୀ କିଛି ଦିନ ଧରି କାମ କରୁଥିଲେ । କିଛି ଦିନ କାମ କରିବା ପରେ ଉକ୍ତ ଚ୍ୟାନେଲ ମୁଖ୍ୟ ତାଙ୍କ ତାରିଫ କରିବା ଆରମ୍ଭ କରିଥିଲେ । ଖୁବଶୀଘ୍ର ତାଙ୍କ ପଦୋନ୍ନତି ହେବ ବୋଲି କହିଥିଲେ । ଏପରିକି ତାଙ୍କ କଥାରେ ରାଜି ହେଲେ ଖୁବ ଶୀଘ୍ର ଚ୍ୟାନେଲ ଆଙ୍କର କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିଛି ପାଇବାକୁ ହେଲେ କିଛି ଦେବାକୁ ହେବ ବୋଲି କହିଥିଲେ । କିନ୍ତୁ ଏହି ସର୍ତ୍ତରେ ଉକ୍ତ ଯୁବତୀ ଜଣଙ୍କ ରାଜି ନହେବାରୁ ତାଙ୍କୁ ଚାକିରୀ ଛାଡିବା ପାଇଁ ନୋଟିସ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ସମ୍ପୃକ୍ତ ଚ୍ୟାନେଲ ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ । ତେବେ ଏ ସମ୍ପର୍କରେ ଗତକାଲି ଯୁବତୀ ଜଣଙ୍କ ଏଫଆଇର  କରିଥିବା ମହିଳା ଥାନା ଅଧିକାରୀ ସ୍ପଷ୍ଟ କରିଛନ୍ତି । ଘଟଣାର ତଦନ୍ତ ଚାଲିଛି , ଖୁବଶୀଘ୍ର ସତ୍ୟାସତ୍ୟ ପଦାକୁ ଆସିବ  ବୋଲି  ଜଣାଯାଉଛି। ତେବେ ଓଡ଼ିଆ ଚ୍ୟାନେଲ ମୁଖ୍ୟଜଣଙ୍କ କିଏ ଓ କେଉଁ ଗଣମାଧ୍ୟମ ? ଜାଣିବା ପାଇଁ ବୁଦ୍ଧିଜୀବି ଚାହିଁ ବସିଛନ୍ତି । ତୁରନ୍ତ ଏହାର ପର୍ଦାଫାଶ କରିବାକୁ ଦାବି ହେଉଛି।