ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚମା ସ୍ଥିତ ଶ୍ରୀ ସିଦ୍ଧି ବିନାୟକ ପୀଠରେ ଗଣେଶ ଚତୁର୍ଥୀ ପୂଜା ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରୀ ଗଣେଶଙ୍କ ପୂଜା ନିମନ୍ତେ ଭୋର ସକାଳ ୨ଟା ସମୟରେ ମନ୍ଦିର କବାଟ ଖୋଲା ଯାଇଥିଲା । ଏହାପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ପୂଜା ପରେ ସର୍ବ ସାଧାରଣଙ୍କ ଦର୍ଶନ ନିମନ୍ତେ ଭିତରକୁ ଛଡା ଯାଇଥିଲା । ଏହି ଅବସରରେ ବରିଷ୍ଠ ନାଗରିକ ଏବଂ ଗର୍ଭବତୀ ମହିଳାମାନଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ରଣ୍ଢା ଛକ ଠାରୁ ୪ ଚକିଆ ଯାନକୁ ଛଡା ଯାଉନଥିବା ବେଳେ ରଣ୍ଢା କମ୍ବିଳିଆ ତୋଟା ଠାରୁ ଦୁଇ ଚକିଆ ମଟର ସାଇକେଲ ଯାନ ଯିବା ପାଇଁ ବନ୍ଦ କରାଯାଇଥିଲା । ଶ୍ରଦ୍ଧାଳୁ ମାନେ କିପରି ଶାନ୍ତି ପୂର୍ଣ୍ଣ ଭାବେ ଦର୍ଶନ କରିବେ ସେଥି ନିମନ୍ତେ ୪ଟି ସ୍ଥାନରେ ଟିକଟର ବ୍ୟବସ୍ଥା କରାଯାଇଥିଲା । ଭିଡକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଟ୍ରାଫିକ ପୋଲିସ ମୁତୟନ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଏଡ଼ିସିନାଲ ଏସପିଙ୍କ ସମେତ ଡ଼ିଏସପି ଆଇଆଇସି, ଏସଆଇ, କନେଷ୍ଟବଲ, ହୋମଗାର୍ଡ ଆଦି ମୁତୟନ ରହିଥିଲେ । କନିସି ତହସିଲଦାରଙ୍କ ସମେତ ୩ଜଣ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହି ତଦାରଖ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା