ଗଣ ଦୁଷ୍କର୍ମ, ଧର୍ଷଣ ଓ ହତ୍ୟା ପ୍ରତିବାଦରେ ଅଲ୍ ଇଣ୍ଡିଆ ଡିଏମ୍ଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦେଶରେ ସଂଗଠିତ ଗଣ ଦୁଷ୍କର୍ମ, ଧର୍ଷଣ ଓ ହତ୍ୟା ପ୍ରତିବାଦରେ ଅଲ୍ ଇଣ୍ଡିଆ ଡିଏମ୍ଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ହାଇଦ୍ରାବାଦରେ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ଗଣଦୁଷ୍କର୍ମ ଓ ହତ୍ୟା କରିବା, ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ ଓ ଗୁଜରାଟରେ ମଧ୍ୟ ଯେଉଁ ହୃଦୟ ବିଦାରକ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସଂଗଠିତ ହୋଇଛି, ତା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅପରାଧୀମାନଙ୍କୁ ଫାସି ଦେବା ପାଇଁ ମଧ୍ୟ ବକ୍ତାମାନେ ଦାବି କରିଥିଲେ । ସମ୍ପ୍ରତି ସମଗ୍ର ଦେଶରେ ମଦ ମାଦକତା, ଅଶ୍ଲିଳତା, ନଗ୍ନତାର ପ୍ରଚାର ପ୍ରସାର, ମହାମାନବୀଙ୍କ ଜୀବନୀ ଓ ଉନ୍ନତ ସାହିତ୍ୟ ଚର୍ଚ୍ଚାର ଅଭାବ କାରଣରୁ ଏଭଳି ଘଟଣା ଘଟି ଚାଲିଥିଲେ ମଧ୍ୟ ଦେଶ ଓ ରାଜ୍ୟ ସରକାର ଅଶ୍ଲିଳତା, ନଗ୍ନତା, ମଦ, ମାଦକତା ବନ୍ଦ କରିବା ପାଇଁ ପଦକ୍ଷେପ ନ ନେବା ଘଟଣାକୁ ଦୃଢ଼ ନିନ୍ଦା କରାଯାଇଥିଲା । ଓଡ଼ିଶା ସରକାର ‘ମୋ ସରକାର’ କହି ତୁମ୍ବିତୋଫାନ କରୁଥିଲା ବେଳେ, ପୀଡ଼ିତାଙ୍କ ପ୍ରତି ମୟୁରଭଞ୍ଜରେ ପୋଲିସର ଅସହଯୋଗ ଘଟଣାକୁ ମଧ୍ୟ ତୀବ୍ର ନିନ୍ଦା କରାଯାଇଥିଲା । ତୁରନ୍ତ ଏସବୁ ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ଗିରଫ କରି ବାସି ଫାସୀ ଦେବା, ଗଣଦୁଷ୍କର୍ମ ଓ ହତ୍ୟା ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେବା, ଛାତ୍ରୀ ଓ ମହିଳାମାନଙ୍କୁ ସୁରକ୍ଷା ଦେବା, ଟିଭି, ଇଣ୍ଟରନେଟରେ ଅଶ୍ଲିଳତା, ଅପସଂସ୍କୃତିର ପ୍ରଚାର ପ୍ରସାର ରୋକିବା ତଥା ମଦ, ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା, ଛାତ୍ରୀ ଓ ମହିଳାମାନଙ୍କୁ ଆତ୍ମରକ୍ଷା ତାଲିମ ଦେବା ଆଦି ଦିଗରେ ପଦକ୍ଷେପ ନେବା ପାଇଁ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ କମିଟିର ଉପସଭାପତି ସୋମନାଥ ବେହେରା, ଜିଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର, ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ, ତିରୁପତି ଦୋରା, ନାରାୟଣ ସାହୁ ଆଦି ଉପସ୍ଥିତ ଥିଲେ ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ