ଗଭୀର ଆର୍ଥିକ ସଙ୍କଟରେ ଲୋକଙ୍କ ଦୁର୍ଦଶା ପ୍ରତିବାଦ:ବାମପନ୍ଥୀ ଦଳମାନଙ୍କ ମିଳିତ ଅଭିଯାନ ଆରମ୍ଭ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଭୀର ଆର୍ଥିକ ସଙ୍କଟ ଓ ଲୋକଙ୍କ ଦୁର୍ଦ୍ଦଶା ପ୍ରତିବାଦ ସହ ବିଭିନ୍ନ ୧୧ ଦଫା ଦାବୀ ନେଇ ଆଜି ଗଜପତି ଜିଲ୍ଲାର ବାମ ପନ୍ଥୀ ଦଳ ମାନଙ୍କ ମିଳିତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ଅଭିଯାନ କାର୍ଯ୍ୟକ୍ରମରେ ଜିଲ୍ଲାର ସିପିଆଇ(ଏମ), ସିପିଆଇ ଏବଂ ସିପିଆଇ(ଏମ୍ ଏଲ୍) ଲିବେରେସନ ପ୍ରମୁଖ ବାମ ଦଳ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ୧୧ ଦଫା ସମ୍ମିଳିତ ଏକ ସ୍ମାରକପତ୍ର ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଜୁବୁଲି ବେହେରାଙ୍କୁ ପ୍ରଦାନ କରିଥିଲେ । ୧୧ ଦଫା ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ଦରବୃଦ୍ଧି ହ୍ରାସ କରିବା, ଦେଶରେ ସାମ୍ପ୍ରଦାୟିକ ଓ ଆତଙ୍କବାଦ ବନ୍ଦ କରିବା, ବେକାର ସମସ୍ୟା ସମାଧାନ କରିବା, ବେକାରୀ ଭତ୍ତା ଦେବା, ଘରୋଇ କରଣ ନିତି ବନ୍ଦ କରିବା, ସର୍ବନିମ୍ନ ମାସିକ ମଜୁରୀ ୧୮ହଜାର ଟଙ୍କା ପ୍ରଦାନ କରିବା, ନିଯୁକ୍ତି ହରାଇଥିବା ମାନଙ୍କୁ ମାସିକ ପେନସନ ଓ ଭତ୍ତା ପ୍ରଦାନ କରିବା, ମନରେଗା ପାଣ୍ଠି ବୁଦ୍ଧି କରି ବେକାରଙ୍କୁ ବର୍ଷକୁ ସର୍ବନିମ୍ନ ୨୦୦ ଦିନର କାମ ଯୋଗାଇ ଦିଆଯାଉ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ମାସିକ ୩ ହଜାର ଟଙ୍କା କରାଯାଉ ଏବଂ କୃଷକ ମାନଙ୍କ ଉପରୁ ରୄଣଛାଡ଼ ଏବଂ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁତିର ଦେଢ ଗୁଣା କରାଯାଉ ପ୍ରଭୃତି ଦାବୀ ଗୁଡ଼ିକ ଅନ୍ତର୍ଭୁକ୍ତ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ମଣ୍ଡଳୀର ଜଗନ୍ନାଥ ମିଶ୍ର, ଜତୀନ ମହାନ୍ତି, ଦଣ୍ଡପାଣି ରଈତ, ଜନା ସୁବାଷ ଚନ୍ଦ୍ର ରାଓ, ବିଦ୍ୟାଧର ପାତ୍ର, ମୋହିତ ମିଶାଲ ପ୍ରମୁଖଙ୍କ ସମେତ ଶତାଧିକ ସଂଖ୍ୟାରେ ତିନି ବାମପନ୍ଥୀ ଦଳର କର୍ମୀ ଓ ନେତାମାନେ ଯୋଗ ଦେଇଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା