ଗରିବ ପିଲାଟିଏ କିଛି ମାସ୍କ ଧରି ବିକ୍ରି କରିବାକୁ ବାଟରେ ଘାଟରେ ବୁଲୁଛି ….. ମାସ୍କ ନିଅ ……ମାସ୍କ ନିଅ ……ଡାକି ଡାକି l ମା କିଛି ମାସ୍କ ତିଆରି କରି ଦେଇଛି ବିକିବାକୁ l ବିକ୍ରି କଲେ ଯାହା ଦୁଇ ପଇସା ମିଳିବ ସେଥିରେ ଘର ଚଳିବ ବୋଲି l ହଠାତ ବୁଟ ସୁଟ ପିନ୍ଧା ବାବୁ ଜଣେ ପଚାରିଲେ ଆରେ ବାବୁ ମାସ୍କ କଣ ବାଣ୍ଟୁଛୁ ଲୋକଙ୍କୁ ? ପିଲାଟି କହିଲା, ନାଇଁ ବାବୁ ବିକୁଛି, ଗୋଟିଏ ୩୦ ଟଙ୍କା l ବାବୁ ଜଣଙ୍କ କହିଲେ ୩୦ଟଙ୍କା ! ବାପରେ ! ଏତିକି ଟିକିଏ କପଡା ପୁଣି ୩୦ ଟଙ୍କା, ହଉ ଥାଉ l ପିଲାଟି କହିଲା ନିଅନ୍ତୁ ବାବୁ, ନିଅନ୍ତୁ, ବିକ୍ରି ହେଲେ ଆମେ ଚାଉଳ କିଣିବୁ ମୋ ମା’ କହିଛି l ବାବୁ ଜଣଙ୍କ କହିଲେ, ହେ… ଲୋକମାନେ ମାହାଳିଆ ବାଣ୍ଟୁଛନ୍ତି ଆକୁ ପୁଣି ଟଙ୍କା ଦେଇ ନେବୁ, ଜା ଜା ମୋର ଲୋଡା ନାହିଁ l ପିଲାଟି କହିଲା, ବାବୁ ଆପଣଙ୍କ ଘରେ କେତେଜଣ ଅଛନ୍ତି ? ବାବୁ ଜଣକ କହିଲେ ପାଞ୍ଚ ଜଣ ଅଛୁ l ପିଲାଟି କହିଲା, ହେଉ ବାବୁ ପାଞ୍ଚଟି ମାହାଳିଆ ନିଅନ୍ତୁ । ଟଙ୍କା ବି ଦିଅନ୍ତୁ ନାହିଁ । ମାତ୍ର ସମସ୍ତେ ନିଶ୍ଚୟ ବ୍ୟବହାର କରିବେ । ଏତିକି କହି ପିଲାଟି ପାଞ୍ଚଟି ମାସ୍କ ବଢ଼େଇ ଦେଇ ଚାଲି ଯାଉଥିଲା । ବାବୁ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଗଲେ । ଡାକିଲେ ଆରେ ବାବୁ ଶୁଣ ତ, ପିଲାଟି କହିଲା କଣ ହେଲା ବାବୁ ଆଉ ଦରକାର କି ? ବାବୁ ଜଣକ କହିଲେ ନାଇଁ’ରେ ବାବୁ ମାହାଳିଆ ଦେଇ ଦେଲୁ, ତମେ ଚାଉଳ କେମିତି କିଣିବ ? ଆଉ ତୋ ବୋଉ ତୋତେ ଗାଳି ଦେବନି ? ମାହାଳିଆ ଦେଇ ଦେଲୁ ବୋଲି…। ପିଲାଟି କହିଲା ବାବୁ,
ଏ କପଡା ଖଣ୍ଡିକ କରୋନା ନାମକ ଏକ ମାରାତ୍ମକ ରୋଗ କବଳରୁ ସୁରକ୍ଷା ଦେଇଥାଏ । ଆଉ ଆପଣଙ୍କୁ ମାହାଳିଆ ଦରକାର । ଆପଣ ପାଞ୍ଚ ଜଣ ସୁରକ୍ଷିତ ରହିବେ ଓ ବଞ୍ଚିଯିବେ । ଏହା ହିଁ ମୋ ପାଇଁ ବଡ଼କଥା । ଆଉ ବୋଉ ବି ମୋତେ କହିଥିଲା ଗରିବ ଲୋକ ମାଗିଲେ ମାହାଳିଆ ବି ଦେଇ ଦେବୁ । ବାବୁ ଗୋଟେ ଦିନ ଆମେ ଉପାସ ରହିଗଲେ ମରି ଯିବୁ ନାହିଁ । ଆଉ ବୋଉର ଗାଳି ତ ଦାଣ୍ଡର ଧୂଳି ଟିକେ ସହିଯିବି । ହେଲେ ବାବୁ ମନେରଖିବ..ମାସ୍କ ଗୁଡିକ ନିୟମିତ ଧୋଇବ ଓ ବ୍ୟବହାର କରିବ । ଆପଣଙ୍କ ପରିବାର ପାଇଁ ଭଲ ଆଉ ଦେଶ ପାଇଁ ଭଲ….ଏତିକି କହି ପିଲା ଧାଇଁ ଚାଲିଗଲା ମାସ୍କ ନିଅ..ମାସ୍କ ନିଅ..ଡାକି ଡାକି । ବାବୁ ଜଣକ ଭକୁଆ ହୋଇ ଚାହିଁ ରହିଥାନ୍ତି । ପିଲାଟିର ଯିବା ପଥକୁ …….ସେହି ପିଲା କଥା ତାଙ୍କର ମନେ ପଡି ଯାଉ ଥାଏ । ଗରିବ ଲୋକ ମାଗିଲେ, ମାହାଳିଆ ବି ଦେଇ ଦେବୁ ଭାବୁଥାନ୍ତି । ପ୍ରକୃତ ଗରିବ କିଏ ?