ଗର୍ଜିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତିଇରାନୀ : କହିଲେ‘ତାମିଲ ବାବୁଙ୍କ ରିମୋଟରେ ଚାଲିଛନ୍ତି ନବୀନ ବାବୁ

ପାରାଦୀପ(ସମୃଦ୍ଧଓଡିଶା) ତାମିଲ ବାବୁଙ୍କ ରିମୋଟରେ ଚାଲିଛନ୍ତି ନବୀନ ବାବୁ । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାକୁ କାହାର ସାମର୍ଥ୍ୟ ନାହିଁ।’ ଓଡ଼ିଶା ଗସ୍ତରେ ଆସି ଆଜି ଜଗତସିଂହପୁର ଜିଲ୍ଲା କୁଜଙ୍ଗଠାରେ ଏପରି ଭାବେ ଗର୍ଜିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । କୁଜଙ୍ଗଠାରେ ବିଶାଳ ଜନସଭାକୁ ସମ୍ବୋଧନ କରି ମନ୍ତ୍ରୀ ଇରାନୀ କହିଛନ୍ତି, ବିଜେଡି କେବଳ ଓଡ଼ିଶାକୁ ଲ୍ୟାଣ୍ଡ ମାଫିଆ, କୋଇଲା ମାଫିଆ, ବାଲି ମାଫିଆ ଦେଇଛି। ବିଜେଡି ନେତା, ମନ୍ତ୍ରୀ ତଥା ରିମୋଟ କଣ୍ଟ୍ରୋଲରେ ଶାସନ ଚଳାଉଥିବା ତାମିଲ ବାବୁ ୨୪X୭ ଓଡ଼ିଶାକୁ ଲୁଟିବାର କାମ କରିଛନ୍ତି । ତେଣୁ ଆପଣମାନେ ଲୋକତନ୍ତ୍ରର ହନୁମାନ ହୋଇ ଯାଇ ଅଧର୍ମୀଙ୍କ ଲଙ୍କାରେ ନିଆଁ ଲଗାନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି। ଏଥିସହ ସେ କହିଛନ୍ତି, ନବୀନ ବାବୁଙ୍କୁ କଏଦ୍‌ କରି ରଖାଯାଇଛି, ରିମୋଟ୍‌ରେ ସରକାର ଚାଲୁଛି । ନବୀନ ବାବୁଙ୍କୁ କହିବା, ବୁଲିବା ପାଇଁ ବି ସ୍ୱାଧୀନତା ନଥିବା କୁହାଯାଉଛି । ରିମୋଟ୍‌ କଣ୍ଟ୍ରୋଲ ତାମିଲ ବାବୁଙ୍କ ପାଖରେ ରହିଛି। ତାମିଲ ବାବୁ ୨୪X୭ ଓଡ଼ିଶାକୁ ଲୁଟି ଚାଲିଛନ୍ତି। କିନ୍ତୁ ମୋଦି ୨୪X୭ ଭାରତକୁ ବିକଶିତ କରିବାକୁ କାମ କରି ଚାଲିଛନ୍ତି। ମୋଦି ଜଳ ଜୀବନ ମିଶନ ପାଇଁ ଟଙ୍କା ଦେଲେ, ଟଙ୍କା କୁଆଡ଼େ ଗଲା । ‘ଓଡ଼ିଶାରେ କାହିଁକି ପାଣି ଟ୍ୟାପ୍ ଲାଗି ପାରୁନି ବୋଲି ପଚାରିଛନ୍ତି ସ୍ମୃତି ଇରାନୀ । ଏଥିସହ ସେ କହିଛନ୍ତି, ସମଗ୍ର ବିଶ୍ୱର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି କୁଆଡ଼େ ହଜିଲା। ତାକୁ ଖୋଜିବା ପାଇଁ କମିଟି ଗଠିତ ହୋଇଥିବା ବେଳେ ତାହାର ରିପୋର୍ଟକୁ କାହିଁକି ଚାପି ଦିଆଗଲା ବୋଲି ପଚାରିଛନ୍ତି ସ୍ମୃତି ଇରାନୀ । ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ରିପୋର୍ଟ ଆସିବ । ଯଦି ରତ୍ନଭଣ୍ଡାରରେ କିଛି ଗଡ଼ବଡ଼ି ହୋଇଥିବ, ମୋଦି କାହାକୁ ଛାଡ଼ିବେନି ବୋଲି ସେ ଚେତାବନୀ ଦେଇଛନ୍ତି। ଏଥିସହ ‘ଆମେଠିରୁ ରାହୁଲଙ୍କୁ ହଟାଇଛୁ, ଏଠୁ ବିଜେଡିକୁ ହଟାଇବୁ ବୋଲି ବି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆମ ସ୍ୱତନ୍ତ୍ର ପ୍ରତିନିଧିଙ୍କ ରିପୋର୍ଟ ଅନୁଯାୟୀ ଭାଷଣ ଆରମ୍ଭରୁ ଆଟାକ୍‌ କଲେ ଫାୟାରବ୍ରାଣ୍ଡ ସ୍ମୃତି ଇରାନୀ । ସିଧାସଳଖ ତାମିଲ ବାବୁଙ୍କୁ ନିଶାନା କଲେ। କଂଗ୍ରେସ ଉପରେ ବର୍ଷିଥିଲେ ବି ଟାର୍ଗେଟରେ କିନ୍ତୁ ତାମିଲ ବାବୁଙ୍କୁ ରଖିଥିଲେ ସ୍ମୃତି ଇରାନୀ। ଆରମ୍ଭରୁ ଶେଷ ଯାଏ ତାମିଲ ବାବୁଙ୍କୁ ଟାର୍ଗେଟ କରିବା ସହ ବିଜେପି ସରକାର ଆସିଲେ ଜିଲ୍ଲାବାସୀଙ୍କ ସମସ୍ତ ଦାବି ପୂରଣ କରାଯିବ ବୋଲି ଗ୍ୟାରେଣ୍ଟି ବି ଦେଇଛନ୍ତି। ଆଜି ଆଳିରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ସ୍ମୃତି ଇରାନୀ କହିଛନ୍ତି, ଆମେଥିରୁ ଗାନ୍ଧି ପରିବାରର ବେଡିଂ ବିସ୍ତର ଆମେ ବାନ୍ଧି ଦେଇଛୁ। ତେଣୁ କେନ୍ଦ୍ରାପଡ଼ାରୁ ବି ତାମିଲନାଡୁ ରିମୋଟ୍‌ର ବେଡିଂ ବିସ୍ତର ବାନ୍ଧି ଦିଅନ୍ତୁ। ସ୍ୱର ଏପରି ଉଚ୍ଚାରଣ କରନ୍ତୁ ଯେପରି ତାହା ସିଧା ତାମିଲନାଡୁ ରିମୋଟ୍‌ରେ ପହଞ୍ଚିଯିବ। କେନ୍ଦ୍ରାପଡ଼ା ବାସୀ ବର୍ଷ ବର୍ଷ ଧରି ମେଡିକାଲ କଲେଜ ଦାବି କରୁଥିବା ବେଳେ ତାହା କାହିଁକି ପୂରଣ ହେଉନି ବୋଲି ସେ ପ୍ରଶ୍ନ ପଚାରିଛନ୍ତି? ଏଥିସହ କହିଛନ୍ତି, ମୋଦି ଚାଷୀଙ୍କୁ ୬ ହଜାର ଦେଲେ, ହେଲେ ତାମିଲ ଠିକାଦାର ତାହାକୁ ଖାଇଗଲେ। ମୋଦି ଜଳ ଜୀବନ ମିଶନ ପାଇଁ ଟଙ୍କା ଦେଲେ, ତାମିଲ ଠିକାଦାର ନେଇଗଲେ। ଆବାସ ପାଇଁ ମୋଦି ଟଙ୍କା ଦେଲେ, ଠିକା ନେଲେ ତାମିଲନାଡୁ ରିମୋଟ୍‌ କଣ୍ଟ୍ରୋଲ। ରତ୍ନଭଣ୍ଡାର ଚାବି କାହିଁକି ହଜିଲା ସମସ୍ତେ ପ୍ରଶ୍ନ କରୁଛନ୍ତି। ଚାବି ରିପୋର୍ଟ କାହିଁକି ଚାପି ବସିଛନ୍ତି ତାମିଲ ଠିକାଦାର ବୋଲି ପ୍ରଶ୍ନ ପଚାରି ବର୍ଷିଛନ୍ତି ମନ୍ତ୍ରୀ ଇରାନୀ। ଏଥିସହ ସେ କହିଛନ୍ତି, ଆମ ସରକାର ଆସିଲେ ରିପୋର୍ଟ ସାର୍ବଜନୀନ ହେବ। ଅଧର୍ମୀଙ୍କୁ ଧୂଳି ଚଟାଯିବ ବୋଲି ବି ସେ ଚେତାବନୀ ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଓଡ଼ିଶା ଲୋକ ଚାହାନ୍ତି, ମୋଦିଙ୍କ ଗ୍ୟାରେଣ୍ଟି। ବିଜେପି ଆସିଲେ ସୁଭଦ୍ରା ଯୋଜନାରେ ୫୦ ହଜାର ମିଳିବ । ବିକାଶର ଲକ୍ଷ୍ମୀଙ୍କୁ ଘରକୁ ଆଣିବାକୁ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି ସ୍ମୃତି ଇରାନୀ। ଏହି ଅବସରରେ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବଦଳାଇ ସାରିଛନ୍ତି। ୨୫ କୋଟି ଲୋକଙ୍କୁ ଗରୀବ ସୀମାରେଖା ତଳୁ ଉଠାଇ ସାରିଛନ୍ତି। ତେଣୁ ଏଥର ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ସୁନିଶ୍ଚିତ। ଶାସକ ଦଳ ଯେଉଁପରି ନାରୀଙ୍କ ଉପରେ ନିର୍ଯାତନା କରିଛି, ଦୁଷ୍କର୍ମ, ହତ୍ୟା, ଅପହରଣ ମାମଲା ବଢ଼ି ଚାଲିଛି ତାହାକୁ ସମାପ୍ତ କରିବାର ସମୟ ଆସି ଯାଇଛି। କେନ୍ଦ୍ରାପଡ଼ାକୁ ରେଳ ଲାଇନ୍‌ ବିଛା ଯାଇ ସରିଛି। ତେଣୁ ଧାମରା-ପାରାଦୀପ ପୋର୍ଟର କରିଡ଼ର ହେବ କେନ୍ଦ୍ରାପଡ଼ା। ଏଥର ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟିବ। କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରତିଷ୍ଠା ହେବ। ଫଳରେ ଏହି ଜିଲ୍ଲାର ଯୁବକଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବନି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।

ରିପୋର୍ଟ : ଟୁକୁ ବେହେରା