ଛତ୍ରପୁର (ସମୃଦ୍ଧ ଓଡିଶା) ଏପ୍ରିଲ ମାସରୁ ପ୍ରତି ଗାଡ଼ିରେ ଉଚ୍ଚ ନିରାପତା ସଂଯୁକ୍ତ ପଞ୍ଜିକରଣ ନମ୍ବର ପ୍ଲେଟ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ବିଭିନ୍ନ କାରଣ ଯୋଗୁଁ ଏହି ବ୍ୟବସ୍ଥା ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇ ନଥିବାରୁ ପଞ୍ଜିକରଣ ଠପ ହୋଇଯାଇଛି । ୩୪୨ ଗାଡ଼ିର ପଞ୍ଜିକରଣ ହୋଇପାରି ନାହିଁ । ନିୟମ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ଏଥିସହ ଗାଡ଼ି ଡିଲର ଓ ଗାଡ଼ି ନିର୍ମାଣକାରୀ ସଂସ୍ଥାର ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ । ଉଚ୍ଚ ନିରାପତା ସଂଯୁକ୍ତ ପଞ୍ଜିକରଣ ନମ୍ବର ପ୍ଲେଟ (ଏଚଏସଆରପିଏନ ନମ୍ବର ପ୍ଲେଟ) ଏବଂ ବାହାନ ପୋର୍ଟାଲରେ ଅପଲୋଡ଼ ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଇଥିଲା । ଆରଟିଓ ଶ୍ରୀ ବିଶ୍ୱାଳ କହିଛନ୍ତି, ଗତ ଏପ୍ରିଲ ୧ ତାରିଖ ଠାରୁ ଏଚଏସପିଏନ ନମ୍ବର ପ୍ଲେଟ ବ୍ୟବହାର ନିୟମ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି । ଏହି ନିୟମାନୁସାରେ ଦୁଇ ଚକିଆଠୁ ଆରମ୍ଭ କରି ବିଭିନ୍ନ ଯାନବାହାନରେ ଏଭଳି ନମ୍ବର ପ୍ଲେଟ ଲଗାଯିବ । ନମ୍ବର ପ୍ଲେଟରେ ୭ ଗୋଟି ସେନସର ରହୁଥିବାବେଳେ ଏହାକୁ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଗ୍ରାହକଙ୍କୁ ଗାଡ଼ି ବିକ୍ରୟ କରିବା ପୂର୍ବରୁ ଗାଡ଼ି ବିକ୍ରେତା ସମ୍ପୃକ୍ତ ଗାଡ଼ିରେ ଏଭଳି ନମ୍ବର ପ୍ଲେଟ ସଂଯୋଗ କରିବା ବାଧ୍ୟତାମୂଳକ । କୌଣସି କାରଣରୁ ଏହି ସଂଯୋଗ ବିଳମ୍ବ ଘଟିଲେ ନିର୍ମାଣକାରୀ ସଂସ୍ଥା ବା ବିକ୍ରି କରୁଥିବା ସଂସ୍ଥା ଗାଡ଼ି ସହିତ ଅସ୍ଥାୟୀ ଉଚ୍ଚ ନିରାପତା ସଂଯୁକ୍ତ ପଞ୍ଜିକୃତ ପ୍ଲେଟ ଦେବାର ବ୍ୟବସ୍ଥା କରିବେ । କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ବିଭାଗ ଗତ ଏପ୍ରିଲ ୪ ତାରିଖରେ ବାହନ ପୋର୍ଟାଲ ସହ ଉଚ୍ଚ ନିରାପତା ସଂଯୁକ୍ତ ପଞ୍ଜିକରଣ ନମ୍ବର ପ୍ଲେଟ ସଂଯୋଗ କରିବା ନିମନ୍ତେ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଓଡ଼ିଶା ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ପଠାଇ ଦିଆଯାଇଛି । ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା