ଛତ୍ରପୁର (ସମୃଦ୍ଧ ଓଡିଶା) ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ପାଇଁ ଟ୍ରାଫିକ ନିୟମ ତିନିମାସ ପାଇଁ କୋହଳ କରାଯାଇଛି । ରାଜ୍ୟ ପରିବହନ ମନ୍ତ୍ରୀ ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି । ଗୁରୁବାର ଏ ନେଇ ବାଚସ୍ପତି ରୁଲିଂ ଜାରି କରିଥିଲେ । ଲୋକମାନେ କିପରି ଅସୁବିଧାରେ ପଡ଼ିବେନି ସେଥିପ୍ରତି ଦୃଷ୍ଟି ଦିଆଯାଉଛି ଏବଂ ଲୋକଙ୍କ ସୁବିଧା ପାଇଁ କ’ଣ କରାଯାଇପାରିବ, ସେ ନେଇ ବିଚାରବିମର୍ଶ କରାଯାଉଛି ବୋଲି ଶ୍ରୀ ବେହେରା ଗୃହକୁ ପ୍ରତିଶ୍ରୁତି ଦେଇଥିଲେ । ସୂଚନାଯୋଗ୍ୟ ରାଜ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ କାର୍ୟ୍ୟାଳୟରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି । ଆସନ୍ତା ୧ ତାରିଖରୁ ନୂଆ ଟ୍ରାଫିକ ଆଇନ କଡ଼ାକଡ଼ି ଭାବେ କାର୍ୟ୍ୟକାରୀ ହେବାକୁ ଥିବାରୁ ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାଗଜପତ୍ର ପାଇଁ ଆରଟିଓ ଅଫିସରେ ପ୍ରବଳ ଭିଡ଼ ଲାଗିରହୁଛି । ଲୋକଙ୍କ ସମସ୍ୟାର ସମାଧାନ କରିବା ଲାଗି ଗୁରୁବାର ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲା । ସୂଚନାଯୋଗ୍ୟ, ଆସନ୍ତା ୧ ତାରିଖରୁ ରାଜ୍ୟରେ କଡ଼ାକଡ଼ି ଭାବେ ନୂଆ ଟ୍ରାଫିକ ଆଇନ ଲାଗୁ ହେବାର ଥିଲା । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲାରେ ଥିବା ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ(ଆରଟିଓ)ରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି । ଫଳରେ ଜନସାଧାରଣଙ୍କୁ ଠିକ୍ ଭାବେ ସେବା ମିଳିପାରୁ ନାହିଁ । ଗୁରୁବାର ଶାସକ ଦଳର ସଦସ୍ୟ ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରଦୀପ ମହାରାଥୀ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେମାନେ କହିଥିଲେ, ଆରଟିଓରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଲୋକେ ସୁବିଧା ପାଇପାରୁ ନାହାନ୍ତି । ଭୁବନେଶ୍ଵରକୁ ଛାଡ଼ି ଅନ୍ୟ ସମସ୍ତ ଆରଟିଓ ସନ୍ଧ୍ୟା ହେଲେ ବନ୍ଦ ହୋଇଯାଉଛି । ସରକାର ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ଦରକାର ବୋଲି ଦେବୀ ପ୍ରସାଦ ମିଶ୍ର କହିଥିଲେ । ସେହିପରି ରାଜ୍ୟରେ ଏବେ ଜିଜିଆ କର ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମହାରାଥୀ କହିଥିଲେ ।ବାଚସ୍ପତିଙ୍କ ରୁଲିଂ ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରୁ ଡେଡ୍ଲାଇନ ଘୁଞ୍ଚିପାରେ ବୋଲି ସଙ୍କେତ ମିଳୁଛି । ମନ୍ତ୍ରୀ କହିଛନ୍ତି, ରାଜ୍ୟର ବିଭିନ୍ନ ଆରଟିଓ କାର୍ୟ୍ୟାଳୟରେ ଅସମ୍ଭବ ଭିଡ଼ ନେଇ ଖବର ଅଛି । ଲୋକମାନେ କିପରି ଅସୁବିଧାରେ ପଡ଼ିବେନି ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ଲୋକଙ୍କ ସୁବିଧା ପାଇଁ କ’ଣ କରାଯାଇପାରିବ, ଡିସେମ୍ବର ପହିଲାରୁ ଆଇନ କଡ଼ାକଡ଼ି ଲାଗୁ ହେବ କି ନାହିଁ ସେ ନେଇ ବିଚାରବିମର୍ଶ କରାଯାଉଛି ।
ରିପୋର୍ଟ : ଆମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା