ଗାନ୍ଧୀ ଜୟନ୍ତୀରେ କାର୍ଯ୍ୟକାରୀ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ…

ଛତ୍ରପୁର (ସମୃଦ୍ଧ ଓଡିଶା) ‘ମୋ ସରକାର’ କାର୍ଯ୍ୟକ୍ରମ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ହେଉଛି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା । ସୂଚନାଯୋଗ୍ୟ ଯେ, ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ କାର୍ଯ୍ୟକ୍ରମ ଘୋଷଣା କରିଥିଲେ । ଗତକାଲି ଛତ୍ରପୁର ସ୍ଥିତ ଗଞ୍ଜାମ ଏସପିଙ୍କ ସମ୍ମିଳନୀ କକ୍ଷରେ ଏହାର ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଯୋଗଦେଇ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ପୋଲିସ ଅଧିକାରୀମାନଙ୍କୁ ସୂଚନା ଦେବା ସହ ଏହାର ସଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାପରେ ଥାନାରେ କର୍ମଚାରୀଙ୍କ ଆଚରଣ କିଭଳି ବୃତ୍ତିଗତ ଓ ବନ୍ଧୁତ୍ୱପୂର୍ଣ୍ଣ ହେବ ତାହା ଉପରେ ଧ୍ୟାନ ଦେବାକୁ ଡ଼ିଆଇଜି କହିଥିଲେ । ଏଥିସହ ଥାନାକୁ ଆସୁଥିବା ଲୋକଙ୍କ କାର୍ଯ୍ୟ ସହଜରେ କିପରି ହୋଇପାରିବ ସେ ନେଇ ଏବେ ଠାରୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଫୋନ କରି ଥାନାକୁ ଯାଇଥିବା ଜନସାଧାରଣଙ୍କ ଠାରୁ ପ୍ରତିକ୍ରିୟା ନେବେ / ତେଣୁ ଏହା ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ କହିଥିଲେ । ଏକ କଲ ସେଣ୍ଟର ରହିବ ଏବଂ ଥାନାରେ ଅଭିଯୋଗ ଦେଇଥିବା ବ୍ୟକ୍ତିଙ୍କ ମୋବାଇଲ ନମ୍ବର ରହିବ । ଥାନାକୁ ଆସୁଥିବା ଲୋକଙ୍କୁ ଆଇଆଇସି ତାଙ୍କ ମୋବାଇଲ ନମ୍ବର ଦେବାକୁ ହେବ ବୋଲି କୁହାଯାଇଛି । ଏହି ଅବସରରେ ସାଧନ କର୍ମୀଙ୍କ ପକ୍ଷରୁ ମୋ ସରକାର କାର୍ଯ୍ୟକ୍ରମ ଉପରେ ତାଲିକା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଏସପି ପତିତପାବନ ଚୌଧୁରୀ, ଡ଼ିଏସପି ଏସ. ପ୍ରଧାନ ଓ ପି.କେ ଦଳାଇ, ଛତ୍ରପୁର ଏସଡ଼ିପିଓ ଉତ୍କଳ କେଶରୀ ଦାଶଙ୍କ ସମେତ ଜିଲ୍ଲାର ସମସ୍ତ ଥାନା ଆଇଆଇସି ମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା