ଭୁବନେଶ୍ୱର(ସମୃଦ୍ଧ ଓଡିଶା )ଗୁଜରାଟ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ସାମ୍ବାଦିକ ସମ୍ମିଳନୀ କରିବା ସ୍ପଷ୍ଟ ପ୍ରମାଣ କରୁଛି ଯେ ଭାରତୀୟ ଜନତା ପାର୍ଟି ଭୟଭୀତ ଓ ଆତଙ୍କିତ । କାରଣ ରାଫେଲ ଦୁର୍ନୀତିର ପ୍ରସଂଗକୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଆସି ଓଡ଼ିଶାରେ ଉଠାଇବା କୌଣସି ରାଜନୈତିକ ପ୍ରାଂସଗିକତା ନାହିଁ । ଆମର ଏଠାରେ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେମାନେ ରାଫେଲ ଦୁର୍ନୀତି ସଂପର୍କରେ କହିପାରିଥାନ୍ତେ, ନକହିବା ପଛରେ ରହସ୍ୟ କଣ? ଗୁଜରାଟ ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ କରିଛନ୍ତି ଯେ ୧୮ବର୍ଷ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟର ଓଡ଼ିଆ ଭାଇଭଉଣୀଙ୍କ କଥା ମନେ ପଡିଲା, ଯାହା ଏକ ହାସ୍ୟାସ୍ପଦ କଥା । ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ ଜାଣିବା ଦରକାର ବିଗତ ୧୮ବର୍ଷ ହେଲା ବିଜୁ ଜନତା ଦଳ ଶାସନ କାଳ ମଧ୍ୟରେ ଉକ୍ରଳ ଦିବସ, ରଥଯାତ୍ରା, ସାମାଜିକ କାର୍ଯ୍ୟକ୍ରମ ଏବଂ ପୂଜାପର୍ବାଣୀରେ ଦଳ ତରଫରୁ ଓ ସରକାରଙ୍କ ତରଫରୁ ମନ୍ତ୍ରୀ, ବିଧାୟକ ଏବଂ ଦଳୀୟ ନେତା ଗୁଜରାଟ ଯାଆନ୍ତି । ଏକଥା ବୋଧେ ଗୁଜରାଟ ମୁଖ୍ୟମନ୍ତ୍ରୀ ଜାଣନ୍ତି ନାହିଁ । ବହୁ ଓଡ଼ିଆ ଭାଇମାନେ ତାଙ୍କୁ ଭେଟି ଚିଟଫଣ୍ଡ ଦୁର୍ନୀତି ବିଷୟରେ ଅବଗତ କରାଇଥିଲେ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ କହିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ଜାଣିବା ଦରକାର, ଓଡ଼ିଶା ରାଜ୍ୟ ସରକାର ବିଭିନ୍ନ ସମୟରେ ଚିଟଫଣ୍ଡ ସଂସ୍ଥାଗୁଡିକ ଉପରେ ଚଢ଼ଉ କରିବା ସଂଗେ ସଂଗେ ଅନେକ ଲୋକଙ୍କୁ ଜେଲକୁ ପଠାଇଛନ୍ତି ଏବଂ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ସଂସ୍ଥାମାନଙ୍କର ଯାଂଚ ପ୍ରକ୍ରିୟା ଚାଲିଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଯେଉଁ ଚିଟଫଣ୍ଡ କମ୍ପାନୀମାନେ ଗୁଜରାଟର ସୁରଟ ଓ ଅହମ୍ମଦାବାଦରେ ବସବାସ କରୁଛନ୍ତି, ସେମାନେ ଯେଉଁ ସେଠାକାର ଲୋକଙ୍କୁ ଠକିଛନ୍ତି, ସେ ବିଷୟରେ ଗୁଜରାଟ ସରକାର କଣ ପଦକ୍ଷେପ ନେଇଛନ୍ତି? ଗୁଜରାଟ ମୁଖ୍ୟମନ୍ତ୍ରୀ ଜାଣି ରଖିବା ଉଚିତ ଯେ ଗୁଜରାଟରୁ ଆସି ଓଡ଼ିଶାରେ ମତ ମନ୍ତବ୍ୟ ଦେଲେ ଲୋକଙ୍କ ମନ ପରିବର୍ତନ ହୋଇଯିବ ନାହିଁ । ତାଙ୍କର ଓଡ଼ିଶା ଗସ୍ତ ସଂପୂର୍ଣ୍ଣ ଭାବରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି । ରିପୋର୍ଟ : ଆକାଶ ମିଶ୍ର