ଗୁଣାତ୍ମକ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଜରୁରୀ

ଭୁବନେଶ୍ୱର (ଆକାଶ ମିଶ୍ର)-     ରେଡକ୍ରସ ଭବନ ଜନସ୍ୱାସ୍ଥ୍ୟ ଅଭିଯାନ, ଓଡ଼ିଶା ତରଫରୁ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟସେବା ସମ୍ପର୍କିତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେବା ପାଇଁ ସ୍ୱାସ୍ଥ୍ୟ ଉପରେ କାର୍ଯ୍ୟରତ ଅନୁଷ୍ଠାନ, ଗବେଷକ, ଆଇନ୍ ସହାୟତା ପ୍ରଦାନ ଅନୁଷ୍ଠାନ, ଟ୍ରେଡ଼ ୟୁନିୟନ, ରୋଗୀ ଅଧିକାର ଗୋଷ୍ଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବିଶେଷଭାବରେ ଓଡ଼ିଶା ସରକାର ସ୍ୱାସ୍ଥ୍ୟବୀମା ଯୋଜନାରେ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ନ ଦେଇ କିମ୍ବା ପିପିପି ବ୍ୟବସ୍ଥା ନ କରି ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଅର୍ଥ ବ୍ୟୟ କରନ୍ତୁ ଯାହାଫଳରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ସ୍ୱାସ୍ଥ୍ୟ ସେବା ପାଇପାରିବେ । ବେସରକାରୀ ଚିକିତ୍ସା, ଔଷଧ ଓ ପରୀକ୍ଷାର ମୂଲ୍ୟ ସରକାର ନିର୍ଦ୍ଧାରଣ ଓ ନିୟନ୍ତ୍ରଣ କରନ୍ତୁ । ଜିଡ଼ିପିର ୨.୫ ଶତକଡ଼ା ସ୍ୱାସ୍ଥ୍ୟ ବଜେଟ ବ୍ୟବସ୍ଥା, ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ତଥା ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗର ପ୍ରାଥମିକ ଅବସ୍ଥାରୁ ଚିହ୍ନଟ ଓ ଚିକିତ୍ସା କରାଯିବା ଦରକାର । ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ୱାସ୍ଥ୍ୟ ସେବା ଉପରେ ବିଭିନ୍ନ ବକ୍ତାମାନେ ମତ ଦେଇଥିଲେ । ଏହି ଅବସରରେ ଅତିଥି ଭାବରେ ଡା ରଶି୍ମରଞ୍ଜନ ଶତପଥୀ, ଡା ମଦନ ପ୍ରଧାନ, ଜନସ୍ୱାସ୍ଥ୍ୟ ଅଭିଯାନର ରାଷ୍ଟ୍ରୀୟ ଯୁଗ୍ମ ଆବାହକ ଡା ଅମିତ୍ ସେନଗୁପ୍ତା, ବରିଷ୍ଠ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ତୁଷାରକାନ୍ତି ରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ରାଜ୍ୟ ଜନସ୍ୱାସ୍ଥ୍ୟ ଅଭିଯାନର ରାଜ୍ୟ ଆବାହକ ଗୌରାଙ୍ଗ ଚନ୍ଦ୍ର ମହାପାତ୍ର । ପରିଶେଷରେ ବିଜୟଲକ୍ଷ୍ମୀ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।