


ଭୁବନେଶ୍ୱର(ସମୃଦ୍ଧଓଡିଶା) ଓଡ଼ିଶାର ନୃତ୍ୟ ପରମ୍ପରା ହେଉଛି କାଳଜୟୀ। ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଏବଂ ଓଡ଼ିଶାର ବିଭିନ୍ନ ଲୋକନୃତ୍ୟରେ ପ୍ରତିବିମ୍ବିତ ହୁଏ ଓଡ଼ିଆ ସଂସ୍କୃତି, ପରମ୍ପରା ଏବଂ ଓଡ଼ିଆ ଅସ୍ମିତା। ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଏବଂ ବିଭିନ୍ନ ଲୋକନୃତ୍ୟ ପାଇଁ ଆମେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଓଡ଼ିଶାର ବିଭିନ୍ନ ନୃତ୍ୟର ବହୁଳ ପ୍ରଚାର-ପ୍ରସାର ଏବଂ ସାଂସ୍କୃତିକ ଭାବ ବିନିମୟ ନିମନ୍ତେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଛି “ଦ୍ଵିତୀୟ ପ୍ରବାସୀ ନୃତ୍ୟ ସଙ୍ଗମ” କାର୍ଯ୍ୟକ୍ରମ। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଏବଂ ଆମେରିକା ସ୍ଥିତ ‘ନୃତ୍ୟସାଧନା’ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଆଜି ଓଡ଼ିଶୀ ଗବେଷଣା କେନ୍ଦ୍ର ସ୍ଥିତ ‘ଉତ୍କଳ ରଙ୍ଗମଞ୍ଚ’ରେ ଅନୁଷ୍ଠିତ ହୋଇଯାଇଛି ‘ଦ୍ୱିତୀୟ ପ୍ରବାସୀ ନୃତ୍ୟ ସଙ୍ଗମ’ କାର୍ଯ୍ୟକ୍ରମ। ଆଜିର ଏହି କାର୍ଯ୍ୟକ୍ରମରେ ଆମେରିକା ସ୍ଥିତ ନୃତ୍ୟସାଧନା ଅନୁଷ୍ଠାନର ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଦଳଗତ ଓଡ଼ିଶୀ ନୃତ୍ୟ ଆଜିର କାର୍ଯ୍ୟକ୍ରମର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ନୃତ୍ୟସାଧନା ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାର ସୁଯୋଗ ପାଇଥିବାରୁ ଓଡ଼ିଶା ସରକାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ବିଦେଶରେ ଓଡ଼ିଶୀ ନୃତ୍ୟ ଏବଂ ଜଗନ୍ନାଥ ସଂସ୍କୃତିର ବହୁଳ ପ୍ରଚାର-ପ୍ରସାର କରିବା ନିମନ୍ତେ ସେମାନେ ସଦାସର୍ବଦା ଚେଷ୍ଟିତ ବୋଲି ମତପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ପରିବାରର ନିର୍ଦ୍ଦେଶକ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟନିର୍ବାହୀ ଶ୍ରୀ ବିଜୟ କେତନ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା, ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ବିଦୁଶୀ ଶ୍ରୀମତୀ ସୁଜାତା ମହାପାତ୍ର, ନୃତ୍ୟ ସାଧନା ଅନୁଷ୍ଠାନର ପ୍ରତିଷ୍ଠାତା ତାପସୀ ରଥ ଓ ସୁଚିଲଗ୍ନା ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଡକ୍ଟର ତାପସୀ ରଥ ଏବଂ ସୁଚିଲଗ୍ନା ପାଣିଗ୍ରାହୀ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଓଡ଼ିଶୀ ଗବେଷଣା କେନ୍ଦ୍ରର ଜ୍ୟୋତିରାଣୀ ନାୟକ ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଦ୍ୱେତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା ଏବଂ ସାଥୀ, ଗୁରୁ ଜ୍ୟୋତି ରାଉତ ଏବଂ ସାଥୀ ଓ ଉତ୍କଳ ସଙ୍ଗୀତ ମହବିଦ୍ୟାଳୟର ନୃତ୍ୟ ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଏଥିସହ ମୟୂର ଆର୍ଟ ସେଣ୍ଟର ତରଫରୁ ଛଉ ନୃତ୍ୟ, ଢ଼ୋଲମହୁରୀ କଳାପରିଷଦ, ବଲାଙ୍ଗୀର ତରଫରୁ ସମ୍ବଲପୁରୀ ନୃତ୍ୟ, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, କେସିଙ୍ଗା, କଳାହାଣ୍ଡି ତରଫରୁ ଢ଼ାପ ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିବା ବେଳେ ଶ୍ରୀ ବିଶ୍ୱଜିତ୍ ବଳିଆରସିଂ ମଞ୍ଚ ପରିଚାଳନା କରିଥିଲେ ।
ରିପୋର୍ଟ : ଅମ୍ଳାନ ଦାସ, ଲୋକସମ୍ପର୍କ ଅଧିକାରୀ