

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥା ପରିସରରେ ଋଷିକୂଲ୍ୟା ସାମୁଦ୍ରିକ କଇଁଚ ସୁରକ୍ଷା ସମିତି ଏବଂ ବ୍ରହ୍ମପୁର ବନଖଣ୍ଡ ସହାୟତାରେ ଘରଚଟିଆ ସଂରକ୍ଷଣ ଅଭିଯାନ ସମ୍ପର୍କିତ ଏକ ଆଲୋଚନା ଚକ୍ର ଆୟୋଜନ ସହ ଗୋପାଳପୁର ବାସିନ୍ଦାଙ୍କୁ ଘରଚଟିଆ ଗୃହ ବଣ୍ଟନ କରାଯାଇଥିଲା । ଋଷିକୂଲ୍ୟା ସାମୁଦ୍ରିକ ସୁରକ୍ଷା ସମିତିର ସଂପାଦକ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରସିସିଏଫର ଏସ.ପନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମିତି ପକ୍ଷରୁ ଘରଚଟିଆ ସଂରକ୍ଷଣ ନିମନ୍ତେ କରାଯାଇଥିବା କାର୍ଯ୍ୟର ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ନିମନ୍ତେ ସବୁବେଳେ ସହଯୋଗର ହାତ ରହିବ ବୋଲି ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର ସହ ନିର୍ଦ୍ଦେଶକ ହୃଷିକେଶ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଞ୍ଜାମର ଐତିହ୍ୟ ଚଢ଼ିଆ ନାଚ ସହ ଘରଚଟିଆ ସମ୍ପର୍କ ନେଇ ମତବ୍ୟକ୍ତ କରିଥିଲେ । ଏଣୁ ଗଞ୍ଜାମର ଐତିହ୍ୟର ସୁରକ୍ଷା ସହ ଘରଚଟିଆ ସଂରକ୍ଷଣ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ ବେହେରା ଯୋଗଦେଇ ଗଞ୍ଜାମ ଜିଲ୍ଲାର ଅନ୍ୟ ସବୁ ବ୍ଲକକୁ ସଂପ୍ରସାରଣ କରିବାକୁ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ, ଭାରତୀୟ ପ୍ରାଣୀ ବୈଜ୍ଞାନିକ ଅନିଲ ମହାପାତ୍ର ପ୍ରମୁଖ ମଞ୍ଚାସୀନ ରହି ଘରଚଟିଆ ସଂରକ୍ଷଣ ଉପରେ ନିଜ ନିଜର ମତ ପ୍ରକାଶ କରିଥିଲେ । ଏହି ଅବସରରେ ଫଟୋଗ୍ରାଫର ଲିଙ୍ଗରାଜ ପଣ୍ଡା ଓ ଗୋପାଳପୁରର ବବିତା ଗୌଡ଼ଙ୍କୁ ଘରଚଟିଆ ସଂରକ୍ଷଣରେ ସହଯୋଗିତା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ଗୋପାଳପୁର ମହାବିଦ୍ୟାଳୟ ଅଧ୍ୟାପକ ରାମଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା





