ଗୋପାଳପୁର ପୋର୍ଟ ଡକ୍ ଓରକସ୍ ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପାଳପୁର ପୋର୍ଟ ଡକ୍ ଓରକସ୍ ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଗୋପାଳପୁର ପୋର୍ଟ ଶ୍ରମିକ ସଂଗଠନର ୱାଗନ୍ ଲୋଡିଙ୍ଗ ଶ୍ରମିକ ଓ ପୋର୍ଟ କତ୍ତୃପକ୍ଷଙ୍କ ମଧ୍ୟରେ କିଛି ଦିନ ହେଲା ବିବାଦ ବଢ଼ିବାରେ ଲାଗିଛି । ଯେଉଁ କଥାକୁ ନେଇ ଜିଲ୍ଲା ପ୍ରଶାସନ ଓ ବନ୍ଦର କତ୍ତୃପକ୍ଷ ଦୀର୍ଘଦିନ ହେଲା ଆପ୍ରାଣ ଚେଷ୍ଟା କରି ଶ୍ରମିକ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ଆସୁଥିଲେ ମଧ୍ୟ ଆଜି ବିଫଳ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଶ୍ରମିକ ମାନେ ବନ୍ଦର ବିରୋଧରେ ଯୁଦ୍ଧ ଘୋଷଣା କରି ଦେଇଛନ୍ତି । ବନ୍ଦରର ତିନି ପ୍ରମୁଖ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲା ପ୍ରଶାସନ ପାଖେ ଦ୍ବାରସ୍ଥ ହୋଇ ତୁରନ୍ତ ସମାଧାନ ପାଇଁ ଅଭିଯୋଗ କରିବା ପରେ ଏବେ ଗୋପାଳପୁର ପୋର୍ଟ ପାଇଁ ଅଡୁଆ ଆଉରି ବଢିଛି । ଗତକାଲି ମଧ୍ୟ ୱାଙ୍ଗନ ଲୋଡିଙ୍ଗ ପଏଣ୍ଟ ପୋର୍ଟ ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ପୋର୍ଟ କତ୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡିଥିଲା । ଗୋପାଳପୁର ପୋର୍ଟରେ ୩୦ ବର୍ଷ ଧରି କାମ କରି ଆସୁଥିବା ଶ୍ରମିକ ମାନେ ଆଜି ପୋର୍ଟର ଦୋମୁହାଁ ନିତି ଲାଗି ସେମାନଙ୍କ ଜୀବନ ଜୀବିକା ଦୋଛକିରେ ଆସି ପହଞ୍ଚିଛି । ପୁର୍ବରୁ ପୋର୍ଟ ପରିସର ବାହାରେ ଥିବା ଆଇଆରଇ କଂପାନିର ନର୍ଥ ସାଇଡ ପ୍ଲାଟ ଫର୍ମରେ ଗୋପାଳପୁର ବନ୍ଦରର ମାଲ ଲୋଡିଙ୍ଗ ଆନଲୋଡିଙ୍ଗ କାର୍ଯ୍ୟ ସଂପାଦନ ହେଉଥିଲା । ଏଥିରେ ପୁରୁଷ ମହିଳା ଏକ ହଜାର ପାଖାପାଖି ଶ୍ରମିକ ନିଯୁକ୍ତ ହେଉଥିଲେ ପ୍ରତି ଶ୍ରମିକ ମାସକୁ ହାରାହାରି ୨୦ରୁ ୨୫ ହଜାର ଟଙ୍କା ମଜୁରି ପାଇପାରୁଥିଲେ । ବର୍ତ୍ତମାନ ଗୋପାଳପୁର ପୋର୍ଟ ନିଜର ସ୍ୱତନ୍ତ୍ର ରେଳ ଟ୍ରାକ ସହ ଲୋଡିଙ୍ଗ ଆନଲୋଡିଙ୍ଗ ନିମନ୍ତେ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିସାରିଛି ତେବେ ପୋର୍ଟ ଶ୍ରମିକ ମାନଙ୍କୁ ବନ୍ଦର ପରିସରରେ ଥିବା ନବ ନିର୍ମିତ ସାଉଥ ସାଇଡ୍ ପ୍ଲାଟଫର୍ମ ପଏଣ୍ଟରେ କାମ କରିବାକୁ ବାରଣ କରାଯାଉଥିବାରୁ ଶ୍ରମିକମାନଙ୍କ ମନରେ ବର୍ତ୍ତମାନ ପୋର୍ଟରେ ସେମାନଙ୍କ ନିଯୁକ୍ତିକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଶ୍ରମିକମାନଙ୍କ ଅଭିଯୋଗ ଯେ ଗୋପାଳପୁର ବନ୍ଦରରେ ଦୀର୍ଘ ୩୦ ବର୍ଷ ଧରି ସ୍ୱଳ୍ପ ବେତନରେ ଆମେ କାମ କରି ଆସୁଥିଲେ ସେମାନେ ବିଭିନ୍ନ ସମୟରେ ଟ୍ରେନ କମ ଆସୁଥିବାରୁ କାମ ଠିକ ସେ ପାଇ ପାରୁନଥିଲେ । ତେବେ ବନ୍ଦର କତ୍ତୃପକ୍ଷ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ନୁଆ ରେଳ ଧାରଣା ବା ଲୋଡିଙ୍ଗ ପଏଣ୍ଟ ହେବା ପରେ ତୁମ ମାନଙ୍କୁ ଅଧିକରୁ ଅଧିକ କାମ ଯୋଗାଇ ଦିଆଯିବ । ବର୍ତ୍ତମାନ ନୁଆ ଲୋଡିଙ୍ଗ ପ୍ଲାଟଫର୍ମରେ ଏବେ ୱାଙ୍ଗନ ଲୋଡିଙ୍ଗ ଶ୍ରମିକମାନଙ୍କୁ କାମ କରିବା ପାଇଁ ଅନୁମତି ଦିଆଯାଉନାହିଁ କଣ ପାଇଁ ବୋଲି ଶ୍ରମିକ ମାନେ ସନ୍ଦେହ ଘେରରେ ଥିବା ବେଳେ କିଛି ଦିନ ତଳେ ସାଉଥ ଲୋଡିଙ୍ଗ ପଏଣ୍ଟରୁ ଟ୍ରେନ୍ ଟିକୁ ବନ୍ଦର କତ୍ତୃପକ୍ଷ ଜୋରଜବରଦସ୍ତ ନର୍ଥ ଲୋଡିଙ୍ଗ ପଏଣ୍ଟକୁ ନେବା ଦ୍ୱାରା ଶ୍ରମିକ ଓ ପୋର୍ଟ କତ୍ତୃପକ୍ଷଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏହା ଶ୍ରମିକ ସଂଘ ଓ ପୋର୍ଟ କତ୍ତୃପକ୍ଷଙ୍କ ସହ ଆଲୋଚନା ହେବା ପରେ ପୋର୍ଟ ଏହା କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲା । ତେବେ ପୁନର୍ବାର ପୋର୍ଟ ସେହିଭଳି ଆଉଥରେ ନୁଆ ଲୋଡିଙ୍ଗ ପଏଣ୍ଟରେ ହିଁ ଟ୍ରେନ୍ ନେଇ ଲଗେଇଥିଲା । ହେଲେ ଶ୍ରମିକ ମାନେ ବାଧ୍ୟ ହୋଇ ସେହି ନୁଆ ଲୋଡିଙ୍ଗ ପଏଣ୍ଟରେ କାମ କରିବାକୁ ଯାଉଛନ୍ତି । ତେବେ ପୋର୍ଟ ଏପର୍ଯ୍ୟନ୍ତ ସେମାନଙ୍କ ମଜୁରି ଦେଉନାହିଁ କି ସ୍ୱୀକୃତି ଦେଉନାହିଁ କିମ୍ୱା ସମସ୍ୟାର କୌଣସି ସ୍ଥାୟୀ ସମାଧାନ ମଧ୍ୟ କରୁନାହିଁ । ଏହାକୁ ନେଇ କିଛିଦିନ ତଳେ ଛତ୍ରପୁର ଏସଡିପିଓ ଗୌତମ କିଷାନଙ୍କ କାର୍ଯ୍ୟାଳୟରେ ସରଗରମ ଆଲୋଚନା ହୋଇଥିଲା ମଧ୍ୟ ଏହାର କୌଣସି ସୁଫଳ ବାହାରି ନଥିଲା । ଶ୍ରମିକ ମାନେ ପୋର୍ଟ କତ୍ତୃପକ୍ଷଙ୍କ କଥା ସଂପୂର୍ଣ୍ଣ ଶ୍ରମିକମାରଣ ନିତି ବୋଲି କହି ସେଠାରୁ ଓହୋରି ଯାଇଥିଲେ । ଶ୍ରମିକ ମାନଙ୍କ ମନରେ ଭୟ ଯେ ପୋର୍ଟ ଶ୍ରମିକମାନଙ୍କୁ ଛୋଟେଇ କରି ସମସ୍ତ କାମ ମେସିନରେ ଆରମ୍ଭ କରିବାକୁ ଷଡଯନ୍ତ୍ର କରୁଛି । ଶ୍ରମିକ ନେତା ମାନେ ମଧ୍ୟ ଏଭଳି ମତପୋଷଣକୁ ସ୍ୱୀକାର କରୁଛନ୍ତି । ଏହା ଫଳରେ କମ ଖର୍ଚ୍ଚରେ ଅଧିକ ମୁନାଫା ପୋର୍ଟ ପାଇବ । ତେବେ ପ୍ରଶ୍ନ ଉଠୁଛି, ଯେ ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କଣ କେବଳ ପଂମ୍ପା ମାଠିଆର ଶବ୍ଦ କି ? ସବୁଦିନଆ ବନ୍ଦର ହେଲେ ସବୁଦିନ ରୋଜଗାର ପାଇବେ ଛତ୍ରପୁରର ସମସ୍ତ ଲୋକେ କାମ ନିଯୁକ୍ତି ଏଇଠେ ପାଇବେ ଏଭଳି ଚକାଚକା କଥା ଆଜି ପାଣିର ଗାର ସଦୃଶ୍ୟ ପାଲଟିଛି ବୋଲି ଶ୍ରମିକମାନେ ଆଲୋଚନା କରୁଛନ୍ତି । ଜିଲ୍ଲା ପ୍ରଶାସନ ଓ ବନ୍ଦର କତ୍ତୃପକ୍ଷଙ୍କ ଏହି ସମସ୍ୟାର ସ୍ଥାୟୀ ସମାଧାନ ଯଦି ନ କରନ୍ତି ତାହା ହେଲେ ଆଗାମୀ ଦିନରେ ଶ୍ରମିକ ସଂଗଠନ ମାନେ ଗୋପାଳପୁର ବନ୍ଦରକୁ ସଂପୂର୍ଣ୍ଣ ବନ୍ଦ କରି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଗୋପାଳପୁର ପୋର୍ଟ ଡକ୍ ୱାର୍କସ ୟୁନିୟନ ପକ୍ଷରୁ ଜି. ଜଗନ୍ନାଥ, ଜି. ଡାଲେୟା, ଗୋପାଳପୁର ପୋର୍ଟ ମଜଦୁର ୟୁନିୟନର କେ. ଏଲେୟା, ପି. ରାମବାବୁ ଗୋପାଳପୁର ପୋର୍ଟ କର୍ମଚାରି ସଂଘ ପକ୍ଷରୁ ଏ. ଭେଙ୍କେଟ୍, ଏମ. କାନକା ଓ ଜି. ମାଲେସୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପ୍ରଶାସନ ପାଖେ ଫେରାଦ ହୋଇଛନ୍ତି ।