ଗୋପାଳପୁର ବିଧାୟକ ନିଜ କର୍ମୀଙ୍କୁ ନେଇ ମନାଉଛନ୍ତି ମିଶ୍ରଣ ପର୍ବର ପ୍ରହସନ : ବିଜେପିର ଅଭିଯୋଗ

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସଂପ୍ରତି ରିଲିଫ ବଣ୍ଟନରେ ବ୍ୟାପକ ହେରଫେର ହୋଇଥିବା ବେଳେ ବିଜେଡି ମିଶ୍ରଣ ପର୍ବ ଏକ  ପ୍ରହସନ ପାଲଟିଛି । ବିଜେଡି ଲୋକଙ୍କୁ ହିଁ ବିଜେଡିରେ ମିଶାଇ ବିଧାୟକ ବହୁ ଲୋକ ଯୋଗ ଦେଲେ ବୋଲି ଅପପ୍ରଚାର କରୁଛନ୍ତି । ଜଣେ ମଧ୍ୟ ବିଜେପି ସଦସ୍ୟ ବିଜେଡିରେ ଯୋଗ ଦେଇନଥିବା ବେଳେ ନିଜ ଦଳରେ ଅସନ୍ତୋଷର ଶିକାର ହୋଇ ଗୋପାଳପୁର ବିଧାୟକ ତିତିଲି ରିଲିଫ ଚେକ ଦେବା ଆଳରେ ପାଖକୁ ଡାକି, ଫୋଟ ଉଠାଇ ବିଜେଡିରେ ମିଶିଲେ ବୋଲି ଗଣମାଧ୍ୟମରେ ମିଛ କହି ପ୍ରହସନ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି  ।ଉଲ୍ଲେଖ ଯୋଗ୍ୟ ଯେ, ୧୮୦୦୨୬୬୧୦୦୧ ଡାଏଲ କଲେ ଭାରତୀୟ ଜନତା ପାର୍ଟିର ସଦସ୍ୟତାର  ତଥ୍ୟ ମିଳିଯାଉଥିବା ବେଳେ କେଉଁ ବିଜେପି ସଦସ୍ୟ ବିଜେଡିରେ ଯୋଗଦେଲେ ତାର ପ୍ରମାଣ ଦେବାକୁ ଦାବି କରାଯାଇଛି । ଉଦବେଗର ବିଷୟ ଯେ, ତିତିଲି ବିପନ୍ନଙ୍କ  ରିଲିଫ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଯିବା ବୋଲି ସରକାର କହୁଥିବା ବେଳେ ବିଧାୟକ ଲୋକଙ୍କୁ ଚେକ ଦେବେ ବୋଲି କହି କାଗଜ ସ୍ଲିପ ବାଣ୍ଟି ଏବେଠୁ ଭୋଟ ଦେବା ପାଇଁ ଶପଥ କରାଉଛନ୍ତି । ପବ୍ଲିକ କାମରେ ସୌଜନ୍ୟ ରକ୍ଷାକରି କୌଣସି ନେତୃସ୍ଥାନୀୟ ତଥା ଲୋକ ପ୍ରତିନିଧି ଯୋଗଦେଲେ ବିଧାୟକ ଦଳୀୟ କାର୍ଯ୍ୟର ରଙ୍ଗ ଦେଇ ମିଶ୍ରଣ ନାଟକ କରୁଛନ୍ତି । ଏ ପରିପ୍ରେକ୍ଷୀରେ ଶାଣପଡାର ସମିତିସଭ୍ୟା ଗଙ୍ଗୋତ୍ରୀ ନାୟକ,  ଶଙ୍କର ନାୟକ, ବିଶ୍ୱନାଥପୁର ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ନାୟକ, ସସ୍ମିତା ନାୟକ, ଗୋପାଳ ସେଠୀ,ବାବୁଲା ନାୟକ, ଚାନ୍ଦପୁର ପଂଚାୟତର ୱାର୍ଡ ସଭ୍ୟା ସଞ୍ଜୟ ପାତ୍ର, ରାଜୀବ ନାୟକ ପ୍ରମୁଖ ବିଜେପି ସଦସ୍ୟମାନେ ବିଜେଡିରେ ମିଶିବା ଖବରକୁ ଖଣ୍ଡନ କରିବା ସହ ଏଭଳି ଅପପ୍ରଚାରକୁ ନିନ୍ଦା କରିଛନ୍ତି । ଦୁର୍ନୀତି, ପ୍ରିୟାପ୍ରିତି ତୋଷଣ ଓ ଦଳୀୟ କନ୍ଦଳ ଯୋଗୁଁ ମନ୍ତ୍ରୀପଦ ହରାଇଥିବା ବିଧାୟକ ପ୍ରଲୋଭନ ଦେଖାଇ ମଣିଷ କିଣି ରାଜନୀତି କରିବା ବନ୍ଦ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ୧୯ ବର୍ଷର ଶାସନରେ ବିକାଶର ଡିଡିମ ପିଟୁଥିବା ବିଜେଡ଼ିକୁ ମିଶ୍ରଣ ଚିନ୍ତା କାହିଁକି ? କାରଣ ଲୋକେ ବିଜେଡିରୁ ମୁହଁ ଫେରାଇବା ଓ  ଅନ୍ତର୍ଦ୍ୱନ୍ଦରେ ଜୁଡୁବୁଡୁ ବିଜେଡିର ଗୋଡ଼ରୁ ବାଲି ଖସୁଥିବା ବେଳେ ଏଭଳି ମିଥ୍ୟା  ସଙ୍ଗଠନ କରି ଲୋକଙ୍କୁ ଭୁଆଁ ବୁଲାଇବାରୁ କ୍ଷ୍ୟାନ୍ତ ରହନ୍ତୁ ବୋଲି ବିଜେପି କର୍ମୀମାନେ ଦାବି କରିଛନ୍ତି  । ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ଵ ଓ ଜନକଲ୍ୟାଣ ଯୋଜନା ପାଇଁ ଗାଁ ଗାଁରେ ଲୋକେ ବିଜେପିରେ ସ୍ୱତଃପବୃତ ଭାବେ  ଯୋଗ ଦେଉଥିବା ବେଳେ ଗୋପାଳପୁର ବିଧାୟକ ଜ୍ଵର ବାଉଳିରେ ତାଟିଆ କାମୁଡୁଛନ୍ତି । ଏଭଳି କାର୍ଯ୍ୟରୁ ବିଜେଡିର ବାହୁବଳୀ ବିଧାୟକ ଗୋଷ୍ଠୀ, ମଦ ବେପାରୀ ନେତାମାନେ କ୍ଷାନ୍ତ ରୁହନ୍ତୁ ବୋଲି ସେମାନେ ଦାବୀ କରିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା