ଜଳେଶ୍ୱର (ସମୃଦ୍ଧ ଓଡିଶା) ସଂସ୍କୃତି ସମ୍ପନ୍ନ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋଟିଏ ଗାଁରେ ବସବାସ କରୁଥିବା ପ୍ରତ୍ୟେକେ ଭାଇ ସଦୃଶ । ସାମାଜିକ ପ୍ରତିବଦ୍ଧତା ଯୋଗୁଁ ପ୍ରତ୍ୟେକେ ପ୍ରତ୍ୟେକଙ୍କ ସାମାଜିକ କାର୍ଯ୍ୟରେ ସହାୟତା କରିଥାନ୍ତି । କିନ୍ତୁ ଜଳେଶ୍ୱର ବ୍ଲକ ଉପାନ୍ତ ନଛିମପୁର ପଂଚାୟତର ଆମ୍ବଳିଅଠା ଗାଁରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁରେ ପୂର୍ବ ଘଟଣାକୁ ଆଳକରି ଜଣେ ବ୍ୟକ୍ତିର ମୃତ୍ୟରେ ଗ୍ରାମବାସୀମାନେ ସାମାଜିକ ଦାୟିତ୍ୱବୋଧରେ ଶବ ସତ୍କାର କରିବାକୁ ନ ଯିବା ସମଗ୍ର ଅଂଚଳରେ ଆଲୋଚ୍ୟର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଆମ୍ବଳିଅଠା ଗାଁରେ କିଛିବର୍ଷ ଧରି ବସବାସ କରି ଆସୁଥିବା ଭୂପତି ଜେନାଙ୍କର ଜଣେ ପୁଅ ଗିରିଜା ଶଂକର ଜେନାଙ୍କୁ କୌଣସି ଏକ ଘଟଣାରେ ଗ୍ରାମବାସୀଙ୍କ ପକ୍ଷରୁ ମାଡ ହୋଇଥିବାର ତାଙ୍କ ସ୍ତ୍ରୀ ରଶ୍ମିରେଖା ଜଳେଶ୍ୱର ଥାନାରେ ଅଭିଯୋଗ କରିଥିବାରୁ ଏକ ମାମଲା ୬୯/୧୯ ରୁଜୁ ହୋଇଥିଲା । ପରେ ଉକ୍ତ ଘଟଣାର ସମାଧାନ ନିମନ୍ତେ ଥାନାରୁ ମାମଲା ପ୍ରତ୍ୟାହାର କରିବା ଓ ଜୋରିମାନା ଦେବାକୁ ଗିରିଜା ଶଂକର ଉପରେ ଗ୍ରାମବାସୀମାନେ ଚାପ ସୃଷ୍ଟି କରିଥିଲେ । କିନ୍ତୁ ଭୁପତି ଜେନା ହଠାତ୍ ଅସୁସ୍ଥ ହୋଇ ଜିକେଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାର ମୃତ୍ୟୁ ଘଟିଥିଲା । ପରେ ମୃତ ଭୁପତିର ଚାରିପୁଅ ଭବାନୀ ଶଂକର, ସୁଶାନ୍ତ, ରାମ ଶଂକର ଓ ଗିରିଜା ଶଂକର ଶବ ସତ୍କାର ଲାଗି ଗାଁର ବାରିକ, ଧୋବା ଓ ଅନ୍ୟ ମାନଙ୍କୁ ଡାକିଥିଲେ ମଧ୍ୟ ଗାଁ ମାଲିକ ପ୍ରଦୀପ ଜେନାଙ୍କ ନିଷ୍ପତ୍ତି ଅନୁଯାୟୀ ସେମାନେ ଶବ ସତ୍କାରକୁ ଆସିବେ ନାହିଁ ବୋଲି ରୋକ୍ଠୋକ ଶୁଣାଇଥିଲେ । ଏପରିକି ଗ୍ରାମ୍ୟ ଶ୍ମଶାନକୁ ବ୍ୟବହାର ନ କରିବା ପାଇଁ ଚେତାବନି ଦେଇଥିଲେ । ଶେଷରେ ଚାରିପୁଅ, ଝିଅ ଅମ୍ବିକା, ସ୍ତ୍ରୀ ଅଂଜଳି ଓ ଅନ୍ୟ ଆତ୍ମୀୟ ସ୍ୱଜନ ଏପରି ଏକ ଗୁରୁଦାୟିତ୍ୱ ତୁଲାଇବାର ସିଦ୍ଧାନ୍ତ ନେଇଥିଲେ । ପାଞ୍ଚ ଘଣ୍ଟା ଧରି ଶବ ପିଣ୍ଡାରେ ପଡିବା ପରେ ଶେଷରେ ୧୪ କିମି. ଦୂର ସୁବର୍ଣ୍ଣରେଖା ନଦୀକୂଳ ରାଜଘାଟ ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏପରି ଏକ ସମବେଦନଶୀଳ ଘଟଣାରେ ଗ୍ରାମବାସୀ ନିଷ୍ଠୁରତା ଆଲୋଚ୍ୟର ବିଷୟ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା