

କୁକୁଡାଖଣ୍ଡି (ସମୃଦ୍ଧ ଓଡିଶା) କିଛିଦିନ ତଳେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ନିକଟସ୍ଥ ମେଣ୍ଢାରାଜପୁର ବିଦ୍ୟୁତ ଦୁର୍ଘଟଣାରେ ୧୧ଜଣ ମୃତ୍ୟୁ ବରଣ କରିଥିବା ନେଇ ସାରା ଓଡିଶାରେ ଚହଳ ପକାଇଥିଲା । ଠିକ ତାର ଦୁଇ ଦିନ ପରେ ବେଲଗୁଣ୍ଠା ସନ୍ନିକଟ କୋକଲୁଣ୍ଡା ଠାରେ ବିଦ୍ୟୁତ ଆଘାତରେ ଜେଜେମା ଓ ନାତିଙ୍କ ମୃତ୍ୟୁ ଘଟିଥିଲା ।ମେଣ୍ଢାରାଜପୁର ଘଟଣା ପରେ ରାଜ୍ୟସରକାର ସମସ୍ତ ଅସଜଡ଼ା ବିତ୍ୟୁତ ଭିତିଭୂମିକୁ ସଜାଡ଼ିବା ପାଇଁ ବିଦ୍ୟୁତ ବିଭାଗକୁ ନିର୍ଦେଶ ଦେଇଥିଲେ । ହେଲେ କୁକୁଡାଖଣ୍ଡି ବିଦ୍ୟୁତ ବିଭାଗର ଦୁଷ୍ଟି ଆଡୁଆଳରେ ରହିଯାଇଛି ଜନଗହଳିପୂର୍ଣ୍ଣ ଅଞ୍ଚଳ ତଥା କୁକୁଡାଖଣ୍ଡି ତହସିଲ ଅଫିସ ନିକଟସ୍ଥ ବିଶ୍ୱେସ୍ୱର ନଗର ଥାର୍ଡ଼ଲାଇନରେ ଥିବା ହରି ପାଣିଗ୍ରାହୀଙ୍କ ଘର ସାମ୍ନାରେ ଯାଇଛି ୧୧କେଭିର ବିଦ୍ୟୁତ ତାର, ତାହା ପୁଣି ଘରଠୁ ଦୁଇ ମିଟର ଦୂରରେ, ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ସେଠି ବସବାସ କରିବାକୁ ଡରୁଛନ୍ତି । ଏ ନେଇ ହରି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ଏହି ଟ୍ରାନ୍ସଫରମର କେତେବେଳେ କେଉଁ ଅଘଟଣ ଘଟାଇବ କିଛି କହି ହବନି । ତେଣୁ ଯଥା ଶୀଘ୍ର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା