ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର କଲେଜ ଛକ ନିକଟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ସମ୍ମୁଖରେ ଏକ ବାଲି ବୋଝେଇ ଟିପ୍ପର ସିମା ନାୟକଙ୍କ ଘର ଘର ଭିତରକୁ ପଶି ଯାଇଥିବା ଜଣାପଡିଛି । ଫଳରେ ଅଳ୍ପକେ ବର୍ତ୍ତିଲେ ଘରେ ଥିବା ଦୁଇ ଶିଶୁ ସମେତ ପରିବାର ସଦସ୍ୟ ମାନେ । ଘରର ପାଚେରି ଭାଙ୍ଗି ଟିପ୍ପରର ଅର୍ଦ୍ଦେକ ଅଂଶ ଘର ଭିତରକୁ ପଶିଯାଇଥିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ କଲେଜ ଛକ ନିକଟୁ ଜୈନିକ ଘରକୁ ବାଲି ଧରି ଯାଉଥିବା ବେଳେ ଓଆର୦୯ କ୍ୟୁ ୦୪୭୫ ନମ୍ବର ବିଷିଷ୍ଟ ଟିପ୍ପରଟି ଭାରସାମ୍ୟ ହରାଇ ସିମାଙ୍କ ଘର ଭିତରକୁ ପଶି ଯାଇଥିଲା । ଘରର ବହୁ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଘର ମାଲିକ ସୂଚନା ଦେଇଛନ୍ତି । ଟ୍ରକ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ସେହିପରି ଆଜି ଛତ୍ରପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ମା’ ଉଜ୍ଜଳେଶ୍ୱରୀ ମନ୍ଦିର ନିକଟରେ ଦୁଇ ବାଇକ ଧକ୍କା ହୋଇ ଦୁଇଜଣ ଆହାତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସେମାନେ ନାଉଳି ଗ୍ରାମର ଆଶା ଗୌଡ (୧୬), ଅଭିମନ୍ୟୁ ଗୌଡ (୨୬) ବୋଲି ଜଣାଯାଇଛି । ଗୁରୁତର ଥିବା ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ । ସୂଚନାନୁସାରେ, ଏକ ବାଇକ ଯୋଗେ ଅଭିମନ୍ୟୁ ଓ ଆଶା ଗୌଡ ନିଜ ଗ୍ରାମ ନାଉଳିରୁ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ ଆଉ ଏକ ବାଇକରେ ଜଣେ ଆସି ତାଙ୍କୁ ଧକ୍କା ଦେଇଥିଲେ । ଫଳରେ ତିନି ଜଣ ଗୁରୁତର ଅବସ୍ଥାରେ ରାସ୍ତା ପାର୍ଶ୍ୱକୁ ପଡିଯାଇଥିଲେ । ସମାଜସେବୀ ବଳିଆ ବେହେରା, ମାଧବ କାୟା ଓ କିଛି ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାବେଳେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା