
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏକ ଘରୋଇ ହିଂସା ମାମଲାରେ ମିଥ୍ୟା ତଥ୍ୟ ଦେଇ ନୀଳକଣ୍ଠନଗର ଶିଶୁ ବିଦ୍ୟା ମନ୍ଦିରର ଅଧକ୍ଷ ଓ ଅଧ୍ୟାପକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ । ଏକ ଘରୋଇ ହିଂସା ମାମଲା ଏମସି ୫୧ା୧୫ରେ ଶ୍ରୀମତି ଅଲିଭା ରାଣୀ ସାବତ ତାଙ୍କ ସ୍ୱାମୀ ସୁଶାନ୍ତ କୁମାର ସାହୁ ଓ ଅନ୍ୟ ଚାରିଜଣଙ୍କ ବିରୁଦ୍ଧରେ ମାସିକ ସହାୟତା ଓ କ୍ଷତିପୂରଣ ପ୍ରଦାନ ପାଇଁ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଉକ୍ତ ମାମଲାରେ ଅଭିଯୁକ୍ତ ସାକ୍ଷ୍ୟ ପ୍ରଦାନ କରିବା ସମୟରେ ନିଜେ ଓ ଅନ୍ୟମାନେ ମିଶି ଜାଲ୍ କାଗଜପତ୍ର ପ୍ରଦାନ କରିଥିଲେ । ସେମାନେ ମିଥ୍ୟା ଦରମା ସ୍ଲିପ୍, ମିଥ୍ୟା ଔଷଧ ବିଲ୍ ଓ ଅନ୍ୟାନ୍ୟ ଜାଲି କାଗଜାତ କୋର୍ଟରେ ଦାଖଲ କରି କୋର୍ଟକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହି ମାମଲାରେ ମାନ୍ୟବର ଅଦାଲତ ଅଭିଯୋଗକାରିଣୀଙ୍କ ଆବଶ୍ୟକ ତଥ୍ୟକୁ ଗ୍ରହଣ କରି ତାଙ୍କ ପ୍ରତି ଘରୋଇ ହିଂସା ହୋଇଥିବା ପ୍ରମାଣିତ କରିଥିଲେ । ଅଭିଯୋଗକାରିଣୀଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ମାସିକ ୧୨ ହଜାର ଟଙ୍କା ଭରଣ ପୋଷଣ ବାବଦକୁ ଦେବା ପାଇଁ ଆଦେଶ କରିଥିଲେ । କିନ୍ତୁ ଅଭିଯୁକ୍ତ ମାନେ କୋର୍ଟ ଆଦେଶକୁ ଚ୍ୟାଲେଞ୍ଜ୍ କରି ସ୍ଥାନୀୟ ଜିଲା ଜଜ୍ କୋର୍ଟଙ୍କ ଠାରେ ୫୧ା୧୭ରେ ଏକ ଅପିଲ୍ କରିଥିଲେ । ଏଜିଡେ-୨ ଦୀପକ କୁମାର ଅଭିଯୋଗକାରୀମାନଙ୍କ ଦାବୀକୁ ଆଗ୍ରହ୍ୟ କରି ମାନ୍ୟବର ଏସଡିଜେଏମଙ୍କ ରାୟକୁ କାୟମ ରଖିବାକୁ ଶୁଣାଣି କରିଥିଲେ । ଅଭିଯୋଗକାରିଣୀଙ୍କ ପ୍ରତି ଅନ୍ୟାୟ ହୋଇଥିବା ଓ ଅଭିଯୁକ୍ତ ମାନଙ୍କ ମିଥ୍ୟା ତଥ୍ୟ ଦ୍ୱାରା ସେ ସମାଜରେ ଅପମାନିତ ହୋଇଥିବା ଯୋଗୁଁ ସେ ଏକ ୱାନ୍ ସିସି ମାମଲା ୫୮୦ା୧୭ରେ ମାନ୍ୟବର ଏସଡିଜେଏମଙ୍କ କୋର୍ଟରେ ରୁଜୁ କରିଛନ୍ତି । ଏଥିରେ ସେ ଦାୟର କରିଥିବା ତଥ୍ୟ ଓ ସାକ୍ଷ୍ୟକୁ ଗ୍ରହଣ କରି ମାନ୍ୟବର ବିଚାରପତି ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଏବଂ ଅଧକ୍ଷ ଏସ.ମୋହନ ରାଓଙ୍କ ସମେତ ରମେଶ ଚନ୍ଦ୍ର ଦେବର୍ତ୍ତା, ସନ୍ତୋଷ କୁମାର ସାହୁ, ସୌଦାମିନୀ ପାଢୀ, ଗୟାସ ରଥଙ୍କ ବିରୁଦ୍ଧରେ ଅଭିଯୋଗକୁ ଗ୍ରହଣ କରି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଭିଯୁକ୍ତ ମାନେ ଏହି ରାୟ ବିରୁଦ୍ଧରେ ମାନ୍ୟବର ଜିଲାଜଜ୍ଙ୍କ କୋର୍ଟରେ ୧୮ା୧୮ରେ ଏକ ମାମଲା ରୁଜୁ କରି ଏସଡିଜେଏମଙ୍କ ନିର୍ଦ୍ଦେଶକୁ ଖାରଜ କରିବା ପାଇଁ ପିଟିସନ୍ କରିଥିଲେ । କିନ୍ତୁ ମାନ୍ୟବର ଜିଲା ଜଜ୍ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଉପଯୁକ୍ତ ପ୍ରମାଣ ଥିବା ଦର୍ଶାଇ ସେମାନଙ୍କ ପିଟିସନ୍କୁ ଗତ ଫେବୃୟାରୀ ୧୮ରେ ଖାରଜ କରିଥିଲେ । ଏସଡିଜେଏମଙ୍କ ରାୟକୁ କାୟମ ରଖିବା ସହିତ ଆସନ୍ତା ଅପ୍ରେଲ ୧୭ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।
ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭଳି ଏକ ସୁନାମ ଧନ୍ୟ ଅନୁଷ୍ଠାନର ଅଧକ୍ଷ, ଅଧ୍ୟାପକ ଏକ ଘରୋଇ ହିଂସାକୁ ମାମଲାରେ ମିଥ୍ୟା ସାକ୍ଷୀ ଓ ଜାଲ୍ କାଗଜାତ କୋର୍ଟରେ ଦାଖଲ କରି ଏବେ କାଠଗଡା ପରିସରୁ ଚାଲିଆସିଯାଇଥିବା ଚର୍ଚ୍ଚା ଜୋର୍ ଧରିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା