ଘାଟାକେଶ୍ୱର ଜଳସେଚନ ପ୍ରକଳ୍ପ ନିର୍ମାଣ ଦାବି ନେଇ ଚାଷୀ ସୁରକ୍ଷା ଅଭିଯାନର ଆନ୍ଦୋଳନ ନିଷ୍ପତ୍ତି …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମସିହାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁକୁଡ଼ାଖଣ୍ଡି ବ୍ଳକର ଘଡ଼କା ନାଳ ଉପରେ ଡ୍ୟାମ ନିର୍ମାଣ କରାଯାଇ ତଳି ଅଞ୍ଚଳର ଜମି ଗୁଡ଼ିକୁ ମରୁଡ଼ି ଦାଉରୁ ରକ୍ଷା କରିବା ପାଇଁ ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ୍ପକୁ ଓଡ଼ିଶା ନିର୍ମାଣ ନିଗମକୁ ଦିଆଯାଇଥିଲେ ମଧ୍ୟ ପ୍ରାୟ ଅଢ଼େଇ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଏହି ଯୋଜନାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ନଥିବାରୁ ଚାଷୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର କାର୍ଯ୍ୟରେ ବିଶ୍ୱାସ କରେ ବୋଲି ଡ଼ିଣ୍ଡିମ ପିଟୁଥିବା ବେଳେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲା ଏବଂ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିର୍ବାଚନ ମଣ୍ଡଳୀରେ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଛି ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ କୁକୁଡ଼ାଖଣ୍ଡି ବ୍ଲକର ୮ଟି ପଞ୍ଚାୟତର ୫୦୦ ହେକଫର ଚାଷଜମିକୁ ଜଳସେଚନ ଏବଂ ୭୫ ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଣ ଲକ୍ଷ୍ୟଧାର୍ଯ୍ୟ ରହିଛି । କିନ୍ତୁ ପ୍ରଶାସନିକ ନିଷ୍କ୍ରିୟତା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ । ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନର ମିଳିତ ବୈଠକରେ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବି କରାଯାଇଛି । ସ୍ଥାନୀୟ ନବୀନ ଭବନ ଠାରେ ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନ ପକ୍ଷରୁ ଆବାହକ ରବି ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଋଷକିକୂଲ୍ୟା ରୟତ ମହାସଭାର ସଭାପତି ତ୍ରିନାଥ ବିଶ୍ୱାଳ ଓ ସମ୍ପାଦକ ସୀମାଞ୍ଚଳ ନାହାକ, ଲଙ୍ଗଳେଶର୍ୱ କୃଷକ ସଭାର
ସଭାପତି ବୃନ୍ଦାବନ ବେହେରା, କୈଳାସ ଚନ୍ଦ୍ର ସିଂ, ବକ୍ଳ ସଂଯୋଜକ ଶରତ ଚନ୍ଦ୍ର ଦାଶ, ମାନସ ରଞ୍ଜନ ତ୍ରିପାଠୀ, ବସନ୍ତ କୁମାର ଅଧିକାରୀ ପ୍ରମୁଖ ଯୋଗଦେଇ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ଏଠାରେ ଉଲ୍ଲେଖ କରାଯାଇପାରେ, ୨୦୧୬ ମସିହାରୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ଓଡ଼ିଶା ନିର୍ମାଣ ନିଗମକୁ ଦିଆଯାଇଛି । ୬.୯.୨୦୧୭ରେ ଏହାର ଟେଣ୍ଡର ପ୍ରକ୍ରିୟା ୧୧୧ କୋଟି ୨୮ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏହି ଟେଣ୍ଡର ପକ୍ରିୟା ଅଦ୍ୟାବଧି ଚୂଡ଼ାନ୍ତ ହୋଇନାହିଁ । ଜଳସେଚନ ବିଭାଗର ପତ୍ର ସଂଖ୍ୟା ୧୪୦୯୫/ତା.  ୮.୬.୨୦୧୬ରେ ୧୧୮ କୋଟି ୯୫ ଲକ୍ଷ ପାଇଁ ଖର୍ଚ୍ଚ ଅନୁମୋଦିତ ହୋଇଥିବା ସତ୍ତ୍ୱେ ଏହାର ଫାଇଲ ଅଦ୍ୟାବଧି ସରକାରଙ୍କ ନିକଟରେ ପଡ଼ି ରହିଛି । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏ ସମ୍ପର୍କରେ ଶୀଘ୍ର ପଦକ୍ଷେପ ଗ୍ରହଣ ନ କଲେ ମିଳିତ ଚାଷୀ ସଂଗଠନ ପକ୍ଷରୁ ବ୍ରହ୍ମପୁର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ସହ ଧାରଣା ଦିଆଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ କୁକୁଡ଼ାଖଣ୍ଡି ବ୍ଲକର ହଜାର ହଜାର ଚାଷୀ ଜଳସେଚନ ସୁବିଧା ପାଇପାରିବେ । କିନ୍ତୁ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଏହି ପ୍ରକଳ୍ପ ପଡ଼ି ରହିଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ବେଳେ ଓଡ଼ିଶା ନିର୍ମାଣ ନିଗମକୁ ଏ ସଂକ୍ରାନ୍ତରେ ୪୩ କୋଟି ଟଙ୍କା ଦିଆଯାଇଛି । ଫଳରେ ଥଇଥାନ, କାର୍ଯ୍ୟାଳୟ ଗୃହ, ସ୍କୁଲ ଗୃହ, ପୁନଃ ଥଇଥାନ କଲୋନୀ ବାବଦରେ ସରିଥିଲେ ମଧ୍ୟ ଡ୍ରେନ କାର୍ଯ୍ୟ କିମ୍ବା କେନାଲ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏ ସଂକ୍ରାନ୍ତରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ଜଳସେଚନ ମନ୍ତ୍ରୀ, ବିଭାଗୀୟ କମିଶନର ତଥା ସଚିବ, ମୁଖ୍ୟ ଯନ୍ତ୍ରୀ ଜଳସେଚନ ବିଭାଗର ପତ୍ର ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।

ରିପୋର୍ଟ : ରବି ରଥ