





ଛତ୍ରପୁର (ସମୃଦ୍ଧ ଓଡିଶା) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ବିଜେପି ସରକାରଙ୍କ ଭୁଲ ଓ ବିପଦଜନକ ନୀତି ଫଳରେ ଦେଶର ଅର୍ଥନୀତି ଘୋର ସଙ୍କଟର ସମ୍ମୁଖୀନ ହୋଇଛି ବୋଲି ପ୍ରତିବାଦ କରି ସିପିଆଇ ଓ ସିପିଆଇ(ଏମ) ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି । ମୋଟର ଯାନ ଠାରୁ ଆରମ୍ଭ କରି ବସ୍ତ୍ର ,କପଡା ଶିଳ୍ପ, ପରିବହନ ଓ ନିର୍ମାଣ ଶିଳ୍ପ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମାନ୍ଦାବସ୍ଥା ଗ୍ରାସ ହୋଇଛି । ଏପରିକି ସାଧାରଣ ଲୋକଙ୍କ ସବୁଦିନିଆ ହବି ଚା’ର ସାଥି ୫ ଟଙ୍କିଆ ବିସ୍କୁଟ ପ୍ୟାକେଟର ବିକ୍ରି ମଧ୍ୟ ହ୍ରାସ ପାଇଛି । ବିକ୍ରି ହ୍ରାସ ଯୋଗୁଁ ଉତ୍ପାଦନ ସଂକୁଚିତ ହୋଇଛି ଏବଂ ଲକ୍ଷ ଲକ୍ଷ ଶ୍ରମିକ କର୍ମଚାରୀ ଛଟେଇ ହେବାରେ ଲାଗିଛନ୍ତି । ଚାଷୀ ଫସଲର ଉଚିତ ମୂଲ୍ୟ ନ ପାଇ ଋଣ ଦାଉରେ ଆତ୍ମହତ୍ୟା କରୁଛି । ମୂଲିଆ ଅନାହାର ଓ ଅର୍ଦ୍ଧାହାରରେ ଦିନ କାଟୁଛି । ଏହା ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ସାଧାରଣ ମଣିଷର ଦୈନନ୍ଦିନ ଜୀବନକୁ ଦୁର୍ବି ସହ କରି ଦେଇଛି । ଗରିବଙ୍କ ପଖାଳର ସାଥି ପିଆଜର ଦର ଆଜି ୬୦ ଟଙ୍କା ପହଞ୍ଚିଛି। କେନ୍ଦ୍ର ସରକାର ଏହାର ପ୍ରତିକାର ପରିବର୍ତ୍ତେ ଗାଲୁମାରି ଭୁଲତଥ୍ୟ ଦେବାରେ ଲାଗିଛନ୍ତି । ମୋଦି ସରକାର ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ଯେ, ତାଙ୍କ ସରକାରର ନୋଟ ବନ୍ଦୀ ଓ ଜିଏସଟି ଯୋଗୁଁ ଭାରତୀୟ ଅର୍ଥନୀତିର ପ୍ରଭୂତ କ୍ଷତି ଘଟିଛି । ହଜାର ହଜାର କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇଛି ଏବଂ କୋଟିଏରୁ ଉର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀ ଚାକିରୀ ହରାଇଛନ୍ତି ବୋଲି ପ୍ରତିବାଦ କାରୀ ସିପିଆଇ ଓ ସିପିଆଇ(ଏମ) ପକ୍ଷରୁ ଦାବୀ କରା ଯାଇଛି । ଆଉ ମଧ୍ୟ ଅର୍ଥନୈତିକ ସଙ୍କଟ ଓ ମାନ୍ଦାବସ୍ଥା ସୃଷ୍ଟି ହୋଇଛି ।ଅନ୍ୟ ପକ୍ଷରେ ବିଜେପି ଶାସନର ସମସ୍ତ ଫାଇଦା ନେଇଛନ୍ତି ସରକାରଙ୍କ ଦ୍ୱାରା ଲାଳିତ ପାଳିତ କିଛି ପୁଞ୍ଜିବାଦ ମୁଷ୍ଟିମେୟ ଧନୀକୁବେରମାନେ । ମାତ୍ର ସରକାର ଚାପରେ ଟ୍ୟାକ୍ସ ସରଚାର୍ଜ ପ୍ରତ୍ୟାହାର ସହିତ କର୍ପୋରେଟର ଟିକସ ହ୍ରାସ କରିଛନ୍ତି ଏବଂ ରାଜକୋଷ ବିତ୍ତିୟ ନିଅଣ୍ଟର ଭରଣା ପାଇଁ ରିଜର୍ଭ ବ୍ୟାଙ୍କରୁ ୧ଲକ୍ଷ ୭୨ ହଜାର କୋଟି ନେବା ପରେ ଏବେ ପୁଣି ୩୦ ହଜାର କୋଟି ମାଗିଛନ୍ତି ବୋଲି ସେମାନେ ଅଭିଯୋଗ କରିବା ସହ ସେମାନେ ଚେତାଇ ଦେଇଛନ୍ତି ଯେ ସରକାର ଜାଣି ରଖିବା ଉଚିତ ମାନ୍ଦାବସ୍ଥା ଦେଶକୁ ସଙ୍କଟରେ ପକାଉଛି । ରାଷ୍ଟ୍ରାୟତ ସଂସ୍ଥା ଓ ସରକାରୀ ଯୋଜନାରେ ନିବେଶ ବୃଦ୍ଧି କରି ନୂତନ କର୍ମ ନିଯୁକ୍ତି ସୃଷ୍ଟି ସହିତ ଗ୍ରାମୀଣ ଅର୍ଥନୀତିକୁ ସାହାର୍ଯ୍ୟ କରି ଲୋକଙ୍କର କ୍ରୟଶକ୍ତିକୁ ବଢ଼ାଇଲେ ଯାଇ ଚାହିଦା ବଢିବ ଓ ଶିଳ୍ପ ଉତ୍ପାଦନ ବୃଦ୍ଧି ପାଇଁ ମାନ୍ଦାବସ୍ଥା ଦୂର ହେବ ବୋଲି ବିକ୍ଷୋଭକାରୀ ପରାମର୍ଶ ଦେଇଛନ୍ତି । ମାତ୍ର ସରକାର ଏହା ନ କରି ଆର୍ଥିକ ସଂକଟରୁ ଦୃଷ୍ଟି ଏଡ଼ାଇବା ପାଇଁ ସାମ୍ପ୍ରଦାୟିକ ଧୃବି କରଣ ଓ ଉଗ୍ର ରାଷ୍ଟ୍ରବାଦ ସୃଷ୍ଟି କରିବାରେ ଲାଗି ପଡିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସମଗ୍ର ଦେଶରେ ଗଣତନ୍ତ୍ର, ସମ୍ବିଧାନ, ସଂଘୀୟ ବ୍ୟବସ୍ଥା ଓ ଧର୍ମ ନିରପେକ୍ଷତାକୁ ବିପନ୍ନ କରାଯାଉଛି ବୋଲି ତୀବ୍ର ଅଭିଯୋଗ କରିଛନ୍ତି । ବିଜେପି ଓ ଆରଏସଏସ ସଂଘ ପରିବାର ଯୋଜନା ବଦ୍ଧ ଭାବେ ମୁସଲମାନ, ସଂଖ୍ୟାଲଘୁ, ଦଳିତ, ଆଦିବାସୀ ଓ ମହିଳାଙ୍କ ଉପରେ ଆକ୍ରମଣ, ହିଂସା, ହତ୍ୟା ଓ ଦୁଷ୍କର୍ମ ବଢ଼ାଇ ଦେଶକୁ ବିପଦ ଆଡକୁ ଠେଲି ଦେଉଛନ୍ତି ବୋଲି ଅଭିଯୋଗ କରିବା ସହ ଜାମ୍ମୁ କାଶ୍ମୀର ରାଜ୍ୟକୁ ଭାଙ୍ଗି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରି ସମଗ୍ର କାଶ୍ମୀରକୁ ଏକ ଜେଲ ଖାନାରେ ପରିଣତ କରି ଗଣତନ୍ତ୍ରକୁ କବର ଦିଆଯାଇଛି ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ଦେଶର ୫ଟି ବାମପନ୍ଥୀ ଦଳ ନୂଆଦିଲ୍ଲୀ ଠାରେ ଏକ ଜାତୀୟ କନଭେନସନରେ ମିଳିତ ହୋଇ ବିଭିନ୍ନ ଦାବି ଉପରେ ଅକ୍ଟୋବର ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ମିଳିତ ଆନ୍ଦୋଳନ ଓ ଅଭିଯାନ ଚଳାଇଥିଲେ । ଏହି ପରିପ୍ରେକ୍ଷୀରେ ଆଜି ବିକ୍ଷୋଭର ଶେଷ ଦିବସରେ ଗଞ୍ଜାମ ଜିଲ୍ଲାରେ ଆଜି ସିପିଆଇ ଓ ସିପିଆଇ(ଏମ) ପକ୍ଷରୁ ମିଳିତ ଭାବେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣ ବିକ୍ଷୋଭ କରା ଯାଇ ଥିଲା । ଆଜି ସକାଳ ୧୦ ଘଣ୍ଟା ସମୟରେ ଛତ୍ରପୁର ଅପର ବସଷ୍ଟାଣ୍ଡ ଠାରୁ ପଟୁଆରରେ ବାହାରି ଲୋଏର ବସଷ୍ଟାଣ୍ଡ ଠାରେ ପ୍ରତିବାଦ ସଭା କରାଯାଇଥିଲା ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ବହୁ ବଡ ବଡ ସିପିଆଇ ଓ ସିପିଆଇ(ଏମ) ନେତା ମାନେ ଯୋଗ ଦେଇ ଉଦବୋଧନ ଦେଇଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା



