ଚରମ ସୀମା ଟପିଲା ହାଉସିଂ ବୋର୍ଡର ଠକାମୀ:ବାଜି ରାଉତ ଆବାସିକ ସଂଘର ଅଭିଯୋଗ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ମହିଷାପାଟସ୍ଥିତ ବାଜି ରାଉତ ଆବାସିକ ସଂଘ ପକ୍ଷରୁ ସଭାପତି ଲିଖିତ ଅଭିଯୋଗ କରିଛନ୍ତି ଯେ ଟଙ୍କା ଦେଇ ୮ ବର୍ଷ ହେଲା ହାଉସିଂ ବୋର୍ଡର ଆବଣ୍ଟନଗ୍ରାହୀମାନେ ଘର ଭଡା ନେଇ ବାହାରେ ରହୁଥିଲେ ମଧ୍ୟ ହାଉସିଂ ବୋର୍ଡ କର୍ଣ୍ଣପାତ କରୁନଥିବାରୁ ହାଉସିଂ ବୋର୍ଡର ଠକାମୀ ଚରମ ସୀମାରେ ପହଂଚିଲାଣି ବୋଲି ଅଭିଯୋଗ କରିଛନ୍ତି । ସେ ଜଣାଇଛନ୍ତି ଯେ, ବାସଗୃହ ହେଉଛି ମନୁଷ୍ୟର ଏକ ପ୍ରମୁଖ ମୌଳିକ ଆବଶ୍ୟକତା . ଠକାମିରୁ ରକ୍ଷା ପାଇବା ପାଇଁ ତଥା ସୁରୁଖୁରୁରେ ଓ ସୁଲଭ ମୂଲ୍ୟରେ ଘର ଖଣ୍ତେ ପାଇବା ପାଇଁ ଅନେକ ଆଶା ନେଇ ଭରସା କରିଥାନ୍ତି ସରକାରୀ ଗୃହ ନିର୍ମାଣ ସଂସ୍ଥା ଉପରେ । ମାତ୍ର ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା (ହାଉସିଂ ବୋର୍ଡ) ଠକାମିର ଚରମ ସୀମା ଟପି ସାଧାରଣ ଲୋକଙ୍କ ବିଶ୍ୱାସକୁ ଭାଙ୍ଗି ଚୁରମାର କରିଥିବା ଘଟଣା ସାମ୍ନାକୁ ଆସିଛି । ଢେଙ୍କାନାଳ ସହର ଉପକଣ୍ଠ ମହିସାପାଟରେ ବାଜି ରାଉତ ସମନ୍ବିତ ସାମାଜିକ ଗୃହ ନିର୍ମାଣ ଯୋଜନା ଅଧୀନରେ ୩୯ଟି ଏଚଆଇଜି, ୭୪ଟି ଏମଆଇଜି ଓ ୪୬ଟି ଏଲଆଇଜି କୋର ଘର ବିକ୍ରି କରିବା ପାଇଁ ବୋର୍ଡ ଡିସେମ୍ବର, ୨୦୧୧ ମସିହାରେ ବିଜ୍ଞପ୍ତି ପ୍ରକାଶ କରିଥିଲା । ବୋର୍ଡର ଦାବି ଅନୁସାରେ ଲୋକମାନେ ସେପ୍ଟେମ୍ବର ୨୦୧୪ ସୁଦ୍ଧା ସମସ୍ତ ଟଙ୍କା ୬ଟି କିସ୍ତିରେ ଦେଇଦେଲେ । ସର୍ତ୍ତ ଅନୁସାରେ ଅକ୍ଟୋବର ୨୦୧୪ରେ ଲୋକମାନଙ୍କୁ ସେମାନଙ୍କ ଘର ହସ୍ତାନ୍ତର କରିବା କଥା । ମାତ୍ର ନିର୍ଦ୍ଧାରିତ ସମୟ ଠାରୁ ୫ ବର୍ଷ ଅତିକ୍ରମ କରିଯାଇଥିଲେ ସୁଦ୍ଧା ବୋର୍ଡ ଘର କିମ୍ବା ନିର୍ମାଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ କୌଣସି ସଠିକ ସୂଚନା ଦେଲାନାହିଁ । ଫଳରେ ନିରାଶ ହୋଇ ଲୋକମାନେ ଧୀରେ ଧୀରେ ଏକତ୍ରିତ ହେଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ବୋର୍ଡର ଅଧ୍ୟକ୍ଷ ଓ ସଚିବଙ୍କୁ ବାରମ୍ବାର ଭେଟିଲେ ଓ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ସେମାନଙ୍କୁ ସେମାନଙ୍କ ଘର ହସ୍ତାନ୍ତର କରିବା ପାଇଁ ଚାପ ପ୍ରୟୋଗ କରିବାରୁ ନିର୍ମାଣ କାର୍ଯ୍ୟ ସମ୍ପର୍ଣ୍ଣ ନକରି ବର୍ତ୍ତମାନ ବୋର୍ଡ ନିର୍ଦ୍ଧାରିତ ସମୟର ୫ ବର୍ଷ ପରେ ଲୋକଙ୍କୁ ଆହୁରି ୨୦-୨୨% ଅଧିକ ଅର୍ଥ ଦାବି କରିବା ସହ ୧୦.୪୫% ଅଗ୍ରିମ ସୁଦ୍ଧ କସିଛି । ଆଶ୍ଚର୍ଯ୍ୟର କଥା, ମୁଖ୍ୟମନ୍ତ୍ରୀ ଟ୍ରାନ୍ସପରେନ୍ସିକୁ ଗୁରୁତ୍ୱ ଦେଉଥିବାବେଳେ ନିର୍ଦ୍ଧାରିତ ସମୟର ୫ ବର୍ଷ ପରେ କାହିଁକି ମୂଲ୍ୟ ବୃଦ୍ଧି ହେଲା ଏବଂ ଏଥିପାଇଁ ଆବଣ୍ଟନଗ୍ରାହୀମାନେ କେଉଁ କାରଣରୁ ଅର୍ଥ ଦଣ୍ଡ ଭୋଗିବେ, ସେକଥା ହାଉସିଂ ବୋର୍ଡ ଜଣେଇବାକୁ ପ୍ରସ୍ତୁତ ନୁହେଁ । ହାଉସିଂ ବୋର୍ଡ ଏଭଳି ଅନ୍ୟାୟ, ଅନୈତିକ ଓ ମନମୁଖୀ କାର୍ଯ୍ୟର ପ୍ରତିବାଦ କରିବା ପାଇଁ ମହିଷାପାଟ ପ୍ରକଳ୍ପରେ ଠକାମିର ଶିକାର ହୋଇଥିବା ଓଡ଼ିଶାର ବିଭିନ୍ନ ଅଞ୍ଚଳର ଆବଣ୍ଟନଗ୍ରାହୀମାନେ ‘ବାଜି ରାଉତ ଆବାସିକ ସଂଘ’ ବ୍ୟାନରରେ ଏକାଠି ହୋଇ ସ୍ଥାନୀୟ ଖାରବେଳ ନଗରସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଆଜି ସଚିବଙ୍କୁ ଭେଟିଥିଲେ । ଅଢେଇ ବର୍ଷରେ ଘର ଦେବୁ କହି ୮ ବର୍ଷ ହେଲା ବସି ରହିଥିବା ହାଉସିଂ ବୋର୍ଡ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ନକରି ଆମକୁ ଆହୁରି ଟଙ୍କା ଓ ତା ଉପରେ ଅଗ୍ରିମ ସୁଦ୍ଧ ମାଗିବା ନିହାତି ହାସ୍ୟାସ୍ପଦ ତଥା ସମ୍ପୂର୍ଣ୍ଣ ଅନୈତିକ କାର୍ଯ୍ୟ ବୋଲି ସଂଘର ସଭାପତି ଗୋପାଳଚନ୍ଦ୍ର ସାହୁ କହିଛନ୍ତି । ସଂଘର ସମ୍ପାଦକ ରୋହିତ ଦାସ କହିଲେ ‘ନିଜର ପ୍ରତିଶ୍ରୁତି ପୁରଣରେ ସାଙ୍ଘାତିକ ଭାବେ ବିଫଳ ହେବା ଏବଂ ନିରୀହ ଲୋକଙ୍କୁ ଡରେଇ ବେଆଇନ ସୁଧ ଆଦାୟ କରିବା ଭଳି କାର୍ଯ୍ୟ କରି ହାଉସିଂ ବୋର୍ଡ ନିଜର ବିଶ୍ୱସନୀୟତା ହରେଇ ବସିଛି ।’ ହାଉସିଂ ବୋର୍ଡର ଅଳସୁଆମି ଓ ଭୁଲ ଯୋଗୁଁ ଆମେ କାହିଁକି ଦଣ୍ଡ ଭୋଗିବୁ ବୋଲି ପ୍ରଶ୍ନ କରିବା ସହ ଘର କିଣା ପାଇଁ ବ୍ୟାଙ୍କ ଋଣର ୮ ବର୍ଷର ସୁଧ, ୫ବର୍ଷର ଘରଭଡା ଏବଂ ମାନସିକ ନିର୍ଯ୍ୟାତନାର କ୍ଷତିପୂରଣ ଆମକୁ ବୋର୍ଡ ପ୍ରଥମେ ପ୍ରଦାନ କରିବା ସହ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରି ଘର ହସ୍ତାନ୍ତର କରୁ ବୋଲି ଉପସ୍ଥିତ ଆବଣ୍ଟନଗ୍ରାହିମାନେ ଦାବି କରିଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି