ଚା’ବିକାଳିଙ୍କ ପୁଅ ଓଏଏସ ଅଫିସର : ପରୀକ୍ଷାରେ ୬୦ତମ ରେଙ୍କରେ ରିତେଶ କୁମାର ପଣ୍ଡା

ବଡ଼ବିଲ (ସମୃଦ୍ଧଓଡିଶା)ଉପାନ୍ତ ଖଣି ଅଞ୍ଚଳ ବଲାଣି ମାଟିର ପୁଅ ରିତେଶ କୁମାର ପଣ୍ଡା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଶ୍ରେଷ୍ଠ ୧୦୦ ମଧ୍ୟରେ ୬୦ତମ ସ୍ଥାନ ହାସଲ କରି କୃତ୍ତିତ୍ୱ ଅର୍ଜନ କରିବା ସହିତ ଅଞ୍ଚଳ ବାସୀଙ୍କୁ ଗର୍ବିତ କରିଛନ୍ତି । ସେ ବଲାଣି ବାସୀ ମୃତ୍ୟୁଞ୍ଜୟ ପଣ୍ଡା ଓ ସୁମିତା ପଣ୍ଡାଙ୍କ ଏକମାତ୍ର ପୁତ୍ର ସନ୍ତାନ । ବାପା ବଲାଣି ବସ୍ ଷ୍ଟାଣ୍ଡ ରେ ଚାହା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ମା’ ଗୃହିଣୀ । ରିତେଶ ପ୍ରଥମେ ବଲାଣି ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରେ ସେଲ୍ ପରିଚାଳିତ ଡ଼ିଏଭି ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପରୀକ୍ଷା ଉତ୍ତୀର୍ଣ ହୋଇଥିଲେ । ପରେ ଯୁକ୍ତ ଦୁଇ ଏଫ ଏମ୍ କଲେଜ ଓ ଯୁକ୍ତ ତିନି ରେଭେନ୍ସା ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ୨୦୧୬ ମସିହାରେ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥା (ଆଇ ଆଇ ଏସ୍ ଇ ଆର୍)ର ପ୍ରବେଶିକା ପରୀକ୍ଷା ରେ ଓଡିଶାରୁ ଏକ ମାତ୍ର ଓ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଏକ ନୂତନ ଉପଲବ୍ଧି ହାସଲ କରିଥିଲେ । ପରେ ୨୦୧୮ ମସିହାରେ ଏସ୍ ଏନ ଚୋଷ ଛାତ୍ରବୃତ୍ତି ପାଇ ଆମେରିକା ପିଟ୍ସଵର୍ଗ ବିଶ୍ୱବିଦ୍ୟାଳୟରେ ଭୁତତ୍ୱ ବିଜ୍ଞାନରେ ପିଏଚଡି ପାଠ୍ୟକ୍ରମ ସମାପ୍ତ କରି କୋଲକାତା ରେ ଏକ ଶିକ୍ଷାକେନ୍ଦ୍ରରେ ଶିକ୍ଷା ପ୍ରଦାନ କାର୍ଯ୍ୟରେ ନିଯୁକ୍ତ ଥିଲେ । ତାଙ୍କ ସହିତ ଆଲୋଚନା ସମୟରେ ସେ କହିଥିଲେ ଯେ ସେ ୨୦୨୦ ଠାରୁ ଭାରତୀୟ ପ୍ରଶାସନିକ ସେବା ନିମନ୍ତେ ପ୍ରସ୍ତୁତି କରୁଥିବା ବେଳେ ଓଡିଶା ପ୍ରଶାସନିକ ସେବା ନିମନ୍ତେ ସେ ଚଳିତ ଥର ତୃତୀୟ ପ୍ରୟାସ ରେ ଏହି କୃତ୍ତିତ୍ୱ ଅର୍ଜନ କରିଛନ୍ତି । ସେ ଶିକ୍ଷା ପ୍ରଦାନ କ୍ଷେତ୍ର ରେ କାର୍ଯ୍ୟରତ ଥିବାରୁ ମାତ୍ର ତିନିରୁ ଚାରି ଘଣ୍ଟା ଓଏଏସ ପ୍ରସ୍ତୁତି ପାଇଁ ସମୟ ଦେଇ ପାରୁଥିଲେ । ଏଥିପାଇଁ ସେ ଓଡିଶା ପ୍ରଶାସନିକ ସେବା ଅଧିକାରୀ ମାମୁଁ ସୁଶାନ୍ତ କରଙ୍କ ଠାରୁ ପ୍ରେରଣା ପାଇବା ସହିତ ନିଜ ବାପା, ମା , ଭାବି ପତ୍ନୀ ସୁଧେସ୍ନା ସହ ପରିବାର ବର୍ଗ, ଶିକ୍ଷକ ଶିକ୍ଷୟିତ୍ରୀ, ଗୁରୁଜନଙ୍କୁ ଶ୍ରେୟ ଦେଇଛନ୍ତି । ଏ ନେଇ ବଲାଣି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ତାଙ୍କ ପରିବାରଙ୍କ ନିକଟକୁ ଶୁଭେଛା ର ସୁଅ ଛୁଟିଛି ।

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *