ଚାଷଜମିରୁ ଜଳ ନିଷ୍କାସନ ଦାବିରେ ଆମରଣ ଅନଶନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବର୍ଷଋତୁ ଆସିଲେ ଚାଷ ଜମିରୁ ଜଳନିଷ୍କାସନ ହୋଇ ପାରୁ ନଥିବାରୁ ୪ଟି ପଞ୍ଚାୟତର ଚାଷୀମାନେ ସମ୍ମିଳିତ ଆନ୍ଦୋଳନ କରି ଆସୁଛନ୍ତି । କିନ୍ତୁ ପ୍ରଶାସନିକ ଉଦାସୀନତା ଯୋଗୁଁ ଓ ପ୍ରତିଶୃତି କାର୍ଯ୍ୟକାରୀ ହେଉନଥିବାରୁ ଆଜି ପୂର୍ବ ସୂଚନା ଅନୁଯାୟୀ ବିଜେପି ପକ୍ଷରୁ ପୁତ୍ତବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ ହୋଇଛି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ଫାଣ୍ଡିଠାରେ ୫୭ ରାଜ୍ୟ ରାଜପଥର ଏକ ବଡପୋଲ ଥିଲେ ମଧ୍ୟ ଜଳ ନିଷ୍କାସନର ରାସ୍ତା ନ ଥିବାରୁ ଜଳ ନିଷ୍କାସନ ହୋଇପାରେ ନାହିଁ । ଫଳରେ ବିସ୍ତିର୍ଣ୍ଣ ଅଂଚଳ ଧାନତଳି ଓ ଚାଷ ନଷ୍ଟ ହୋଇ ଆସୁଛି । ସେ ଅଂଚଳର ଚାଷୀ ସମବେତ ଭାବରେ ଗତ ୫/୮/୨୦, ୧୪/୯/୨୦, ୫/୧୦/୨୦ରେ ଜଳେଶ୍ୱର ତହସିଲଦାରଙ୍କ ନିକଟରେ ଆବେଦନ କରି ସୁଫଳ ପାଇପାରିନଥିଲେ । ତେଣୁ ୧୪/୧୦/୨୦ରେ ତହସିଲ ସମୁଖରେ, ୨୦/୧୦/୨୧ରେ ନାମ୍ପୋ ଫାଣ୍ଡି ସମ୍ମୁଖରେ, ୨୫/୧୦/୨୧ରେ ପୁତ୍ତବିଭାଗ ସହକାରୀ ଇଞ୍ଜିନୀୟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ହୋଇଥିଲା । ଗତ ୧୭/୫/୨୨ରେ ଜଳେଶ୍ୱର ବ୍ଲକରେ ଜିଲାପାଳଙ୍କ ଜନ ଶୁଣାଣିରେ ଏ ସମ୍ପର୍କରେ ଲିଖିତ ଆବେଦନ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ପାରିନାହିଁ । ପରେ ଚାଷୀମାନଙ୍କ ପକ୍ଷରୁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗର ସଚିବ ଏଲୋରା ସାମଲଙ୍କୁ ଜଣାଇବାରୁ ସେ ବାଲେଶ୍ୱର ଜିଲାପାଳ ଓ ଜଳେଶ୍ୱର ତହସିଲଦାରଙ୍କୁ ଘଟଣାର ସମାଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାବଧି କିଛି ହୋଇନଥିବା ଜଣାଯାଇଛି । ଏ ସଂପର୍କରେ ବିଜେପି ପକ୍ଷରୁ ଜଗଦୀଶ ପ୍ରଧାନ, ସୁନିତା ପ୍ରଧାନ, ସୁମତି ଦେ, ଜ୍ୟୋତିବ୍ରହ୍ମ ଦେ, ଦେବାଶିଷ ଦାସ, ସ୍ୱରୂପ ସିଂ, ଜ୍ୟୋତିନ୍ଦ୍ର ଜେନା ପ୍ରମୁଖଙ୍କ ଆବାହକତ୍ୱରେ ଏ ସଂପର୍କରେ ରାଜ୍ୟର ୫ଟି, ରାଜସ୍ୱ କମିସନର, ରାଜସ୍ୱ ପ୍ରସମନ ବିଭାଗ, ପୁର୍ତ୍ତବିଭାଗର ପ୍ରମୁଖ ସଚିବ, ଜିଲାପାଳ, ପୁଲିସ୍ ଅଧିକ୍ଷକ, ପୁର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ତହସିଲଦାର, ପୁର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ, ଜଳେଶ୍ୱର ଏସ୍‌ଡିପିଓ ଓ ଆଇଆଇସିଙ୍କୁ ଲିଖିତଭାବେ ଅବଗତ କରାଯାଇଥିଲା । ତେଣୁ ଆଜି ଜଗଦିଶ ପ୍ରଧାନ, ବିଜୟ କୁମାର ପାତ୍ର, ଜଗଦିଶ ବାରିକ ଓ ସୁନିତା ପ୍ରଧାନ ଆମରଣ ଅନଶନରେ ବସିଛନ୍ତି । ସେମାନଙ୍କୁ ସୁମତି ଦେ, ଉମାଶଂକର ମହାପାତ୍ର, ସୁକାନ୍ତ ଦାସ, ଜ୍ୟୋତିବ୍ରହ୍ମ ଦେ, କାଳିଚରଣ ନାୟକ, ଜ୍ୟୋତିପ୍ରକାଶ ପାତ୍ର, ତରଣୀ ଦାସ, ଗଣେଶ ଦାସ, ଗୌତମ ଦାସ, ରାଜୁ ଦାସ, ତପନ ମହାପାତ୍ର, ବାପି ଦାସ, ପ୍ରଦୀପ ମହାନ୍ତି, ହରେନ୍ଦ୍ର ଧଳ, ହରେନ୍ଦ୍ର ପାତ୍ର, ସୁଭ୍ରଜିତ୍ ପାତ୍ର ପ୍ରମୁଖ ଧାରଣାରେ ବସିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଅନଶନ ଚାଲୁ ରହିଥିବା ଜଣାଯାଇଛି । କିନ୍ତୁ ଦ୍ୱିପ୍ରହରରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଥିଲେ ମଧ୍ୟ ସେଥିରେ ସୁଫଳ ମିଳିନଥିଲା । ଏ ସଂପର୍କରେ ଇଂ ଶ୍ରୀ ପଣ୍ଡାଙ୍କୁ ପଚାରିବାରୁ ଆସନ୍ତା ୧୦ ତାରିଖସୁଦ୍ଧା ୨୫ଲକ୍ଷ ଟଙ୍କା ବ୍ୟୟରେ ସେଠାରେ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । କିନ୍ତୁ ଦୀର୍ଘ ୫ବର୍ଷଧରି ଚାଷୀମାନଙ୍କୁ ବିଭିନ୍ନ ପ୍ରତିଶୃତି ଦେଇ ଭଣ୍ଡେଇ ଚାଲିଥିବାରୁ ଆଜି କାର୍ଯ୍ୟ ଆରମ୍ଭ କରିବାକୁ ଜିଦ୍ ଧରି ବସିଛନ୍ତି ।

ରିପୋର୍ଟ : ଭୂପତି ପରିଡା