ଚାଷୀଙ୍କୁ କ୍ଷତି ପୂରଣ ଦେବା ସହ ଡ୍ରେନେଜ ଡିଭିଜନକୁ ଆସିଥିବା ଟଙ୍କାର ଭିଜିଲାନ୍ସ ତଦନ୍ତ କରାଯାଉ:ବିଜେପି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାର ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ଥ ହୋଇଛି । ବିଶେଷ କରି ଗଞ୍ଜାମ ଜିଲ୍ଲାର ଚାଷୀମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ସବୁ ଚାଷଜମି ଗୁଡିକରେ ପାଣି ଜମା ହୋଇ ଧାନ ଫସଲକୁ ନଷ୍ଟ କରି ଦେଇଛି ଯାହା ଫଳରେ ଚାଷୀମାନେ ନିଜର ମୂଳ ଆଦାୟକୁ ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହି ଲଗାଣ ବର୍ଷା ତାଙ୍କର ଜୀବନ ଜୀବିକାକୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରିଛି । ଏଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାକୁ କ୍ଷତିଗ୍ରସ୍ଥ ଜିଲ୍ଲା ଭାବେ ଘୋଷଣା କରିବା ସହ ସମସ୍ତ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦିଅନ୍ତୁ । ନଚେତ ଆଗାମୀ ଦିନରେ କୃଷକ ଆତ୍ମହତ୍ୟା ଭଳି ଘଟଣା ଯେପରି ନ ଘଟିବ ଓ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ନ ଯିବେ ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କ୍ଷତି ପୂରଣ ଦେବାକୁ ଭାଜପା ଗଞ୍ଜାମ ଜିଲ୍ଲା ପକ୍ଷରୁ ଦାବୀ କରାଯାଇଛି । ଏହାସହ ବ୍ରହ୍ମପୁର ସହର ନାମକୁ ମାତ୍ର ମହାନଗର ଭାବେ ପରିଗଣିତ ହେଉଛି । ସହରର ରାସ୍ତା ଘାଟର ଯେଉଁ ଭଳି ଦୟନୀୟ ଅବସ୍ଥା ଓ ନାଳ ନର୍ଦ୍ଦମାର ଯେଉଁଭଳି ଶୋଚନୀୟ ପରିସ୍ଥିତି, ରାସ୍ତାରେ ଚାଲି ହେଉନି କି ନାଳରେ ମଇଳା ପାଣି ନିଷ୍କାସନ ହେଉନାହିଁ । ଟିକିଏ ବର୍ଷା ହେଲେ ଆଣ୍ଠୁଏ ନାଳ ପାଣି ରାସ୍ତାରେ ଜମା ହୋଇ ରହିବା ସହ ସାଧାରଣ ଜନ ଜୀବନକ ଅସ୍ତ ବ୍ୟସ୍ଥ କରି ଦେଉଛି । ପୂର୍ବରୁ କେବଳ ତଳିଆ ଅଂଚଳ ଗୁଡିକରେ ପାଣି ଜମା ହେଉଥିବା ନଜରକୁ ଆସୁଥିବା ବେଳେ ବର୍ତ୍ତମାନ ସହର ମଝିରେ ରହିଥିବା ସାହି ଗୁଡିକରେ ମଧ୍ୟ ଘର ଭିତରେ ପାଣି ପଶୁଛି । ଗତ ଦୁଇଦିନ ତଳେ ସହରର ମୁଖ୍ୟ ରାସ୍ତା ଇଂଜିନିୟରିଂ ସ୍କୁଲ ଛକ ଠାରୁ ମେଡିକାଲ ପର୍ଯ୍ୟନ୍ତ ଯେଉଁଭଳି ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହି ଟ୍ରାଫିକ ସମସ୍ୟା ଉପୁଜିଲା, ତାହା ବ୍ରହ୍ମପୁର ଜନସାଧାରଣକୁ ବିସ୍ମିତ କରିଛି । ପ୍ରକାଶ ଥାଉ କି ମୁଖ୍ୟମନ୍ତ୍ରୀ ବିଭିନ୍ନ ସଭା ସମିତିରେ ବ୍ରହ୍ମପୁର ସହରର ଉନ୍ନତି ମୋର ଦାୟିତ୍ୱ କହୁଥିବା ବେଳେ ଡ୍ରେନ ଗୁଡିକ ସଫା ନହେବା, ଅଳ୍ପ ବର୍ଷା ହେଲେ ବ୍ରହ୍ମପୁର ସହର ଜଳାନବ ହେବା ପ୍ରଶାସନିକ ଅବହେଳାର ନଗ୍ନ ଚିତ୍ରକୁ ପଦାରେ ପକାଇଛି । ବ୍ରହ୍ମପୁର ସହରକୁ ସରସ ସୁନ୍ଦର କରିବା ନାଁରେ ଭେଳିକି ଦେଖାଇ ପ୍ରଶାସନ କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ଭାରତ ଯୋଜନାରେ ଆସିଥିବା ଟଙ୍କାକୁ ବାଟମାରଣା କରିବା ଓ ସହରର ଉନ୍ନତି କରିବା କଥା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜିଲ୍ଲା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି । ତୁରନ୍ତ ପ୍ରଶାସନ ମୁଖ୍ୟ ରାସ୍ତା ତଥା ସହର ଭିତରେ ଥିବା ଡ୍ରେନ ଗୁଡିକୁ ଯୁଦ୍ଧକାଳୀନ ଭିତିରେ ସଫା କରିବା ପାଇଁ ଦାବୀ କରାଯାଇଛି । ବ୍ରହ୍ମପୁର ସହରର ପରିମଳ ବ୍ୟବସ୍ଥାରେ ବାହାନା ଓ ସାପୁଆ ନାଳର ମୁଖ୍ୟ ଭୂମିକା ରହିଛି, ତେବେ ଏହି ଦୁଇ ନାଳର ସଫେଇ କାର୍ଯ୍ୟ ଡ୍ରେନେଜ ଡିଭିଜନ ବ୍ରହ୍ମପୁରକୁ ନ୍ୟସ୍ଥ କରାଯାଇଥିବା ବେଳେ ଉକ୍ତ ଡିଭିଜନକୁ ଆସୁଥିବା କୋଟି କୋଟି ଟଙ୍କାର ବ୍ୟାପକ ହେରଫେର ହୋଇଥିବା ଭିଭିନ୍ନ ସମୟରେ ଦାବୀ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନେବାରୁ ଆଜି ଏହିଭଳି ପରିସ୍ଥିତି ସୃଷ୍ଟି ହେବା ସହ ସହରରୁ ପାଣି ନିଷ୍କାସନ ନ ହୋଇ ସହରରେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି । ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଡ୍ରେନେଜ ଡିଭିଜନ ଦାୟୀ । ଡ୍ରେନେଜ ଡିଭିଜନକୁ ଆସିଥିବା କୋଟି କୋଟି ଟଙ୍କାର ଏକ ଉଚ୍ଚ ସ୍ଥରୀୟ ତଦନ୍ତ ସହ ଭିଜିଲାନ୍ସ ତଦନ୍ତ କରିବା ଦାବୀ ନେଇ ଆସନ୍ତା ସୋମବାର ଦିନ ଜିଲ୍ଲା ବିଜେପି ପକ୍ଷରୁ ବ୍ରହ୍ମପୁର ଭିଜିଲାନ୍ସ ଅଫିସକୁ ଘେରାଉ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ବୋଲି ଗଞ୍ଜାମ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି ଜଣାଇଛନ୍ତି ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା