

ଛତ୍ରପୁର (ସମୃଦ୍ଧ ଓଡିଶା) ଚାଷୀଙ୍କୁ ପେନସନ ଓ ତିତିଲି କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗତକାଲି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଉପଵାସ ଓ ଧାରଣା ଆରମ୍ଭ ହୋଇଥିଲା । ଗଞ୍ଜାମ ଜିଲ୍ଲା ପ୍ରଭାରୀ ସଚିନ ମହାପାତ୍ରଙ୍କ ନେତୃତ୍ୱରେ ଏହି ଅନଶନ ଚାଲିଛି । ଅପରପକ୍ଷରେ ସଂଗଠନର ସଦସ୍ୟ ତଥା ଚାଷୀମାନେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଫାଟକରେ ତାଲା ପକାଇ ଦେଇଥିଲେ । ଏହାପରେ ଛତ୍ରପୁର ଏଡିଏମ ଆସି ଚାଷୀମାନଙ୍କ ସହ ଆଲଚନା କରିଥିଲେ । ଆଲୋଚନା ପରେ ଉପ ଜିଲ୍ଲାପାଳ ଓ ଏଡିଏମ ଆସିକି ପର୍ତ୍ତୃସୂତୀ ଦେଲାପରେ ତାଲା ଖୋଲିଥିଲେ । ତିତିଲିର ୨ମାସ ପରେ ମଧ୍ୟ ଏଯାବତ ଚାଷୀଙ୍କୁ ତାଙ୍କ କ୍ଷତିପୂରଣ ବାବଦକୁ ପ୍ରାପ୍ୟ ମିଳିପାରି ନ ଥିବା ଚାଷୀଙ୍କ ପକ୍ଷରୁ କୁହାଯାଇଛି । ଆଗାମୀ ଏକ ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାର ତିତିଲି କ୍ଷତିଗ୍ରସ୍ତଙ୍କୁ ଚାଷୀଙ୍କୁ ଯଦି କ୍ଷତିପୂରଣ ନଦିଆଯାଏ ତେବେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଭୋଟ ବର୍ଜନ କରାଯିବା ସହ ନେତା ଓ ବାବୁଙ୍କୁ ଗାଁରେ ପୁରାଇ ଦିଆଯିବନି ବୋଲି ଚେତାବନୀ ଦିଆଯାଇଛି । ଏହି ଅନଶନରେ ଜିଲ୍ଲା ଉପଦେଷ୍ଟା ରମେଶ ଚନ୍ଦ୍ର କର, ରଙ୍ଗେଇଲୁଣ୍ଡା ସଂଯୋଜକ ସୁଦର୍ଶନ ପାତ୍ର, ଖଲ୍ଲିକୋଟ ବ୍ଲକ ଉପଦେଷ୍ଟା କିଶୋର ଚନ୍ଦ୍ର ସାହୁ, ରଙ୍କନାଥ ପାତ୍ର, ନାଗେଶ୍ୱର ଚାନ୍ଦ, ଲକ୍ଷ୍ମୀଧର ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ଇଜୁ ଅମିନ ଖାନ, ବାଉରୀ ବେହେରା, ବିଜୟ ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା



