ଭୁବନେଶ୍ୱର(ସମୃଦ୍ଧ ଓଡିଶା) ବିଜେପି ଓ ବିଜେଡ଼ି କେବଳ ଚାଷୀଙ୍କ ନାଁରେ ନାଟକବାଜୀ କରି ଚାଲିଛନ୍ତି । ୧୯ ବର୍ଷ ଶାସନ ପରେ ବିଜେଡ଼ିର ଚାଷୀଙ୍କ କଥା ମନେ ପଡ଼ିଛି ।ଚାଷ ଓ ଚାଷୀର ବିକାଶ ପାଇଁ କୌଣସି ଏକ ସଶକ୍ତ ଦୀର୍ଘସ୍ଥାୟୀ ଯୋଜନା କାର୍ଯ୍ୟକାରୀ କରା ନ ଯାଇ ଥିବା ବେଳେ ଏବେ କାଳିଆ ଯୋଜନା ନାଁରେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ମସୁଧା କରିଛି । ଚାଷୀ ଉତ୍ପାଦନ ଖର୍ଚ୍ଚର ମୂଲ୍ୟ ପାଉ ନାହିଁ । ବାରମ୍ବାର ଅଭାବି ବିକ୍ରିର ଶିକାର ହେଉଛି । ମଣ୍ଡି ବ୍ୟବସ୍ଥା ବିପର୍ଯ୍ୟସ୍ତ । ଠିକଣା ସମୟରେ ମଣ୍ଡି ଖୋଲାଯାଇ ଧାନ ସଂଗ୍ରହ କରାଯାଉ ନାହିଁ । ବିଭିନ୍ନ ଆଳରେ ପ୍ରତି କ୍ୱିଂଟାଲ ପିଚ୍ଛା ୫ ରୁ ୭ କେଜି କଟଣି ଛଟଣୀ କରାଯାଉଛି । ଫଳରେ ଚାଷୀ ନିର୍ଦ୍ଧାରିତ ଏମ୍.ଏସ୍.ପିଠାରୁ ୫ଶହ ୬ଶହ ଟଙ୍କା କମ୍ରେ ଧାନ ବିକିବାକୁ ବାଧ୍ୟ ହେଉଛି । ଚାଷୀଙ୍କୁ କ୍ୱିଂଟାଲ ପିଚ୍ଛା ୧୦୦ ଟଙ୍କା ବୋନସ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରତାରଣାରେ ପରିଣତ ହୋଇଛି । ଚାଷୀଙ୍କ ବାସ୍ତବ ସ୍ଥିତିକୁ ବିଜେଡ଼ି ଦଳ ଅଣ ଦେଖା କରି ପାର୍ଲାମେଂଟଣ୍ଟ ଘେରାଉ କରିବା କେବଳ ଦିଲ୍ଲୀରେ ଏହା ବିଜେଡ଼ିର ପିକ୍ ନିକ୍ ସମାବେଶ ବୋଲି ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ବିଜେଡ଼ିର ଏପରି ଆଚରଣକୁ ତୀବ୍ର ନିନ୍ଦା କରିଛନ୍ତି । ନିକଟରେ ଛତିଶଗ କଂଗ୍ରେସ ସରକାର ଧାନ ଏମଏସ୍ପି ଉପରେ ଚାଷୀଙ୍କୁ ୭୫୦ ଟଙ୍କା ଦେଇ ଧାନ କ୍ୱିଂଟାଲ ୨୫୦୦ ଟଙ୍କାରେ କ୍ରୟ କରୁଥିବା ବେଳେ ଏଠାରେ କେବଳ ଚାଷୀଙ୍କୁ ଶୋଷଣ କରିବାରେ ଲାଗିଛ । ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏପରି ୭ଟି ରାଜ୍ୟ ଚାଷୀଙ୍କଠାରୁ ଋଣଛାଡ଼ ଘୋଷଣା କରିଥିବା ବେଳେ ବହୁ ଦୁର୍ଦିନରେ ଥିବା ଓଡ଼ିଶାର ଚାଷୀଙ୍କଠାରୁ ଫଟା ପାହୁଲାଟିଏ ଛାଡ଼ ନ କରି ଚାଷୀଙ୍କ ପାଇଁ କେବଳ ନବୀନ ବାବୁ ବାହାଷ୍ପୋଟ ମାରିଚାଲିଛନ୍ତି । ଅପର ପକ୍ଷରେ ବିଜିପି ଦଳ ଓ ସରକାର ଏମ୍.ଏସ୍.ପି ବୃଦ୍ଧି ଦିଗରେ ଗୁରୁତ୍ୱ ନ ଦେବା କିମ୍ବା କୃଷିଋଣଛାଡ଼ ନ କରି କେବଳ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ବଡ, କାମ କମ୍ । ସ୍ୱାମୀନାଥନ କମିଟି ସୁପାରିଷ ଆଧାରରେ ଚାଷୀଙ୍କୁ କୃଷି ଉତ୍ପାଦନ ଖର୍ଚ୍ଚରେ ଦେଢ଼ଗୁଣା ମୂଲ୍ୟ ଦିଆଯିବାପାଇଁ ଦେଇଥିବା ପ୍ରତିଶ୍ରୁତି ଗଲା କୁଆଡ଼େ? ଦେଶର ୧୫ଟି ଶିଳ୍ପପତିଙ୍କୁ ୧ ଲକ୍ଷ ୫୪ ହଜାର କୋଟି ଟଙ୍କା ଋଣଛାଡ଼ କରିଥିବା ବେଳେ ଋଣଭାରରେ ଥିବା ଚାଷୀଙ୍କ ପାଇଁ ବିଜେପି ସରକାର ଆଖି ବୁଜି ଦେଇଛି । ଗତ ୟୁପିଏ ସରକାର ସମୟରେ ଦେଶର ୫ କୋଟି ଚାଷୀଙ୍କଠାରୁ ୭୨ ହଜାର ୬୮୦ କୋଟି ଟଙ୍କା ଋଣ ଛାଡ଼ କରାଯାଇଥିବା ବେଳେ ଓଡ଼ିଶାର ୨୫ ଲକ୍ଷ ଚାଷୀ ଋଣଛାଡ଼ର ସୁବିଧା ପାଇଥିଲେ । ଯାହାକି କଂଗ୍ରେସ ତାର ପ୍ରତିଶ୍ରୁତି ରକ୍ଷା କରିବାର ଯଥେଷ୍ଟ ପ୍ରମାଣ ରହିଛି । ଯଦି କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଚାଷୀଙ୍କଠାରୁ କୃଷିଋଣ ଛାଡ଼, ଧାନର ଏମ୍.ଏସ୍.ପି ୨୯୩୦ଟଙ୍କାକୁ ବୃଦ୍ଧି ଓ ପ୍ରତି କ୍ୱିଂଟାଲ ପିଚ୍ଛା ଚାଷୀଙ୍କୁ ୭୫୦ ଟଙ୍କା ବୋନସ୍ ନ ଦିଅନ୍ତି ଆଗାମୀ ଦିନରେ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସାରା ରାଜ୍ୟରେ ଚାଷୀ ଆନ୍ଦୋଳନ ପ୍ରତି ଗାଁ ସ୍ତରରୁ ବ୍ୟାପକ କରାଯିବ ବୋଲି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଆଜିଏହି ପରିପ୍ରେକ୍ଷୀରେ ରାଜଭବନଠାରେ ପ୍ରଦେଶ କିଷାନ କଂଗ୍ରେସ ତରଫରୁ ସମସ୍ତ ଜିଲ୍ଲାର ଚାଷୀ ପ୍ରତିନିଧିମାନଙ୍କୁ ନେଇ କଂଗ୍ରେସ ଭବନରୁ ଏକ ପଦଯାତ୍ରାରେ ଯାଇ ଧାନର ସହାୟକ ମୂଲ୍ୟ ବୃଦ୍ଧି, କୃଷି ଋଣଛାଡ଼ ଓ ବୋନସ୍ ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚାଷୀ ନେତା ସନ୍ତୋଷ ସାହୁ, ସୁବାଷ ରାଉତ, ବୃନ୍ଦାବନ ଖଟେଇ, ସୁଧାକର ସାହୁ, ଗୋବିନ୍ଦ ମିଶ୍ର, ନିରଞ୍ଜନ ବେହେରା, ନିତ୍ୟାନନ୍ଦ ପଣ୍ଡା, ଜାନକୀକାନ୍ତ ପଟ୍ଟନାୟକ, ନରନାରାୟଣ ଜେନା, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ଦୀପକ ମହାପାତ୍ର, କିଶୋର ଜେନା, ଯତି ପ୍ରଧାନ, ପ୍ରଫୁଲ୍ଲ ଦାସ, ସୁରଜ ମହାପାତ୍ର, ବସନ୍ତ ମହାରଣା, ଗଙ୍ଗାଧର ଖଟୁଆ, ଅରବିନ୍ଦ ସାମଲ, କିଣୁରାମ ଜେନା ପ୍ରମୁଖ ଶତାଧିକ ଚାଷୀ ସାମିଲ ହୋଇଥିଲେ । ଯଦି ସରକାର ଯଥାଶୀଘ୍ର ଦିଲ୍ଲୀ ଛାଡି ପଲ୍ଲୀରେ ମେଳି ହୋଇଥିବା ଚାଷୀଙ୍କ ବାସ୍ତବ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ ନକରନ୍ତି ଆନ୍ଦୋଳନକୁ ଦୁର୍ବାର କରାଯିବ ।