ଚାଷୀନେତାଙ୍କ ଗିରଫଦାରୀକୁ ବିରୋଧ:ସମାଜବାଦୀ ପାର୍ଟି

ଭୁବନେଶ୍ୱର (ସମୃଦ୍ଧ ଓଡିଶା)ନିଜର ହକ୍ ଓ ଅଧିକାରୀ ନେଇ ଅକ୍ଟୋବର ୨୯ତାରିଖରୁ ବିଭିନ୍ନ ଅଂଚଳରୁ ପଦଯାତ୍ରାରେ ରାଜଧାନୀ ଆସି ଶାନ୍ତିପୂର୍ଣ୍ଣ ସମାବେଶ କରିବା ପାଇଁ ଅନୁମତି ମାଗିଥିବା ଚାଷୀମାନଙ୍କୁ ୧୪୪ ଧାରା ଜାରୀ କରି ରାଜଧାନୀର ଉପକଣ୍ଠରେ ବଳପୂର୍ବକ ପୋଲିସ୍ ଲଗାଇ ଗିରଫ କରିବାକୁ ସମାଜବାଦୀ ପାର୍ଟି ତୀବ୍ର ନିନ୍ଦା କରିଛି । କେବଳ ଓଡ଼ିଶା ନୁହେଁ, ଦେଶରେ ଚାଷୀ ସମାଜ ବନ୍ୟା, ବାତ୍ୟା, ମରୁଡ଼ି ଓ ଋଣ ଜନ୍ତାରେ ପଡ଼ି ଯେତେବେଳେ ତାର ହକ୍ ମାଗିବା ପାଇଁ ସରକାରଙ୍କ ପାଖରେ ଦାବି କରିବାକୁ ଆସୁଛନ୍ତି, ତାଙ୍କୁ ଆଇନ୍ର ନାଲିଆଖି ଦେଖାଇ ଗିରଫ କରିବା ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିନ୍ଦନୀୟ ବୋଲି ସମାଜବାଦୀ ପାର୍ଟି ରାଜ୍ୟସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି । ଗତ ସେପ୍ଟେମ୍ବର ଉତ୍ତରାଖଣ୍ଡ ଓ ଉତରପ୍ରଦେଶର ଚାଷୀମାନେ ଯେତେବେଳେ ରାଜଧାନୀ ଦିଲ୍ଲୀକୁ ଆସି କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ମାଗିବାକୁ ଦିଲ୍ଲୀ ସହର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ କେନ୍ଦ୍ର ସରକାର ଆନ୍ଦୋଳନ ଚାଷୀଙ୍କୁ ଲାଠିମାଡ କରି ମଧ୍ୟରାତ୍ରିରେ ଗିରଫ କରିଥିଲେ । ଆଜି ସେହିଭଳି ଓଡ଼ିଶା ସରକାର ୧୪୪ ଧାରା ଜାରି କରି ଶହ ଶହ ଚାଷୀଙ୍କୁ ଗିରଫ କରିବା ଓଡ଼ିଶା ସରକାରଙ୍କର ଚାଷୀଙ୍କ ଦାବି ପ୍ରତି ସମ୍ବେଦନହୀନତାର ପରିଚୟ । ରାଜ୍ୟ ବିଧାନସଭା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଦାବିକରି ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରିଛି । ସେହି ପରିପ୍ରେକ୍ଷୀରେ ଚାଷୀଙ୍କର ଦାବିକୁ ସହାନୁଭୂତିର ସହିତ ବିଚାର କରି କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ପ୍ରସ୍ତାବ ରଖିଥିଲେ ତାହା ଉଚିତ୍ ହୋଇଥାଆନ୍ତା । କିନ୍ତୁ ତାହା ନକରି ସେମାନଙ୍କୁ ରାଜଧାନୀରେ ସମାବେଶ କରିବାର ଅନୁମତି ନ ଦେବା ଏବଂ ୧୪୪ ଧାରା ଜାରି କରି ଗିରଫ କରିବା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥି । ରାଜ୍ୟରେ ବନ୍ୟା, ବାତ୍ୟା, ମରୁଡ଼ି ଓ ରୋଗ ପୋକରେ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିବା ଚାଷୀଙ୍କ ଦାବି ପ୍ରତି ସରକାର ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । କୃଷି ଋଣ ଛାଡ କରିବା ସହିତ ଭାଗଚାଷୀମାନଙ୍କୁ ଅଧିକାର ଦେବା, ୬୦ ବର୍ଷରୁ ଊଦ୍ଧ୍ୱର୍ ଚାଷୀଙ୍କୁ ମାସିକ ପେନସନ୍ ଦେବାପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ଆନ୍ତଃ ମନ୍ତ୍ରୀସ୍ତ୍ରରୀୟ କମିଟି ଚାଷୀଙ୍କର ନ୍ୟାୟଚ୍ୟୁତ୍ ଦାବି ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ସଂଗେସଂଗେ ଆନ୍ଦୋଳନରତ ଚାଷୀମାନଙ୍କ ସହିତ ଆଲୋଚନା କରିବା ଏବଂ ସରକାର ତୁରନ୍ତ ଏକ ସର୍ବଦଳୀୟ ବୈଠକ ଡାକି ଚାଷୀ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଆହ୍ୱାନ ଦିଆଯାଇଛି । ଗିରଫ ହୋଇଥିବା ଚାଷୀନେତାଙ୍କୁ ତୁରନ୍ତ ଖଲାସ କରିବା ପାଇଁ ମଧ୍ୟ ପାର୍ଟି ଦାବି କରିଛି । ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଯେଉଁ ଆନ୍ଦୋଳନର ଡାକରା ଦିଆଯାଇଛି ତାହାକୁ ସମାଜବାଦୀ ପାର୍ଟି ସର୍ବୋତ ଭାବରେ ସମର୍ଥନ କରୁଛି । ଚାଷୀ ଆନ୍ଦୋଳନ ନାଁରେ କିଛି ପରିତ୍ୟକ୍ତ ରାଜନେତା ଏବଂ ବିଭିନ୍ନ ରାଜନୈତିକ ଦଳ ଯେଉଁ ରାଜନୈତିକ ଫାଇଦା ହାସଲ କରିବା ପାଇଁ ଉଦ୍ୟମ କରୁଛନ୍ତି ସେଥିରୁ କ୍ଷାନ୍ତ ହେବା ସହିତ ଚାଷୀମାନଙ୍କୁ ସେମାନଙ୍କର ନିଜର ଲଢେଇ ଲଢିବାକୁ ସୁଯୋଗ ଦେବାକୁ ସମାଜବାଦୀ ପାର୍ଟି ଏହି ରାଜନୈତିକ ଦଳମାନଙ୍କୁ ଆହ୍ୱାନ କରୁଛି ।

ରିପୋର୍ଟ:ଆକାଶ ମିଶ୍ର