ଭୁବନେଶ୍ୱର (ସମୃଦ୍ଧ ଓଡିଶା)୧୯୧୯ ମସିହାରେ ଅର୍ନ୍ତରାଷ୍ଟ୍ରୀୟ ଦେଶମାନେ ନିଷ୍ପତି କରିଥିଲେ ଯେ ଶ୍ରମିକମାନଙ୍କ କାର୍ଯ୍ୟ ଦୈନିକ ୮ ଘଣ୍ଟା ରହିବ । ଏହି ନିୟମକୁ ପ୍ରଥମଥର ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲର ଭାଙ୍ଗିଥିଲେ ଏହାକୁ ୧୨ ଘଣ୍ଟା କରିଥିଲେ । ଆଜି ଆମ ଦେଶରେ ମଧ୍ୟ ସେହି ହିଟଲରଙ୍କ ପଦାଙ୍କ ଅନୁସରଣ କରିବା ଆରମ୍ଭ କଲେଣି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରେସ୍ ବାର୍ତା ମାଧ୍ୟମରେ କହିଛନ୍ତି । ଏବେ ଆମ ଦେଶରେ କୁହାଗଲାଣି ଯେ ଶ୍ରମିକମାନେ ୧୨ ଘଣ୍ଟା କାମ କରିବେ ଓ ମଝିରେ ୩୦ ମିନିଟ୍ ବିଶ୍ରାମ ରହିବ । ତା’ମାନେ ଜଣେ ଶ୍ରମିକ କର୍ମକ୍ଷେତ୍ରରେ ପ୍ରାୟ ୧୩ ଘଣ୍ଟା ରହିବ । ଏହା ସମ୍ଭବ କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଏହା ଅମାନୁଷିକ କାର୍ଯ୍ୟ । ଏଥିପାଇଁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ ଏହାକୁ ପ୍ରଥମେ ପ୍ରଚଳନ କଲେ ଓ ଏବେ ଓଡିଶା ଏହାକୁ ଅନୁସରଣ କରୁଛି । ଏହା ଶ୍ରମିକମାରଣ ନୀତି ବୋଲି ସେ କହିଛନ୍ତି । ଆମ ଦେଶ ଓ ରାଜ୍ୟରେ ଅଣସଂଗଠିତ ଶ୍ରମିକଙ୍କ ସଂଖ୍ୟା ବହୁତ ଅଧିକ ବୋଲି ସରକାର ମଧ୍ୟ ସ୍ୱୀକାର କରିଛନ୍ତି । ଏଣୁ ଜଣେ ଶ୍ରମିକ କ’ଣ ୧୩ ଘଣ୍ଟା କାଳ ପରିଶ୍ରମ କରିବ, ଏହା କ’ଣ ସମ୍ଭବ ! ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରବାସୀ ଶ୍ରମିକ, ଛୋଟ ଚାଷୀ, ମଧ୍ୟବିତ ପରିବାରର ଚାଷୀ ଓ ଭାଗଚାଷୀଙ୍କୁ ସିଧାସଳଖ ଟଙ୍କା ଦେବାର ବ୍ୟବସ୍ଥା କରାଯାଉ । ତା ନହେଲେ ଆମ ଦେଶରେ ଓ ରାଜ୍ୟରେ ଥିବା କୋଟି କୋଟି ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବେ । ଆଜି ମଧ୍ୟ ଦେଖାଗଲାଣି ଶ୍ରମିକମାନେ କିଭଳି ଭାବରେ ଆତ୍ମହତ୍ୟା କଲେଣି, କିଭଳି ଭାବେ ରାସ୍ତାରେ ଚାଲି ଚାଲି ମୃତ୍ୟୁବରଣ କଲେଣି, ପୋଲିସ ମାଡରେ ମଧ୍ୟ ମୃତ୍ୟୁବରଣ କଲେଣି । ଯଦି ପ୍ରକୃତରେ ଦେଶର ଓ ରାଜ୍ୟର ଶ୍ରମିକମାନଙ୍କୁ ବଞ୍ଚାଇବାର ଅଛି ତେବେ ସରକାରଙ୍କୁ ନିବେଦନ ଯେ ସରକାର ସିଧାସଳଖ ଶ୍ରମିକମାନଙ୍କୁ ଅର୍ଥ ଦେବାର ବ୍ୟବସ୍ଥା କରନ୍ତୁ । ନଚେତ୍ ପରବର୍ତୀ ସମୟରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ଶ୍ରୀ ପଟ୍ଟନାୟକ ଚେତେଇ ଦେଇଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର