ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ତୁରନ୍ତ ମଣ୍ଡି ଖୋଲି ଚାଷୀଙ୍କଠାରୁ ସେମାନଙ୍କ ସବୁ ବଳକା ଧାନ ନିର୍ଦ୍ଧାରିତ ସହାୟକ ମୂଲ୍ୟରେ କିଣିବା ଦାବିରେ କଂଗ୍ରେସ ପକ୍ଷରୁ ଆସନ୍ତା ଡିସେମ୍ବର ୧୫ ତାରିଖଠାରୁ ମଣ୍ଡି ଘେରାଉ କାର୍ଯ୍ୟକ୍ରମ ଯୋରଦାର ହେବ ବୋଲି କଂଗ୍ରେସ କିଷାନ ସେଲ୍ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଧାନ ଅମଳର ୨ ମାସ ବିତିଲାଣି, ଅନେକ ଜାଗାରେ ମଣ୍ଡି ଖୋଲାଯାଇ ନାହିଁ । ବେପାରୀ ଓ ଦଲାଲମାନଙ୍କ ଦୌରାତ୍ମା ବଢ଼ିଚାଲିଛି । ମଣ୍ଡି ବିପର୍ଯ୍ୟସ୍ତ ଯୋଗୁ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି । ଚାଷୀ ଧାନର ଅଭାବୀ ବିକ୍ରିର ଶିକାର ହେଉଥିବା ବେଳେ ଯୋଗାଣ ମନ୍ତ୍ରୀଙ୍କ ତାଗିଦ୍ କେବଳ ସଚିବାଳୟର ଚାରି କାନ୍ଥରେ । ଠିକଣା ସମୟରେ ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ସମସ୍ତ ଧାନ କ୍ରୟ ଓ ଚାଷୀଙ୍କୁ ୨୪ ଘଂଟା ମଧ୍ୟରେ ସରକାରୀ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବେ ବୋଲି ଯାହା ଘୋଷଣା କରାଯାଉଛି ତାହା ଯୋଗାଣ ମନ୍ତ୍ରୀଙ୍କ ପ୍ରଚାର ଓ ଭାଷଣ ସର୍ବସ୍ୱ ବୋଲି ପିସିସି କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସରକାରଙ୍କ ଏପରି ଚାଷୀ ମାରଣ ନୀତିକୁ ତୀବ୍ର ନିନ୍ଦା କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,ଖୋଦ୍ ଯୋଗାଣ ମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରୁ ଏବର୍ଷର ଉତ୍ପାଦିତ ଖରିଫ୍ ଧାନ ପ୍ରତିଦିନ ଆନ୍ଧ୍ର ବେପାରୀ ଟ୍ରକ୍ ଟ୍ରକ୍ ଧାନ ନେଉଥିବା ବେଳେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ମନ୍ତ୍ରୀ ଏଥିପାଇଁ କଣ ବ୍ୟବସ୍ଥା ଗ୍ରହଣ କରିଛନ୍ତି? ଗଞ୍ଜାମ ଜିଲ୍ଲାରେ ଅଦ୍ୟାବଧି ମଣ୍ଡି ଖୋଲାଯାଇ ନାହିଁ । କେବଳ ଗଞ୍ଜାମ ଜିଲ୍ଲାରେ ନୁହେଁ ବର୍ତ୍ତମାନ ୧୭ଟି ଜିଲ୍ଲାରେ ଚାଷୀ ଧାନ ବିକ୍ରି ପାଇଁ ଅହେତୁକ ଅସୁବିଧାର ସମ୍ମୁଖିନ । ପ୍ରତି ବସ୍ତାରେ ୪ରୁ୫ କେଜି କଟଣି ଛଟଣି କରାଯିବା ସହିତ ଏଫ୍,ଏ,କ୍ୟୁ ନିମ୍ନମାନ ଓ ଆର୍ଦ୍ରତା ଆଳରେ ଅନେକ ଚାଷୀଙ୍କଠାରୁ ଧାନ କିଣା ଯାଉ ନାହିଁ । ଧାନ ବିକିବା ପାଇଁ ଟୋକନ ପାଇଲେ ମଧ୍ୟ ଧାନ ବିକ୍ରି କରିପାରୁ ନାହିଁ । ଚାଷୀର ବଳକା ଧାନ କିଣିବା ତ ଦୂରର କଥା ନାମ ପଞ୍ଜିକରଣରେ ତୃଟି ଦର୍ଶାଇ ମଣ୍ଡିରୁ ଧାନ ଫେରାଇ ଦିଆ ଯାଉଛି । ବର୍ତମାନ ସୁଦ୍ଧା ରାଜ୍ୟରେ ସରକାରଙ୍କ ସଫେଇ ଅନୁଯାୟୀ ୩୩୮ଟି ପ୍ୟାକ୍ସ ଓ ୫୧୭ଟି ଧାନ କ୍ରୟ କେନ୍ଦ୍ରରେ ଧାନ କିଣାଯାଉଛି ବୋଲି କହଥିବା ବେଳେ ପ୍ୟାକ୍ସ କର୍ମଚାରୀମାନେ ସେମାନଙ୍କ ହକ୍ ପାଇଁ ଦୀର୍ଘଦିନ ହେଲା ରାଜଧାନୀରେ ଆନ୍ଦୋଳନରତ । ସରକାର ସେମାନଙ୍କ ଦାବୀ ମଧ୍ୟ ସମାଧାନ କରିବାରେ ବିଫଳ । ପ୍ରଥମ ପର୍ଯ୍ୟାୟରେ ୩୯ ଲକ୍ଷ ମେଟ୍ରିକ୍ ଟନରୁ ଆଜି ପର୍ଯ୍ୟନ୍ତ ମାତ୍ର ୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି । ସରକାରଙ୍କ ପକ୍ଷରୁ ୨୬ ଶହ ସୋସାଇଟି ଓ ୩ ହଜାର ଧାନ କ୍ରୟକେନ୍ଦ୍ର କେବେ ଖୋଲାଯିବା କଥା ଏହା ଏକ ବିରାଟ ପ୍ରଶ୍ନବାଚୀ । ଯିଏ ଏଥିରେ ଭୂଲ କରିବ ସେମାନଙ୍କ ବିରୁଦ୍ଧରେ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କହିବା କଥା କେବଳ ଧର୍ମକୁ ଆଖିଠାର ସଦୃଶ । ସରକାରଙ୍କର ଏଭଳି ମନମୁଖି କାର୍ଯ୍ୟକ୍ରମକୁ କୌଣସି ପରିସ୍ଥିତିରେ କଂଗ୍ରେସ ଦଳ ପକ୍ଷରୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର