ଚା କପ୍ ଆଉ ଚିଠି…

ଅତନୁ ଆଜି ସ୍କୁଲରୁ ଶିଘ୍ର ଘରକୁ ଚାଲି ଆସିଥିଲେ । ସୁନନ୍ଦା ବୋଧହୁଏ ରୋଷେଇ ଘରଆଡେ ଥିଲେ । ଖଡଖଡ ଶବ୍ଦ ଆସୁଥିଲା ରୋଷେଇ ଘରୁ । ସେ ମାଆର କୋଠରି ଆଡେ ମୁହାଁଇଲେ । ମାଆ ରୁମ୍ ରେ ନଥିଲା । ବୋଧହୁଏ ବାଥରୁମ୍ ରେ ପଶିଥିଲା । ଟେବୁଲ ଉପରେ ଚା କପ୍ ଟା ଓ ଚିଠିଟେ ଖୋଲାହେଇ ପଡିଥିଲା । ମାଆ ପାଖକୁ କିଏ ଚିଠା ଦେଇଛି । ମନରେ ଉତ୍ସୁକତା ଜାଗିଲା ତାଙ୍କର । ସେ ଚିଠିଟା ଧରି ନିଜ ରୁମ୍ କୁ ଚାଲି ଆସିଲେ । ଶାନ୍ତିରେ ବସି ପଢିବେ ବୋଲି । ଯୋତା ମୋଜା ଖୋଲି ପଲଙ୍କ ଉପରେ ବସି ସେ ଚିଠିକୁ ପଢିବାକୁ ଲାଗିଲେ । ଚିଠିରେ ଲେଖାଥିଲା । ପ୍ରିୟ ଅନୁ, ମୋର ଅନ୍ତରରୁ ତୁମ ପାଇଁ ଗଦାଏ ପ୍ରେମ ପଠାଉଛି । ସାଦରେ ସାଇତି ରଖିବ । ଧିରେ ଧିରେ ଖର୍ଚ୍ଚ କରୁଥିବ, ଆଉଥରେ ମୋ ପ୍ରେମର ଚିଠି ପହଞ୍ଚିବା ଯାଏ । ପ୍ରତିଦିନ ଇନ୍ଷ୍ଟଲମେଣ୍ଟରେ ମତେ ମନେ କରି ଲୁହ ଗଡାଇବ । ଏକା ସାଙ୍ଗେ ବେଶି କଷ୍ଟ ମନରେ ନେବନି ତୁମର ବିପି ଅଛି । ହାର୍ଟ ପ୍ରୋବ୍ଲେମ୍ ଅଛି । ଯଦି ହୃଦଘାତ ହେଇଯିବ ମୋ ମନକଥା ଆଉ କହାକୁ ଜଣାଇବି । ମୋର ଚିଠି ପଢିବାକୁ ଆଉ କେହି ନଥିବେ । ଆମେ ଦୁହେଁ ଅଛୁ ବୋଲି ପରଷ୍ପରର ଦୁଃଖକୁ ଚିଠିରେ କହି ଶୁଣାଇ ପାରୁଛେ । ଫୋନରେ ପିଲାଙ୍କ ସାମନାରେ ସବୁ କଥା ଖୋଲି କହି ହୁଏନି । କେବଳ ଅଭିନୟ କରିବାକୁ ହୁଏ ଆମେ ଦି ଜଣ ଅଲଗା ହେଇ ବି ଭଲ ଅଛୁ ବୋଲି । ତୁମେ ସେଠି ବଡ ପୁଅ ପାଖରେ ନାତୁଣୀ ସିପ୍ରାର ହେପାଜତ ପାଇଁ ବାନ୍ଧି ହେଇ ରହିଲ । ଆଉ ମୁଁ ଏଠି ପୁଅ ବୋହୁ ଅଫିସ ଗଲାପରେ ତାଙ୍କ ପୋଷା କୁକୁରର ଦାୟିତ୍ବ ନେଇ ଜଗିଛି । ସମସ୍ତେ ତାଙ୍କ ତାଙ୍କର ଖୁସି ଅଛନ୍ତି । ହେଲେ ଆମକଥା କେହି ଭାବୁ ନାହାଁନ୍ତି । ଏ ବୃଦ୍ଧ ଅବସ୍ଥାରେ ଆମେ ପରଷ୍ପର କେତେ ନିର୍ଭରଶୀଳ ହେଇ ପଡିଥିଲେ । ହେଲେ ଏବେ ଅଲଗା ରହୁଛେ । ନିଜ କାମ ନିଜକୁ କରିବାକୁ ପଡୁଛି । ତୁମେ ପାଖରେ ଥିଲେ ମୋର ସବୁ କାମ କରିଦେଉଥିଲ । ମୁଁ ବି ତୁମ ଦେହ ଖରାପ ହେଲେ ହାତ ଗୋଡ ମୋଡି ଦେଉଥିଲି । ଏଠି ଦେହ ଖରାପ ହେଲେ ପୁଅ ବୋହୁ ଜାଣିବି ପାରୁ ନାହାଁନ୍ତି । ନିଜ କାମରେ ସମସ୍ତେ ବ୍ୟସ୍ତ ରହୁଛନ୍ତି । ତେଣୁ ମୁଁ କିଛି ବେଶି କଷ୍ଟ ନ ହେଲେ କହେନି ତାଙ୍କୁ।କହିଲେ ବି କଣ ହେବ । ଟାବ୍ଲେଟ ଟେ ଧରାଇଦେବେ ଖାଇବ ବୋଲି । ମୋର ଏକ୍ଲାପଣ ତ ଦୂର ହେଇ ପାରିବନି । କେତେବେଳେ ମୁଣ୍ଡ ବୁଲାଉଛି । ଗୋଡ ହାତ ଥରଥର ହେଉଛି । ଆଉ ବାଲାନ୍ସ ରହୁନି ଡରଡର ଲାଗୁଛି ଚାଲିଲାବେଳେ । ନିଜ ଜିନିଷ ନିଜକୁ ସାଇତିବାକୁ ପଡୁଛି । ମଇଲା କଲେ ଗନ୍ଧ ହେଲେ ବୋହୁ ବିରକ୍ତ ହୁଏ । ସେତେବେଳେ ତୁମକଥା ବହୁତ ମନେ ପଡେ।ତୁମେତ ଜାଣିଛମୋର ପରିଶ୍ରା କଲାବେଳେ ବୁନ୍ଦାଏ ଦିବୁନ୍ଦା ତଳେ ପଡିଯାଏ । ଲାଟ୍ରିନ ଫ୍ଲସ ମାରିଲେ ବି ତାହା ଚଟାଣରେ ପଡିଥିବା ହେତୁ ଗନ୍ଧହୁଏ । ତୁମେ ଥିଲ ବୋଲି ସବୁବେଳେ ପାଣିମାରି ଧୋଇ ଦେଉଥିଲ । ଏଠି ସେମିତି ପଡି ରହୁଛି । ପୁଅ ବୋହୁ ଆସିଲେ ଗନ୍ଧ ହେଉଛି ବୋଲି ବିରକ୍ତ ହେଉଛନ୍ତି । ମୁଁ ବି ସଫା ଲୋକ ହେଲେ ଏବେ ଆଉ କାମ କରିବାକୁ ଶକ୍ତି ସାମର୍ଥ୍ୟ ନାହିଁ । ନିଜର ପିନ୍ଧା ଲୁଗ ଦିଖଣ୍ଡକୁ କଷ୍ଟେ ମଷ୍ଟେ ଚିପି ଶୁଖାଉଛି । ତୁମର ବି ସମ ଅବସ୍ଥା ସେଠି । ମତେ ଥରେ ଥରେ ଡରଲାଗେ ଯଦି ମୁଁ ଏଠି ମରିଯାଏ ତୁମକୁ ଆଉ ଦେଖି ପାରିବିନି । ତୁମର କଣ ହେଲେ ମତେ ଦେଖିପାରିବନି।ଆଜି ଭଲେନ୍ ଟାଇନ ଦିନରେ ତୁମ କଥା ବହୁତ ମନେ ପଡୁଛି । ଏମିତି ଦିନରେ ମୁଁ ପ୍ରଥମ ପ୍ରପୋଜ କରିଥିଲି ତୁମକୁ ନାଲି ଗୋଲାପ ଦେଇ । ବିତେଇ ଥିବା ପ୍ରେମର ଦିନ ସବୁ ଆଖି ଆଗରେ ନାଚି ଯାଉଛି । ତୁମର ସେ ସୁନ୍ଦର ଚେହେରା ଯାହାକୁ ଦେଖି ମୁଁ ପାଗଳ ହେଇ ଯାଇଥିଲି ଓ ପ୍ରେମ ବିବାହ କରିଥିଲି, ତୁମ ମୋର ବିବାହ ପାଇଁ ଘରେ କେତେ ନାଟ ହେଇଥିଲା । ଆମେ ଦୁଇଜଣ ଅଲଗା ଜାତିବୋଲି କେତେ ପ୍ରତିରୋଧର ସାମନା କରିଥିଲେ । ନିଜ ବାପା ମାଆଙ୍କ କଥା ଅମାନ୍ୟ କରି ବାହା ହେଲେ ଦୁଇଜଣ ଆଉ ଅଲଗା ରହିପାରିବା ସମ୍ଭବ ନୁହେଁ ବୋଲି ଅନୁଭବ କରିବାପରେ । ହେଲେ ଆଜି ଆମ ପିଲାଏ ଆମକୁ ଅଲଗା କରିଦେଲେ । ତୁମର ଠିକରେ ଯତ୍ନ ନେଉଥିବ । ତୁମର କଣ ହେଇଗଲେ ମୁଁ ଏଠି ବଞ୍ଚି ପାରିବିନି । ମଝିମଝିରେ ନିଜ ମନକଥା ଚିଠିରେ ଲେଖି ଜଣାଇବ । ମନ ହାଲୁକା ଲାଗିବ । ତୁମର ଚିଠିକୁ ଅପେକ୍ଷା ରହିଲା । ଇତି, ତୁମର ସବୁ କିଛି । ଚିଠିଟା ପଢି ସାରିଲାପରେ ଅତନୁଙ୍କ ଆଖି ଓଦା ହେଇଗଲା । ସତରେ ସେମାନେ ବାପା ମାଆଙ୍କୁ ଅଲଗା ରଖି ବଡ ଭୂଲ କରିଛନ୍ତି । ଏ ବୟସରେ ପତିପତ୍ନୀ ଦୁଇଜଣ ଏକାଠି ରହିବା ଜରୁରି । ସେ ସାନ ଭାଇ ପାଖକୁ ଫୋନ ଲଗାଇଲେ । ଏହାର କିଛି ସମାଧାନର ରାସ୍ତା ବାହାର କରିବାକୁ ହେବ । ମାଆ ବାପା ତାଙ୍କୁ କିଛି ନଜଣାଇ ମନ ଭିତରେ କେତେ ଯନ୍ତ୍ରଣାକୁ ଦବାଇ ରଖିଛନ୍ତି । ସେ ଚିଠିଟା ପଢିଲେ ବୋଲି ସିନା ଏସବୁ ଜାଣି ପାରିଲେ । ସେ ଚିଠିଟା ଆଣି ପୁଣି ସେଇ ଜାଗାରେ ରଖିଦେଲେ । ମାଆ ସେତେବେଳ ଯାଏ ବାଥରୁମରୁ ବାହାରିନଥିଲେ । ବୋଧହୁଏ ବାପାଙ୍କୁ ମନେକରି ଭିତରେ ଲୁଚିଲୁଚି କାନ୍ଦୁଥିଲେ ।

ମାଧବୀ ପଟେଲ
ଝାରସୁଗୁଡା