ଯେକୌଣସି ରୋଗ ହେଲେ ଡାକ୍ତର ଅତ୍ୟଧିକ ଧ୍ୟାନ ଦେଇଥା’ନ୍ତି ରୋଗୀର ଇମ୍ମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) ଉପରେ । ବିଶେଷକରି ବର୍ତ୍ତମାନର କରୁଣା ମହାମାରୀ ସମୟରେ ମଣିଷର ଇମ୍ମ୍ୟୁନିଟି ଉପରେ ଚର୍ଚ୍ଚା ସମସ୍ତଙ୍କୁ ଗୋଚର । ସବୁଠାରୁ କୌତୁହଳପୂର୍ଣ୍ଣ କଥା ହେଉଛି ସେହି ଇମ୍ମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) ଏକ ଭଗବାନ ସଦୃଶ୍ୟ କଥା । କାରଣ ଭଗବାନଙ୍କୁ ଯେମିତି ଦେଖି, ଛୁଇଁ ହୁଏ ନାହିଁ କିମ୍ବା ତା’ ଶକ୍ତିର କୌଣସି ପରିମାପକ ନାହିଁ, ଠିକ ସେହିଭଳି ଇମ୍ମ୍ୟୁନିଟିର କୌଣସି ପରିମାପକ ବ୍ୟବସ୍ଥା ବିଜ୍ଞାନରେ ନାହିଁ କିମ୍ବା ତାକୁ ଗବେଷଣାଗାରରେ ନେଇ ପରୀକ୍ଷା ନିରୀକ୍ଷା କରିବା ବ୍ୟବସ୍ଥା ନାହିଁ । ତେଣୁ ଧାର୍ମିକ ଯେମିତି ଶେଷ ପରିଣତିରେ ସବୁ ଭଗବାନଙ୍କ ଉପରେ ଛାଡି ଦେଇଥାଏ, ଚିକିତ୍ସା ବିଜ୍ଞାନ ମଧ୍ୟ ଅନୁରୂପ ବ୍ୟବସ୍ଥା ରଖିଛି ସେସବୁ ସେହି ଅଦୃଶ୍ୟ, ଅସ୍ପୃଶ୍ୟ ଇମ୍ମ୍ୟୁନିଟି ବା ରୋଗ ପ୍ରତିରୋଧକ ବ୍ୟବସ୍ଥା ଉପରେ ଛାଡ଼ିଦେଇ ନିଜର ସୀମିତ ବଟିକା ମାଧ୍ୟମରେ ଚିକିତ୍ସା କରିବା ପାଇଁ । ଇତି ମଧ୍ୟରେ ଚିକିତ୍ସା ବିଜ୍ଞାନର ବ୍ୟାପକ ପ୍ରଚାର ହେତୁ ସେହି ଅପରିମାପକ, ଅଦୃଶ୍ୟ, ଅସ୍ପୃଶ୍ୟ କଥାଟି ସାଧାରଣ ଲୋକଙ୍କ ମନକୁ ବେଶ ଭଲ ଭାବେ ପ୍ରଭାବିତ କରିପାରିଥିବା କେହି ଅସ୍ୱୀକାର କରିପାରିବେ ନାହିଁ ବର୍ତ୍ତମାନର ସମୟରେ । ତେଣୁ ସେହି ଭଗବାନ ସଦୃଶ୍ୟ ବିଷୟ ଉପରେ ବିଭିନ୍ନ ଧାର୍ମ ପ୍ରଚାରକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଅନେକ ମଣିଷ ମାନସିକ ଗବେଷଣା ଆରମ୍ଭ କରି ବିଭିନ୍ନ ଉପାୟ ଗୁଡିଏ ପ୍ରଚାର, ପ୍ରସାର ଆରମ୍ଭ କରିଦେଲେ । ସମୟ ସ୍ରୋତରେ ସାଧାରଣ ଲୋକେ ସେମାନଙ୍କ ପ୍ରହେଳିକାରେ ନିମଗ୍ନ ବିଭୋର, ବିଭିନ୍ନ କାଠି, କୁଟା, ଛାଲି, ଫଳ, ପୁଷ୍ପ, ପତ୍ର ସହିତ ମଧୁ, ମନ୍ଦାକିନୀ, ଘୃତାଦି ଉପକରଣ ଯୋଗାଡ଼ କରି ବିଭିନ୍ନ ଉପାୟରେ ସେଗୁଡିକୁ ବ୍ୟବହାରରେ ଲାଗିପଡ଼ିଲେ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ କରୁଣା ସହିତ ମୁକାବିଲା କରିବା ପାଇଁ ! ଏହା ଆମ ସମସ୍ତଙ୍କ ବର୍ତ୍ତମାନ ପରିସ୍ଥିତରେ ଅଭିଜ୍ଞତା ଅଛି ଯାହାର ଆଉ ଅଧିକ କିଛି ବ୍ୟାଖ୍ୟା କରିବା ଆବଶ୍ୟକତା ନାହିଁ । ବଡ଼ ଆଶ୍ଚର୍ଯ୍ୟ ଲାଗେ ଭାବିଲେ ଯେ ସତେ ଯେମିତି ଇମ୍ମ୍ୟୁନିଟି ସହିତ ଲୋକଙ୍କ ଏତେ ପରିଚିତ ଜ୍ଞାନ ଅଛି ଏବଂ ତାକୁ କରାୟତ କରିବା ଏକ ହାତପାଆନ୍ତା ବିଷୟ ଭଳି ଅନୁଭବ ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ମନରେ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି, ଯେମିତି ଆମେ ସମସ୍ତେ ଭଗବାନଙ୍କ ସହିତ ସାକ୍ଷାତ କରିଥାଉ ନିତ୍ୟ ସକାଳ, ସାନ୍ଧ୍ୟରେ ! ଚର୍ଚ୍ଚା, ପ୍ରଚାର ସହିତ ବିଭିନ୍ନ ବିତରିତ ଜ୍ଞାନ ଉପରେ ଆଧାର କରି କହିବାକୁ ଗଲେ ପ୍ରାୟତଃ ସବୁ ଲୋକଙ୍କ ଇମ୍ମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତିକୁ କରାୟତ କରି କରୁଣା ସହିତ ମୁକାବିଲା କରିବା କ୍ଷମତା ବୃଦ୍ଧି ପାଇଥିବା ସମସ୍ତଙ୍କ ମନରେ ଦୃଢ଼ତା ବାନ୍ଧିଥିବା ଅନୁଭବ ସମସ୍ତେ ନିଶ୍ଚୟ କରୁଥିବେ । ହେଲେ ସେହି ରୋଗ ପ୍ରତିରୋଧକ ଶକ୍ତି ଇମ୍ମ୍ୟୁନିଟି ଉପରେ ଚର୍ଚ୍ଚିତ ବର୍ତ୍ତମାନର ବିଷୟ ଗୁଡିକ କେତେଦୂର ସତ୍ୟ ସମୀକ୍ଷା ନକରି ନିର୍ଦ୍ୱନ୍ଦରେ ଗ୍ରହଣ କରାଯିବା କେତେଦୂର ଯୁକ୍ତିଯୁକ୍ତ ବିଚାର ଯୋଗ୍ୟ ନିଶ୍ଚିତ । କୌଣସି ପରୀକ୍ଷା, ସମୀକ୍ଷା ନକରି ଯିଏ ଯାହା କହିଲା, ଲେଖିଲା ସେଗୁଡିକ ଉପରେ ଅନ୍ଧ ଭଳି ବିଶ୍ୱାସ କରି ପ୍ରତ୍ୟେକ୍ଷ/ପରୋକ୍ଷରେ ପ୍ରତାରିତ ହେଉଥିବା ସାଧାରଣ ଲୋକଙ୍କ ସଂଖ୍ୟା ୯୯ ରୁ ଅଧିକ ଦେଖିବାକୁ ମିଳିବେ ଆମ ଦେଶରେ । ସେହି ନିର୍ବୋଧ, ଅଜ୍ଞାନଙ୍କୁ ଉପଯୁକ୍ତ ମାର୍ଗଦର୍ଶୀ କୌଣସି ବ୍ୟବସ୍ଥା ଆମ ଦେଶରେ ନଥିବା ଅତ୍ୟନ୍ତ ମର୍ମସ୍ପର୍ଶୀ ! ତେଣୁ କେବଳ ଖବର, ପ୍ରଚାର ଉପରେ ଆଧାର କରି ଜ୍ଞାନବର୍ଦ୍ଧିଷ୍ଣୁ ପ୍ରସାରତା ଏବଂ ଗ୍ରହଣୀୟତା ଯଥେଷ୍ଟ ଦେଖିବାକୁ ମିଳୁଛି ସମସ୍ତଙ୍କ କ୍ଷେତ୍ରରେ । ହେଲେ ଆମ ଭଳି କେତେକ ଅଜ୍ଞାନଙ୍କ ଏହିସବୁ ବିଷୟ ଗୁଡିକ ଉପରେ ଯଥେଷ୍ଟ ଜ୍ଞାନ ନଥିଲେ ମଧ୍ୟ କୌଣସି ବିଷୟର ଯୁକ୍ତିଯୁକ୍ତତାକୁ ଅନୁଧ୍ୟାନ ନକରି ସହଜରେ ଗ୍ରହଣ କରିନଥାଉ ଆମେ । ଅଧିକନ୍ତୁ ଟିକେ ଆଡ଼ନୟନ ବକ୍ର ଦୃଷ୍ଟିରେ ଦେଖି କେତେକ ଯୌକ୍ତିକ ବିଚାର ସୃଷ୍ଟି ହୁଏ ମନରେ….. କୃଷି କ୍ଷେତ୍ରରେ ଫସଲର ଉତ୍ପାଦତା, ରକ୍ଷଣାବେକ୍ଷଣ, ସଂରକ୍ଷଣ ଏବଂ ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଠାରୁ ଆରମ୍ଭ କରି ବଜାରରେ ଉପଲବ୍ଧ ସମସ୍ତ ପୁଡିଆ/ବୋତଲର ଖାଦ୍ୟ ପାନୀୟ ଗୁଡିକରେ ଯେଉଁସବୁ ରାସାୟନିକ ବ୍ୟବହାର ହେଉଛି ସେଗୁଡିକ ମଣିଷର ଇମ୍ମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି)କୁ ସତେଜ କରୁଛି କି ଦୁର୍ବଳ, ତାହାର କୌଣସି ପ୍ରଚାର, ପ୍ରସାର ବ୍ୟାପକ ହେଉନଥିବା ବ୍ୟପାରୀଙ୍କ ଷଡ଼ଯନ୍ତ୍ର ନା ବ୍ୟବସ୍ଥାର ଦୁର୍ବଳତା ବିଚାରଯୋଗ୍ୟ ନିଶ୍ଚୟ ! ବିଭିନ୍ନ ଉପାୟରେ ପ୍ରକୃତିର ମାଟି, ଜଳ, ବାୟୁକୁ ପ୍ରଦୂଷଣ କରୁଥିବା ସଂସ୍ଥାନ ଗୁଡିକ କେତେ ଜନହିତକର କାର୍ଯ୍ୟ କରିଥା’ନ୍ତି ଏବଂ ସେଗୁଡିକ ଦ୍ୱାରା ମଣିଷ ସମାଜର କେତେ ଲାଭ ହୋଇଥାଏ ଏବଂ ତଜ୍ଜନିତ ଲୋକଙ୍କର ଇମ୍ମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) ବୃଦ୍ଧି ପାଉଛିକି କ୍ଷୀଣ ହେଉଛି ତାହାରି ଉପରେ କୌଣସି ପ୍ରଚାର, ପ୍ରସାର ବ୍ୟାପକ ହେଉନଥିବା ସମ୍ପୃକ୍ତ ବ୍ୟବସାୟୀଙ୍କ ଷଡ଼ଯନ୍ତ୍ର ନା ବ୍ୟବସ୍ଥାର ଦୁର୍ବଳତା ? ଆଉ ଏହିସବୁ ଯାହା କଲେ ମଧ୍ୟ କିଛି ରାସାୟନିକ ବଟିକା ହେଉ କି କାଠି, କୁଟା ସିଝା ପାଣି ପିଇ ମଣିଷ କ’ଣ ସତରେ ନିଜର ଇମ୍ମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) ବୃଦ୍ଧି କରିପାରିବ ? ଏମିତି ଅନେକ ପ୍ରଶ୍ନବାଚୀ ମନରେ ସୃଷ୍ଟି ହେଉଥିବା ଏହି ଅଧମ, ଅଜ୍ଞାନର ଉତ୍ତର ବିହୀନ ଏକ ଦୁଃଖଦ ଭାବନରୁ ନିର୍ଗତ ଗୋଟିଏ ଉଦାହରଣ ଆପଣଙ୍କୁ କିଛି ବିଚାରଶୀଳ ମନ୍ତବ୍ୟ ଦେଇପାରିବ ବୋଲି ଆଶା କରି କହିବା କଥା ଏହାଯେ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅନେକ ଜିନିଷ ଗୁଡିକ ମଧ୍ୟରୁ ଗୋଟିଏ ଦୁଇଟିକୁ ଅନୁଧ୍ୟାନ କରି କିଛି ଶିଖିବା କଥାଯେ ସଂସାର ଚାଲିଛି କେମିତି ?! ନହେଲେ ନିଜେ ମଲେହିଁ ସ୍ୱର୍ଗ ଦେଖିବା ଛଡା କେହି ପିଠିରେ ପଡିବେ ନାହିଁ । ସତ୍ୟକୁ ଅସତ୍ୟ, ଅସତ୍ୟକୁ ସତ୍ୟ ଭଳି ଗ୍ରହଣ, ଅନୁଭବ କରିବା ଆମର ସହଜାତ ପ୍ରକୃତି । ମଦର ଔଷଧୀୟ ଗୁଣ ଚା’ ଠାରୁ ଅଧିକ ରହିଥିବା ବେଳେ ଚା’ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ ହେଉଥିବା ଜାଣନ୍ତି ନାହିଁ ସାଧାରଣ ଲୋକେ । କିନ୍ତୁ ମଦ କୁ ଲୁଚାଇ ପିଇବା ବେଳେ ଚା’ ଫେସନ ଭଳି ବ୍ୟବହାର କରାଯାଇ ଥାଏ ଆମ ଦେଶରେ । ବଜାରରେ ଉପଲବ୍ଧ ମଦ ର ପ୍ରସ୍ତୁତି ପ୍ରଣାଳୀ, ରାସାୟନିକ ତତ୍ୱ ଏବଂ ବିକ୍ରି ଉପରେ ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଥିବା ବେଳେ ଭେଜାଲ ମଦ ବିଷୟରେ ଖବର ସବୁଦିନେ ଦେଖିବାକୁ ମିଳୁଛି ଯାହାସବୁ ସ୍ୱାସ୍ଥ୍ୟ ପକ୍ଷେ ବ୍ୟାପକ କ୍ଷତିକାରକ । କିନ୍ତୁ ରାସ୍ତା କଡରେ, ଗଳି କନ୍ଦିରେ ସବୁ ସ୍ଥାନରେ ଉପଲବ୍ଧ ସହ ସହ ଚା’ ଦୋକାନ, ଯେଉଁଠି ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଥାଏ ସକାଳୁ ରାତି ପର୍ଯ୍ୟନ୍ତ ଚା’, କଫି ପିଇବା ପାଇଁ ସେଇଥିରେ କ’ଣ ସବୁ ସ୍ୱଚ୍ଛ ?! କେବେ କୌଣସି ଚା’ ଦୋକାନ ଉପରେ ଚଢ଼ାଉ କରାଯିବା ଖବର ମୁଁ ଦେଖିନାହିଁ । ରାସ୍ତା କଡରେ ମିଳୁଥିବା ଚା’ରେ ବ୍ୟବହୃତ କ୍ଷୀର ଏବଂ ସେଇଥିରେ ପଡୁଥିବା ଚା’ ପତିର ମାନ ନିର୍ଦ୍ଧାରଣ ସହିତ ସେଗୁଡିକର ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବ ବିଷୟରେ ସଚେତନତା କେଉଁଠି ହେଲେ ଦେଖିବାକୁ ମିଳୁନାହିଁ । ଏମିତି ପ୍ରାୟ ସବୁ ଖାଦ୍ୟ ପାନୀୟ ଗୁଡିକ ଆମ ଶରୀର ଉପରେ କି ପ୍ରଭାବ ପକାଉଛନ୍ତି ଏବଂ ସେଗୁଡିକ ଆମ ରୋଗ ପ୍ରତିରୋଧକ ଶକ୍ତିକୁ କ’ଣ କରୁଛି ତାହାରି ଉପରେ ଖବର, ସଚେତନତା କେବେ ଦେଖିବାକୁ ମିଳୁନଥିବା ବେଳେ ଏହି କାଠିକୁଟା ସିଝା ପାଣି କେତେ ଦୂର ଆମର ଇମ୍ମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) ବୃଦ୍ଧି କରିବାରେ ସହାୟକ ହୋଇଥାଏ/ହୋଇପାରିବ ସେସବୁ ସଠିକ ଭାବେ ତର୍ଜମା ନକରି ଗ୍ରହଣ କରାଯିବା କେତେଦୂର ଯୁକ୍ତିଯୁକ୍ତ ବିଚାର ଆପଣ ମାନଙ୍କର…!
ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ),
ଛତ୍ରପୁର, ଗଞ୍ଜାମ.