ଚିଠି…

ଝୁଅ,
ତୋ ବାପା ଲେଖୁଛିରେ । ଟିକେ ପଡ଼ିବୁ । କାହିଁକିନା କେହି ମୋ କଥା ଶୁଣୁ ନାହାନ୍ତି । ତୋତେ ପୁଅ ମାନଙ୍କ ଠାରୁ ବେଶି ଟିକେ ଭଲ ପାଏ । ଲୋକେ କହନ୍ତି ପୁଅ ମାଆର ଆଉ ଝୁଅ ବାପର । ତୋ ବାହାଘରରେ ମୁଁ କଣ ନ ଦେଇଛି କହିଲୁ ? ବୁଢା ବାପା ଟା’ର ପେନସନ ପଇସା ଜମା କରିଥିଲି ତୋ ପାଇଁ । ପିଆଶାଳ କାଠର ପଲଙ୍କ ଦେଇଛି । ସହରୀ ଜ୍ୱାଇଁ ମୋର ଫୋର ହୁଇଲର ଚଢ଼ିବ । ମୋ ଝିଅ ଜ୍ଵଇଁ ପାଖରେ ବସିବ । ଅଠର ଲକ୍ଷ ଟଙ୍କାର ଗାଡି ଦେଇଛି । ସୁନା ଦେଇଛି । ତୁ ସୁଖରେ ରହିବୁ ବୋଲି । ମଙ୍ଗରାଜ ମାଷ୍ଟରର ଝିଅ ସୁଖ କରିବନି ତ ଆଉ କିଏ କରିବ ?
ଝୁଅରେ ! ତୋ ମାଆ ମଲା ପରେ ମୁଁ ଏକୁଟିଆ ହୋଇଯାଇଛି । ଏତେ ବଡ଼ ଘରଟା ଖାଁ ଖାଁ ଲାଗୁଛି । ତା ସାଙ୍ଗକୁ ମୋର ଏ ପୁରୁଣା ଆଣ୍ଠୁ ଗଣ୍ଠି ବାତ ଟା ଦାଉ ସାଧୁଛି । ଥଣ୍ଡା ପାଗରେ ଭାରି ବିନ୍ଧୁଛିରେ । ମେଡ଼ିସିନ ଟା ଆଣିବାକୁ ଛକ ଦୋକାନକୁ ଚାଲି ଯାଇ ପାରୁନି । ଚାରି ଦିନ ହେଲା ଔଷଧ ବନ୍ଦ ।
ଝୁଅରେ ! ବୁଢା ବାପା ଟା କଣ ଖାଉଛି ଜାଣିଛୁ ? ତୋ ମା ମଲା ବେଳେ ମଡା ଚଣ୍ଡାଳ ଖାଇବାକୁ ଯେଉଁ ଚୁଡା ଆସିଥିଲା, ସେତିକି ସାଇତି ରଖିଛି । ଭୋକ ହେଲେ ପାଣି ଗୋଳାଇ ଲୁଣ ପକାଇ ଖାଇ ଦେଉଛି । ରୋଷେଇ କରି ପାରୁନିରେ । ଆଖିକୁ ଦିଶୁନି ।
ମୁହଁରେ ଦାଢ଼ି ବଲବଲ ହୋଇଗଲାଣି । ବ୍ଲେଡ଼ ଅଛି । ଖେର ହୋଇ ପାରୁନି । ଭଲ କରି ଗାଧୋଇ ହେଉନି । ପଡିଶା ଘର ଛୁଆ ଗୁଡାକ ବେଳେବେଳେ ବୋଲହାକ ପାଇଁ ଆସୁଥିଲେ , ଆଉ ଆସୁନାହାନ୍ତି । ମୋ ଦେହ ରୁ କୁଆଡେ ଗନ୍ଧ ବାହାରୁଛି । ମୁଁ କୁଆଡେ ଗନ୍ଧ ବୁଢା ।
ତୋ ବଡ଼ଭାଇ ସମୀରକୁ ମାର୍ଗଶୀର ମାସ ଫୋନ କରିଥିଲିରେ, ତା ସ୍ତ୍ରୀ ମୋତେ ଗଲିଦେଲା । କହିଲା – ମୋତେ ସେ ମାଣବସା ଫାଣବସା ଆସେ ନା । ମୁଁ ଏବେ କ୍ଲବରେ ଅଛି । ଡ୍ୟାନ୍ସ ପ୍ରୋଗ୍ରାମ । ଆଉ ଥରେ ଡିଷ୍ଟର୍ବ କରିବ ତ ଶୋଧl ଖାଇବ ।
ବଡ଼ପୁଅକୁ ଇଂଜିନିଅର କରିଥିଲି । ତା ପାଠ ପଢା ପାଇଁ ତା ମାଆ ଓ ମୁଁ ରାତି ଅନିଦ୍ରା ରହି ତା ପାଖରେ ବସୁଥିଲୁ । ମାଆ କହୁଥିଲା-ଦେଖିବ, ମୋ ବଡ଼ ପୁଅ ବଡ଼ ଅଫିସର ହେବ, ଭଲ ଆଣିବି । ଆମ ବୁଢା ବୟସ ଟା ଖାଲି ହାସଖୁସିର କାଟିବ ।ସମୀର ଟା ବି କହୁଥିଲା-
ହଁ ବାପା, ମୋର ଖାଲି ଚାକିରୀ ଟା ହୋଇଯାଉ ଦେଖିବ ନି – ମୋ ବାପା ମାଆଙ୍କୁ ଖଟୁଲିରେ ବସାଇ ପୂଜା କରିବି । କୁଆଡେ ଗଲା ସେ କଥା । କୁଆଡେ ଗଲା ତା ଭାବ । ବଡ଼ଲୋକ ଘର ଝିଅଟାକୁ ରାଜି ହୋଇ ବାହାହେଲା ଯେ ବୋହୂର ପାଦ ଟା ଘରେ ପଡିଲା ନି । ମାଆ ମଲା ବେଳକୁ ମୁହଁ ରେ ନିଆଁ ଲଗାଇବାକୁ ବି ଆସିଲା ନି ।
ସାନ ପୁଅ ଟା ଆମେରିକା ଗଲା ଯେ ଗଲା । ନା ଟିକେ ଫୋନ, ନା ଟିକେ କଥା । କେମିତି ଭାବୁ ନାହିଁ ଯେ ଏ ବୁଢା ବାପା ଟା ଗାଁ’ରେ ପଡି କଣ କରୁଛି ।
ଝୁଅରେ ! ତୋତେ ଦେଖିବାକୁ ଭାରି ଇଚ୍ଛା ହେଉଛି । ତୁ ଏ ଗନ୍ଧ ବୁଢ଼ାଟାକୁ ଘୃଣା କରିବୁନିରେ ମାଆ । ଥରେ ମୋ ପାଖକୁ ଆ । ମୁଁ ପରା ତୋ ବାପା । ମୋ ପିଠି ରେ ତୋତେ ପରା ବସାଇ ଘୋଡା ହୋଇ ବୁଲାଇଛି । ମୋ କାନ୍ଧରେ ବସାଇ ତୋତେ ପରା ମେଳା ବୁଲାଇ ନେଇଛି । ନିଜ ରକ୍ତକୁ ମାଟି କରି ତୋତେ ପରା ବଡ଼ଘର ବଡ଼ବର ଦେଇ ବାହା କରାଇଛି ।
ତୁ ଆସିବୁ ମାଆ । ତୋ କୋଳ ରେ ମୁଣ୍ଡ ରଖି ମରିବାକୁ ଭାରି ଇଚ୍ଛାରେ ।

ଇତି
ତୋ ବାପା

ରବୀନ୍ଦ୍ରକୁମାର ବେହେରା,
ଶିଖରପୁର, କଟକ-୪