ରାଜ୍ୟର ଅନେକ ଦୁର୍ଗମ ଅଞ୍ଚଳକୁ ଏବେସୁଦ୍ଧା ଗମନାଗମନର କୋୖଣସି ସୁବିଧା ନାହିଁ, ସେଥିପାଇଁ ଆବଶ୍ୟକ ହେଲେ ମଧ୍ୟ ଆମ୍ବୁଲାନ୍ସ/ଦମକଳ ହଠାତ୍ ପହଞ୍ଚି ପାରେନାହିଁ । ଦୁର୍ଗମ ଅଞ୍ଚଳ କଥା ଛାଡ଼ନ୍ତୁ, ଉପକୂଳ ଅଞ୍ଚଳରେ, ରାଜଧାନୀ ସମୀପରେ ମଧ୍ୟ ଏମିତି ଗାଁ ଅଛି ଯୋଉଠାକୁ ଯିବାକୁ ଠିକ୍ ରାସ୍ତାଘାଟ ନାହିଁ, କୋଉଠି କେନାଲ ଅଛି ,କିନ୍ତୁ କୋୖଣସି ଉପଯୋଗ ନାହିଁ, ମାତ୍ର ବର୍ଷ ବର୍ଷ ଧରି ଲୋକ କେନାଲ ନିମନ୍ତେ ଖଜଣା ଦେଉଛନ୍ତି, ପ୍ରଶାସନର ସ୍ତର ସ୍ତର କରି ଯେତେ ଅଭିଯୋଗ କଲେ ମଧ୍ୟ କିଛି ଫଳ ନାହିଁ । ଏମିତିରେ ସାଧାରଣ ଲୋକଙ୍କ କଥା ଶୁଣୁଛି କିଏ, ଯଦି ସାମ୍ବାଦିକ କେହି ୟାର ସମାଧାନ ସମ୍ବନ୍ଧରେ ପଚାରିଲେ, ଉତ୍ତର ମିଳେ, ଉପର ସ୍ତରରେ କଥାବାର୍ତ୍ତା ସରିଛି, ଖୁବଶୀଘ୍ର କାମ ଆରମ୍ଭ ହେବ, ମାତ୍ର ଏ ‘ଖୁବଶୀଘ୍ର’ର କିଛି ସୀମା ନଥାଏ, କେତେବେଳେ ଵର୍ଷେ/କିଛି ଵର୍ଷ ଲାଗେ ବା କୋଉ କ୍ଷେତ୍ରରେ ମାସେ ଦୁଇ ମାସରେ କାମ ହୋଇ ଯାଇପାରେ, ସମ୍ପୃକ୍ତ ଅଧିକାରୀଙ୍କ ଊପରେ/ସ୍ଥାନୀୟ ରାଜନୀତି ଉପରେ ନିର୍ଭର କରେ । କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଦତ୍ତ ବିଜ୍ଞାପନାନୁଯାୟୀ ଅଦ୍ୟାବଧି ଦେଶରେ ୩.୧୫କୋଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହୋଇଛନ୍ତି । ରାଜ୍ୟରେ ୨୦୨୧ ସୁଦ୍ଧା ୩୧ ଲକ୍ଷ ବିଜୁ ପକ୍କାଘର ଯୋଜନାରେ ଉପକୃତ ହୋଇଛନ୍ତି । ଆହୁରି କେତେ ପ୍ରକାର କିଏ ଉପକୃତ ହୋଇଛନ୍ତି ତା’ର ହିସାବ ବହୁତ ଲମ୍ବା । ମାତ୍ର ଟିଭିରେ କେତେକ ଦୃଶ୍ୟ ଦେଖିବାପରେ ଏଗୁଡା ସବୁ ଧୁଆଁଵାଣ ନାଁ ଆଈମା କାହାଣୀ ଭାବିବାକୁ ପଡେ । ଫନୀ ବାତ୍ୟା ଓଡ଼ିଶା ଉପକୂଳରେ ଧ୍ଵଂସରଚନାକରି(୩ ମେ ୨୦୧୯) ଚାଲିଯିବାର ତିନିବର୍ଷ ବିତିଗଲାଣି, କିନ୍ତୁ ବାତ୍ୟାରେ ଉଜୁଡି ଯାଇଥିବା କିଛିଘର ଆଜିସୁଦ୍ଧା ସେମିତି ମୁହଁମାଡି ପଡ଼ିଛି । କିଏ ସେଇ ପୁରୁଣା ଘରର ପଞ୍ଜରା ଉପରେ ଟାରପୋଲିନ୍ ଖଣ୍ଡେ ପକାଇ ରହୁଛି, ତ କିଏ ଯାହିତାହି ଝାଟିମାଟି ଘେରେଇ ସେମିତି ଚନ୍ଦ୍ରସୂର୍ଯ୍ୟ ଉହାଡରେ କାଳ କାଟୁଛି, ୱାର୍ଡମେମ୍ବର, ସରପଞ୍ଚ, ଵିଡିଓଙ୍କଠୁ ଆରମ୍ଭ କରି ସମସ୍ତଙ୍କୁ ଗୁହାରୀ କଲେ ମଧ୍ୟଯଥା ପୂର୍ବମ୍ । ଗତ ୨୮ ମେ ୨୦୨୨ରେ ଟିଭିରେ ଏକ ଦୃଶ୍ୟ ଦେଖିବାପରେ ଆମେ ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ ବାସ କରୁଛେ ବୋଲି ମନରେ ପ୍ରତ୍ୟୟ ଆସୁନି ।ପିପିଲିବ୍ଲକ ନହଙ୍ଗ ଗ୍ରାମର ପ୍ରଶାନ୍ତ ପାତ୍ରଙ୍କ ପରିବାର (ସ୍ବାମୀ,ସ୍ତ୍ରୀ ଓ ଛୋଟ ଝିଅଟିଏ)ଆଜିକୁ ତିନିବର୍ଷ ହେଲା (ଫନୀ ବାତ୍ୟା ପରଠୁ)ତାଙ୍କ ବଡଭାଇଙ୍କୁ ପ୍ରଧାନମନ୍ତ୍ରୀ ଶୌଚାଳୟ ଯୋଜନାରେ ମିଳିଥିବା ପାଇଖାନା ଘରେ ରହୁଛନ୍ତି । ଅବଶ୍ୟ ତିନି ବର୍ଷ ସେମିତି କିଛି ବେଶୀ ନୁହେଁ, କାରଣ ୧୯୯୯ ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ଏରସମା ବ୍ଲକରେ ଏବେ ମଧ୍ୟ ଏସବୁଥିରୁ ବଞ୍ଚିତ କିଛି ପରିବାର ଅଛନ୍ତି, ଯାହା ମହାବାତ୍ୟାର ବାର୍ଷିକୀରେ ଲୋକଲୋଚନକୁ ଆସେ । ସେଇଠି ରୋଷେଇ, ସେଇଠି ଖାଇବା, ସେଇଠି ଶୋଇବା ସବୁ ସେଇ ପାଇଖାନାରେ, କେବଳ ସେଠାରେ ହେବା କାର୍ଯ୍ୟଟି ବ୍ୟତୀତ । ଯେମିତି ଆମ ରାଜ୍ୟର ସରକାରୀ ହସ୍ପିଟାଲରେ ସୁନ୍ଦର କୋଠାବାଡ଼ି, ଡାକ୍ତର, ନର୍ସ, ସହକର୍ମୀ, ଚିକିତ୍ସା ଉପକରଣ, ଔଷଧ ଇତ୍ୟାଦି ସବୁ ଥାଏ, ମାତ୍ର ଯାହା ନଥାଏ ତାହେଲା ଉତ୍ତମ ଚିକିତ୍ସା ଓ ସେଵା । ଭାଵି ଦେଲା ବେଳକୁ ମୁଣ୍ଡ ଘୁରାଇ ଦେଉଛି, ମାତ୍ର ସେମାନେ ଦୀର୍ଘ ତିନି ବର୍ଷ ହେଲା ସେଇଠି ଚଳୁଛନ୍ତି । ସମସ୍ତଙ୍କୁ ଗୁହାରୀ କରି ସାରିଲେଣି, ସମସ୍ତେ ହଁ କରୁଛନ୍ତି, ହଁକୁ ହାଇକୋର୍ଟ ସରି ନୁହେଁ ତ ! ଫନୀ ବାତ୍ୟାକୁ ତିନି ବର୍ଷ ପୁରି ସାରିଲାଣି, କେନ୍ଦ୍ର/ରାଜ୍ୟ ସରକାର ସମସ୍ତେ ଡିଣ୍ଡିମ ପିଟୁଛନ୍ତି, ଏତେ ଲୋକ ପାଇଲେ, ଏତେ ଲୋକ ଉପକୃତ ହେଲେ ଇତ୍ୟାଦି ଇତ୍ୟାଦି । ଆମ ରାଜ୍ୟର ଏତେ ଉନ୍ନତି ହୋଇଛି, ଅମକ ଅମକରେ ରାଜ୍ୟ ଏକନମ୍ବର ଏମିତି କେତେ କ’ଣ ମାତ୍ର ଏ ଦୃଶ୍ୟ ବୟାନ କରୁଛି ଏସବୁ କେତେ ଫମ୍ପା, କେତେ ନିରର୍ଥକ, ଆଜିକାର ଅତ୍ୟାଧୁନିକ ଡିଜିଟାଲ ଯୁଗରେ ମଣିଷ ଯୋଉଠି ଚନ୍ଦ୍ରରେ ସହର ବସାଇବାକୁ ବସିଲାଣି ସେ ସମୟରେ ଗୋଟିଏ ପରିବାର ଦୀର୍ଘ ତିନି ବର୍ଷ କାଳ ପାଇଖାନାରେ ଦିନ ବିତାଉଛନ୍ତି ଏହା କେତେ ଲଜ୍ଜାଜନକ, କେତେ ଅପରିଣାମଦର୍ଶୀ ଚିନ୍ତା କରି ଦେଉନି । ଅବଶ୍ୟ ୟେ ଗୋଟିଏ, ଏମିତି ଘଟଣା ଯେ ଅଛି ଏମିତି ନୁହେଁ, ଖୋଜାଲୋଡା ହେଲେ ଏମିତି ଆହୁରି କେତେ ଘଟଣା ବାହାରିବ ! ସ୍ଥାନୀୟ ବିଡ଼ିଓଙ୍କୁ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ମିଳିଲା ଏ ଘଟଣା ପ୍ରଥମ କରି ମୋ ନଜରକୁ ଆସିଲା, ଯାହା କିଛି ମୋ ଦ୍ଵାରା ହୋଇପାରିବ ନିଶ୍ଚୟ କରିବି । ସ୍ବାମୀ/ସ୍ତ୍ରୀ ବାରମ୍ବାର ଘର ଖଣ୍ଡିଏ, ରାସନ୍ କାର୍ଡ ଖଣ୍ଡିଏ ନିମନ୍ତେ ସମସ୍ତଙ୍କୁ ଯେତେବେଳେ ତିନି ବର୍ଷ ହେଲା ଖୁସାମତ କରି ଆସୁଛନ୍ତି ଵିଡିଓ ଜାଣିନାହାନ୍ତି କହିବାଟା କେମିତି ଖାପଛଡା ଲାଗୁଛି, ଦେଖାଯାଉ କେବେ ପ୍ରଶାସନ ଚେତୁଛି, କେବେ ପ୍ରଶାନ୍ତ ପାତ୍ର ପରିବାରର ଦୁଃଖ ଘୁଞ୍ଚୁଛି ! ଟିଭି ଆଗରେ କହିଲା ବେଳେ ଛୋଟ ଝିଅଟି ପ୍ରଶାନ୍ତଙ୍କ ବେକରେ ଆସି ନାଉ ହେଉଥାଏ ଠିକ୍ ପାଇଖାନା ପ୍ୟାନ ପାଖରେ, ତା’ର ଭୁଲ କ’ଣ ! ସେମାନେ ବି ପ୍ୟାନ ଉପରେ କିଛି ଘୋଡାଇ ନାହାନ୍ତି, ସେମିତିରେ ଖୋଲା ଛାଡି ଦେଇଛନ୍ତି । ପତିପତ୍ନୀ ଉଭୟେ କହୁଛନ୍ତି ସେମାନଙ୍କର ଏତେ ସମ୍ବଳ ନାହିଁ ଯେ ଝାଟିମାଟି ଘର ଖଣ୍ଡେ କରି ଚାଲିଯାନ୍ତେ । ଅତଏଵ ଅଦୃଷ୍ଟ ଉପରେ ଛାଡ଼ିଦେବା କଥା, ନା କ’ଣ କହୁଛନ୍ତି ଆପଣ-ମାନେ । ଆମେ ସଭ୍ୟସମାଜରେ ଚଳୁଛେ ତ !
ଜୟନ୍ତ ପଟ୍ଟନାୟକ